ଶ୍ରମିକ ଓ କୃଷକମାନଙ୍କର କେନ୍ଦ୍ର ସରକାରଙ୍କ ବିରୋଧରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ
ବାଲେଶ୍ୱର, (ସରୋଜ ପଣ୍ଡା):କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଜାତୀୟ ଫେଡେରେସନ୍ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନ କ୍ରମେ କେନ୍ଦ୍ର ସରକାରଙ୍କ ବିରୋଧରେ ଶ୍ରମିକ ଓ କୃଷକମାନେ ବାଲେଶ୍ୱର ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କୃଷକ ନେତା ସୀତାଂଶୁ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସମାବେଶ ସଭାରେ କେନ୍ଦ୍ରରେ ମୋଦି ସରକାରଙ୍କ ଶ୍ରମିକ, କୃଷକ ବିରୋଧୀ ନୀତିକୁ ବକ୍ତାମାନେ ଦୃଢ଼ ସମାଲୋଚନା କରିଛନ୍ତି । ଦେଶର ଜନଗଣଙ୍କ ଭିତରେ ଧର୍ମ ଓ ଜାତି ଆଧାରରେ ବିଭକ୍ତ କରି କେନ୍ଦ୍ର ସରକାର ସଂବିଧାନ ପ୍ରଦତ୍ତ ଧର୍ମନିରପେକ୍ଷତାକୁ ହତ୍ୟା କରୁଥିବାର ସେମାନେ ଅଭିଯୋଗ କରିଥିଲେ । ଜନଗଣଙ୍କୁ ମୌଳିକ ସମସ୍ୟା ଠାରୁ ଦୂରେଇ ନେବାକୁ ଏହି କୌଶଳ ଅବଲମ୍ବନ କରାଯାଉଛି । ଦରଦାମ୍ ଓ ବେକାରୀ ବୃଦ୍ଧିର ସରକାର ପ୍ରତିକାର କରିପାରୁନାହାନ୍ତି । ଇଲେକ୍ଟୋରାଲ୍ ବଣ୍ଡ୍ ବ୍ୟବସ୍ଥାରେ ଗତ ୨୦୧୯ ମସିହାଠାରୁ ବିଜେପି ଦଳ କର୍ପୋରେଟ୍ ହାଉସମାନଙ୍କ ଠାରୁ ଗୁପ୍ତଭାବେ ନେଇଥିବା କୋଟିକୋଟି ଟଙ୍କାର ହିସାବ ସାଧାରଣରେ ପ୍ରକାଶ ପାଇଁ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ଓ ତାହାର ସମର୍ଥକ ରାଜନୈତିକ ଦଳର ପ୍ରାର୍ଥୀମାନଙ୍କୁ ଭୋଟ ନଦେବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ ।ଏହି ସମାବେଶରେ ମିଳିତ ମଞ୍ଚ ତଥା ଟିୟୁଏସିସିର ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ବିକ୍ଷୋଭକାରୀଙ୍କୁ ଅଭିନନ୍ଦନ ଜଣାଇ ଦେଶର ସମ୍ବିଧାନ ଓ ଧର୍ମନିରପେକ୍ଷତା ନୀତିର ସୁରକ୍ଷା ପାଇଁ ଶ୍ରମିକ କୃଷକ ଅଧିକ ସଂଗଠିତ ହେବାକୁ ଆହ୍ୱାନ ଦେଇଥିଲେ । ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଭାଗବତ ପ୍ରତିହାରୀ, ଈଷାଣୀ ଷଡ଼ଙ୍ଗୀ, ନିର୍ମଳ ନାୟକ, ଉମାକାନ୍ତ ଦାସ, ଜୟନ୍ତ ଦାସଙ୍କ ସମେତ କୃଷକ ସଂଗଠନ ଓ ଗଣସଂଗଠନରୁ ବେଣୁଧର ବାରିକ, ବିଧାନ ଚନ୍ଦ୍ର ରାୟ, ସୁରଜିତ୍ ପୋଥାଳ, ସେକ୍ ରହମତ ପ୍ରମୁଖ ବକ୍ତବ୍ୟ ଦେଇଥିଲେ । ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଜାତୀୟ କଂଗ୍ରେସର ଜିଲ୍ଲା ସଭାପତି ସଂଜିବ ଗିରି, ପ୍ରଜ୍ଞାପାରମିତା ବିଶ୍ୱାଳଙ୍କ ସମେତ ବାମପନ୍ଥୀ ଦଳମାନଙ୍କରୁ ଶିଶିର ହୁଇ, ଜତିନ୍ ପାତ୍ର, ତୃଣମୂଳ କଂଗ୍ରେସରୁ ନନ୍ଦନ ପାଲ୍, ଏଆଇଟିୟୁସିର ନେତା ରବୀନ୍ଦ୍ର ବେହେରା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ ପୁଞ୍ଜିପତି ତୋଷଣ ନୀତିର ଦୃଢ଼ ସମାଲୋଚନା କରିଥିଲେ । ବାଲେଶ୍ୱର ରେଳଷ୍ଟେସନ୍ ନିକଟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ ଫାଟକ ନିକଟରେ ପହଞ୍ôଚଥିଲା । ଏହି ଶୋଭାଯାତ୍ରା ଓ ସମାବେଶରେ ବିଭିନ୍ନ କଳକାରଖାନର ଶ୍ରମିକ, କର୍ମଚାରୀ, କୃଷକ, କୃଷି ଶ୍ରମିକ, ଅଙ୍ଗନୱାଡ଼ି, ପାଚିକା, ଆଶା, ଅସଂଗଠିତ ଶ୍ରମିକ, ପରିବହନ, ବିଦ୍ୟୁତ୍, ଉଠାଜଳ ସେଚନ, ଇପିଏଫ୍ ପେନ୍ସନ୍ ଭୋଗୀ, ବେକାର ଯୁବକ, ମହିଳା ସଂଗଠନ ପକ୍ଷରୁ ଶହଶହ କର୍ମୀ ଯୋଗ ଦେଇଥିଲେ । ଶୋଭାଯାତ୍ରା ଓ ବିକ୍ଷୋଭ ପରିଚାଳନାରେ ଶରତ ଚନ୍ଦ୍ର ଦଳାଇ, କେଶବ ନାୟକ, ଶ୍ୟାମ ସୁନ୍ଦର ଜେନା, ଆରତୀ ଦାସ ମହାପାତ୍ର, ଆଶୁତୋଷ ପରିଡ଼ା, ମାଳତୀ ପାତ୍ର, ପୁଷ୍ପିତା ବେହେରା, ଜୟସ୍ମିତା ଦାସ, ପ୍ରତିଭା ପାଲ, ତପନ ସିଟ୍, ସୁଷମା ପାତ୍ର, ଭରତ ସେଠୀ, ନିର୍ବାସିନି ପ୍ରଧାନ ଓ ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ । ବୀମା କର୍ମଚାରୀ ନେତା ଶ୍ୟାମସୁନ୍ଦର ଜେନା ଧନ୍ୟବାଦ ଦେଇଥିଲେ ।


