ତପ୍ତପାଣି ଘାଟିରେ ବସ୍ ଓଲଟି ୧୬ ଗୁରୁତର ସୂଚନା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଦୁର୍ଘଟଣାର ହବ୍ ପାଲଟିଥିବା ତପ୍ତପାଣି ଘାଟିରେ ଗୁରୁବାର ୮,୩୦ ରାତିରେ ପୁଣିଥରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଥିବା ଜଣାପଡିଛି । ତେବେ ଖବର ପରିବେଷଣ ସୁଦ୍ଧା ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୬ ଜଣ ଗୁରୁତରଙ୍କ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ବେଳେ ଘଟଣାସ୍ଥଳରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି । ଅପରପକ୍ଷରେ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବା ମଧ୍ୟ ଆଶଙ୍କା । ଖବରନୁଯାୟୀ , ଗୁରୁବାର ଦିନ କୋରାପୁଟ ଜିଲ୍ଲାରୁ ଏକ ବସ୍ ୪୫ ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ଧରି ପୁରୀ ପରିକ୍ରମା ପ୍ରକଳ୍ପ ପାଇଁ ଯାଉଥିବା ସୂଚନା ମିଳିଥିବା ବେଳେ ବିଳମ୍ବିତ ସନ୍ଧ୍ୟାରେ ପାଟପୁର ଥାନା ତପ୍ତପାଣି ଘାଟି ନିକଟସ୍ଥ ପାଳୁଖୋଳା ଠାରେ ଚାଳକ ଜଣକ ଭାରସାମ୍ୟ ହରାଇବାରୁ ଘାଟିରେ ବସଟି ଓଲଟି ପଡିଥିଲା । ଘଟଣାସ୍ଥଳରେ ଆମ୍ବୁଲାନ୍ସ , ଅଗ୍ନିଶମ ବିଭାଗ କର୍ମଚାରୀ , ଦିଗପହଣ୍ଡି ପୋଲିସ , ପାଟପୁର ପୋଲିସ , ଦିଗପହଣ୍ଡି ଓ ସାନଖେମୁଣ୍ଡି ତହସିଲଦାର ଏବଂ ବ୍ଳକ ପ୍ରଶାସନ , ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ମାନଙ୍କୁ ଦୁର୍ଘଟଣା ଗ୍ରସ୍ତ ଗାଡିରୁ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ସେଥିମଧ୍ୟରୁ ପ୍ରାଥମିକ ଚିକିତ୍ସା ପରେ ବହୁ ଯାତ୍ରୀଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିପାରିଛି ।