ରୋହିଆରେ ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାନାନ୍ତରିତ ପାଇଁ ଦାବି
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ରୋହିଆ ପଂଚାୟତର ରୋହିଆ ଗ୍ରାମରେ ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଉକ୍ତ ଟ୍ରାନ୍ସଫର୍ମରଟିକୁ ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେରୋହିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ ପୂର୍ତ ବିଭାଗ ଅଧିନ ନାଉଗାଁ-ଅରଖକୁଦ ରାସ୍ତା ପାଶ୍ୱର୍ରେ ଏହି ଟ୍ରାନ୍ସଫର୍ମରଟି ଅବସ୍ଥିତ । ଟ୍ରାନ୍ସଫର୍ମରଟି ଲୁହା ବିଦ୍ୟୁତ ଖୁଂଟରେ ରଖା ହୋଇଥିବା ବେଳେ ଉକ୍ତ ଖୁଂଟ କଳଙ୍କି ଲାଗି ଗଲାଣି । ସେହିପରି ଏହାର ଚତୁଃପାଶ୍ୱର୍ ଖୋଲା ରହିଥିବା ବେଳେ ଟ୍ରାନ୍ସଫର୍ମରଟି ରାସ୍ତାର ମାତ୍ର କେଇ ହାତ ଦୁରରେ ରହିଛି । ଏହି ରାସ୍ତା ଦେଇ ରୋହିଆ, ଅରଖକୁଦ, ଅନନ୍ତପୁରା ଆଦି ଗ୍ରାମର ଲୋକ ଯିବା ଆସିବା କରୁଥିବା ବେଳେ ଛୋଟ ପିଲାମାନେ ମଧ୍ୟ ଏହି ବାଟ ଦେଇ ବିଦ୍ୟାଳୟକୁ ଯାଇଥାନ୍ତି । ସେହିପରି ଗ୍ରାମରେ ଥିବା ଗୃହପାଳିତ ପଶୁ ରାସ୍ତା ପାଶ୍ୱର୍ରେ ଚରିଥାନ୍ତି । ଯଦି ଅସାବଧାନତା ବଶତଃ କୌଣସି ପିଲା କିମ୍ବା ଗୃହପାଳିତ ପଶୁ ଉକ୍ତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିବେ ତେବେ ତାଙ୍କ ଜିବନ ପ୍ରତି ବିପଦ ରହିଥିବା ଜଣାଯାଇଛି । ଅପରପକ୍ଷେ ପୂର୍ତ ବିଭାଗ ଅଧିନସ୍ଥ ନାଉଗାଁ-ଅରଖକକୁଦ ରାସ୍ତାଟି ବର୍ତମାନ ବିଭାଗ ଦ୍ୱାରା ସଂପ୍ରସାରଣ କାର୍ଯ୍ୟ ଚାଲୁ ରହିଛି । ରାସ୍ତା ସଂପ୍ରସାରଣ ଓ ପୁନଃ ମରାମତି ହେଲେ ରାସ୍ତାଟି ଉଚ୍ଚ ହେବା ସହ ଚଉଡା ମଧ୍ୟ ହେବ । ରାସ୍ତା ଚଉଡା ହେଲେ ଉକ୍ତ ଟ୍ରାନ୍ସଫର୍ମରଟି ରାସ୍ତା ମଧ୍ୟରେ ରହିବ । ଯାହାକି ଯାନବାହନ ଚଳାଚଳରେ ବାଧା ସୃଷ୍ଟି କରିବ । ତେଣୁ ଜନଜୀବନ ହାନି ହେବା ପୂର୍ବରୁ ଉକ୍ତ ଟ୍ରାନ୍ସଫର୍ମରଟିକୁ ସ୍ଥାନାନ୍ତର କରିବାକୁ ସ୍ଥାନୀୟ ସରପଂଚ ହେମାମାଳିନୀ ମହାନ୍ତି, ସମାଜସେବୀ କମଳଲୋଚନ ମହାନ୍ତି, ପଦ୍ମଚରଣ ରାଉତ, କୃତିବାସ ରାଉତଙ୍କ ସମେତ ଗ୍ରାମବାସିନ୍ଦା ଦାବି କରିଛନ୍ତି । ଏସଂପର୍କରେ ଟାଟା ପାୱାରର ଲିଡ ମ୍ୟାନେଜର ଦୀପକ ଭୂଇଙ୍କୁ ପଚାରିବାରେ-ଟ୍ରାନ୍ସଫର୍ମରଟିକୁ ଅନୁଧ୍ୟାନ କଲା ପରେ ଯାହା ପଦକ୍ଷେପ ନିଆଯିବ ବୋଲି କହିଥିଲେ ।