ନାଉଗାଁ ବ୍ଳକରେ ଜୟ ଜଗନ୍ନାଥ ଅର୍ପଣ ରଥର ପରିକ୍ରମା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଆସନ୍ତା ଜାନୁଆରୀ ୧୭ ତାରିଖରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରାଯିବ ।ଏହି ଲୋକାର୍ପଣ ଉତ୍ସବ ପୂର୍ବରୁ ପ୍ରତ୍ୟେକ ଓଡିଆଙ୍କ ଘରୁ ଗୁଆ,ଚାଉଳ ସଂଗ୍ରହର ବ୍ୟବସ୍ଥା କରାଯାଇଛି । ସଂଗ୍ରହ ପାଇଁ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରାଯାଉଛି । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ କାର୍ଯ୍ୟାଳୟ ପରିସରରେ ରବିବାର ଜୟ ଜଗନ୍ନାଥ ଅର୍ପଣ ରଥର ପରିକ୍ରମାର ଶୁଭ ଉଦ୍ଘାଟନ କରାଯାଇଛି । ବିଡିଓ ତପନ ମହାପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ମହାପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ପୂଜାର୍ଚ୍ଚନା କରିଥିଲେ । ପରେ ପତାକା ଦେଖାଇ ଉକ୍ତ ରଥକୁ ପରିକ୍ରମା ପାଇଁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଏବିଡିଓ ଦେବେନ୍ଦ୍ର ପ୍ରଧାନ,ଜିପିଇଓ ଦିନେଶ ରାୟ, ଡାବର ସମିତି ସଭ୍ୟ ସୁବଳ ବେହେରା, ଘୋଡାଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ, ବଛାଳୋ ସମିତି ସଭ୍ୟ ଚନ୍ଦନ ଲେଙ୍କାଙ୍କ ସମେତ ବ୍ଳକର ବିଭିନ୍ନ ଅଧିକାରୀ, କର୍ମଚାରୀ ପ୍ରତି ପଂଚାୟତର ବିଭିନ୍ନ ସ୍ୱୟଂ ସହାୟୀକା ଦଳର ମହିଳାମାନେ ଯୋଗ ଦେଇଥିଲେ । ଜୟ ଜଗନ୍ନାଥ ଧ୍ୱନୀ, ନାମ ସଂକୀର୍ତନ,ହୁଳହୁଳି ଧ୍ୱନୀରେ ୪ଟି ରଥ ବିଭିନ୍ନ ଗ୍ରାମକୁ ପରିକ୍ରମା ପାଇଁ ବାହାରିଥିଲା । ପ୍ରଥମ ରଥଟି ପଂଚାୟତ ସମିତି କାର୍ଯ୍ୟାଳୟରୁ ବାହାରି ଜାମୁଦଣ୍ଡା ଦେଇ ତିହୁଡା ଅଭିମୁଖେ ଯାଇଥିଲା । ନାମ ସଂକୀର୍ତନ କରାଯାଇ ବିଧାୟକଙ୍କ ସମେତ ମହିଳା ସ୍ୱୟଂ ସହାୟୀକା ଦଳର ମା,ଭଉଣୀ ଓ ଜଗନ୍ନାଥ ପ୍ରେମୀମାନେ ରଥକୁ ସାଦରରେ ତିହୁଡାସ୍ଥିତ ମା’ଜାଗୁଳାଇ ମନ୍ଦିର ପରିସରକୁ ପାଛୋଟି ନେଇଥିଲେ । ବିଡିଓ ତପନ ମହାପାତ୍ରଙ୍କ ସୂଚନା ମୁତାବକ ୭ ଓ ୮ ଜାନୁଆରୀରେ ଅଲଣା,ନାଉଗାଁ,ଡାବର ଓ ଗଳଦାରୀ, ୯ ଓ ୧୦ ଜାନୁଆରୀରେ ଜାମୁଗାଁ, କୋରୁଅ, ରୋହିଆ ଓ ତିରୁଣା,୧୧ ଓ ୧୨ ଜାନୁଆରୀରେ ବଛାଳୋ,ବାଂଶ,ଡେରିକି ଓ ଘୋଡାଂଶ,୧୩ ଓ ୧୪ ଜାନୁଆରୀରେ ଗଜରାଜପୁର, ନୂଆଗାଁ, ଓଷକଣା ଓ ଶିଖରରେ ରଥ ପରିକ୍ରମା କରି ଚାଉଳ,ଗୁଆ ସଂଗ୍ରହ କରିବେ । ରଥ ପରିକ୍ରମା ସମୟରେ ରଥ ନିକଟରେ ପଂଚାୟତର ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଆରଏସ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହିବେ ।


