ଧନୁ ମୁଆଁ ପୂଜା
ନିମାପଡ଼ା, (ସନ୍ତୋଷ ଦାଶ):ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ରହିଛି ବାର ମାସରେ ତେର ପର୍ବ ପର୍ବାଣୀ। ଆଜି ଥିଲା ପବିତ୍ର ଧନୁ ସଂକ୍ରାନ୍ତି। ପ୍ରାଚୀ ଉପତ୍ୟକା ର ପ୍ରତ୍ୟେକ ଗ୍ରାମରେ ଥିବା ମଠ,ମନ୍ଦିର ମାନଙ୍କ ରେ ପାରମ୍ପରିକ ପ୍ରଥାନୁସାରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି। ଶ୍ରଦ୍ଧାଳୁ ପରିବାର ଙ୍କ ପକ୍ଷରୁ ବିଭିନ୍ନ ମଠ, ମନ୍ଦିର ମାନଙ୍କ ରେ ପୂଜା ପାଉଥିବା ଠାକୁର ମାନଙ୍କୁ ଧନୁମୁଆଁ ଭୋଗ ଲାଗି କରାଯାଇଛି। ଶାସ୍ତ୍ର ଅନୁସାରେ ଆଜି ସୂର୍ଯ୍ୟ ଦେବତା ଧନୁ ରାଶି କୁ ଚଳନ କରିଛନ୍ତି। ଚାଷୀ ମାନେ ନିଜ ନିଜ ବିଲରେ କରିଥିବା ଧାନ ଫସଲ ଅମଳ କରିବାରେ ଲାଗିଛନ୍ତି। ନୂଆ ଧାନରେ ଖଇ ପ୍ରସ୍ତୁତ କରି ଘିଅ,କାଜୁ,ଗୁଜୁରାତି, ନଡ଼ିଆ ପାତି, ଗୁଡ଼ ର ମିଶ୍ରଣ ରେ ପ୍ରତି ପରିବାର ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା ମୁଆଁ। ସେହି ମୁଆଁ କୁ ବିଭିନ୍ନ ଦେବଦେବୀ ମାନଙ୍କ ନିକଟରେ ପରିବାର ର ମଙ୍ଗଳ କାମନା କରି ପୂଜା କରାଯାଇଥିଲା। ଓଡ଼ିଆ ପରିବାର ରେ ଧନୁ ସଂକ୍ରାନ୍ତି ରେ ଦେବ ଦେବୀ ଙ୍କ ନିକଟରେ ମୁଆଁ ଭୋଗ ଲାଗି ପରମ୍ପରା ଭାବେ ରହି ଆସିଛି କାହିଁ କେତେ କାଳରୁ। ବିଭିନ୍ନ ମଠ, ମନ୍ଦିର ମାନଙ୍କ ରେ ଆରମ୍ଭ ହୋଇଥିବା ପହିଲି ଭୋଗ ନୀତି ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି କହିଛନ୍ତି ତୁଳସୀପୁର ମା କନକ ଦୂର୍ଗା ମନ୍ଦିର ର ପୂଜକ ପୂର୍ଣ୍ଣ ଚନ୍ଦ୍ର ପାଣି। ଧନୁ ସଂକ୍ରାନ୍ତି ପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର ହୋଇଉଠିଛି।


