ବାଲେଶ୍ୱର ପୌର ପରିଷଦର ବିକାଶ ସମ୍ପର୍କୀତ ସମୀକ୍ଷା ବୈଠକ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟର ସର୍ବପୁରାତନ ପୌରପାଳିକା ମଧ୍ୟରୁ ଅନ୍ୟତମ ବାଲେଶ୍ୱରରେ ବିକାଶ, ଆଉ ଏକ ପାଦ ଆଗକୁ ଯିବ । ଗତିଶୀଳ ହେବ ସମସ୍ତ ଜନକଲ୍ୟାଣ ପ୍ରକଳ୍ପ । ପୌରାଂଚଳକୁ ଅଧିକ କ୍ଷମତା ସମ୍ପନ୍ନ ସହ ମହାନଗର ନିଗମରେ ରୁପାନ୍ତରିତ ପାଇଁ ସମସ୍ତଙ୍କ ସହଯୋଗରେ ପ୍ରୟାସ ଆରମ୍ଭ ହେବ ବୋଲି ବାଲେଶ୍ୱର ପୌର ପରିଷଦ ପକ୍ଷରୁ ଆୟୋଜିତ ଏକ ସମୀକ୍ଷା ବୈଠକରେ ସଦର ବିଧାୟକ ମାନସ କୁମାର ଦତ୍ତ ମତ ପ୍ରକାଶ କରିଛନ୍ତି । ସମ୍ପ୍ରତି ପୌରପାଳିକା ପକ୍ଷରୁ ସହରାଂଚଳରେ ଚାଲିଥିବା ଦେଢ ଶହରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଅଗ୍ରଗତି ଓ ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଏହି ବୈଠକରେ ଶ୍ରୀ ଦତ୍ତ ସମୀକ୍ଷା କରିଥିଲେ । ମୁକ୍ତା ଯୋଜନା ଭଳି ଆଧାରଭୂତ ବ୍ୟବସ୍ଥା ମାଧ୍ୟମରେ ସହରାଂଚଳର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ଶ୍ରୀ ଦତ୍ତ ଗୁରୁତ୍ୱ ଦେଇଥିଲେ । ସହର ପରିଧି ଅଂଚଳର ସାମଗ୍ରିକ ବିକାଶ ପାଇଁ ଆବଶ୍ୟକୀୟ ପରିବର୍ତ୍ତିତ ଓ ନୂତନତ୍ୱ କାର୍ଯ୍ୟଶୈଳୀ ସମ୍ପର୍କରେ ସେ ଆଲୋଚନା କରିଥିଲେ ।ପୌରାଧ୍ୟକ୍ଷା ସବିତା ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ଅରବିନ୍ଦ ରାଜଶିରକେ, ଭାରତୀୟ ପ୍ରଶାସନିକ ସେବା ପରିବୀକ୍ଷାଧିନ ଅଭଷେକ ଡୁଡୁଲ ପ୍ରମୁଖ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ । ବିଶେଷ କରି ପୌରପାଳିକାର ସମସ୍ତ କାର୍ଯ୍ୟ ଓ ସେବାକୁ ଅଧିକ ଜନାଦୃତ କରିବା ଉପରେ ବୈଠକରେ ମତପ୍ରକାଶ ପାଇଥିଲା । ରାସ୍ତା ପାର୍ଶ୍ୱର ନାଳ ଓ ମହାନାଳର ସଫେଇ ସହ ଉଦବୃତ ବର୍ଷାଜଳ ନିଷ୍କାସନର ସୁବ୍ୟବସ୍ଥା, ଚୁନଭାଟି ସ୍ଥିତ ଡମ୍ପିଂ ୟାର୍ଡରେ ବର୍ଜ୍ୟବସ୍ତୁ ପରିଚାଳନା, ଏଲଇଡି ଷ୍ଟ୍ରିଟ୍ ଲାଇଟ ମରାମତି ସହ ନୂତନ ଲାଇଟ ଲଗାଯିବା, ଭୂମି ଅଧିକାରପ୍ରାପ୍ତ ବସ୍ତି ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ, ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ବାସପଯୋଗୀ ଜମି ଆବଂଟନ, ଆଦର୍ଶ ବସ୍ତି ଯୋଜନା, ସ୍ୱଚ୍ଛ ଭାରତ ମିଶନ, ଉଠା ଦୋକାନୀଙ୍କ ପାଇଁ ଋଣ ଯୋଜନା, ପୌରାଂଚଳରେ ନବନିର୍ମିତ ଶୌଚାଳୟ ପରିଚାଳନା ପ୍ରଭୃତି ବିଷୟ ଉପରେ ବୈଠକରେ ଆଲୋଚନା କରାଯାଇଥିଲା ।ସହରାଂଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ତ୍ୱରାନ୍ୱିତ ସହ ୱାର୍ଡସ୍ତରରେ ସର୍ଭେ ମାଧ୍ୟମରେ ଅଧିକରୁ ଅଧିକ ହିତାଧିକାରୀ ଚୟନ ପାଇଁ ବିଧାୟକ ଶ୍ରୀ ଦତ୍ତ ଦାୟିତ୍ୱରେ ଥିବା ପୌର ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହା ସହିତ ବହୁତଳ କୋଠା ନିର୍ମାଣ ଦ୍ୱାରା ବସ୍ତିବାସିନ୍ଦାଙ୍କୁ ଥଇଥାନ ପାଇଁ ଅନ୍ୟ ସହରରେ ଆପଣା ଯାଉଥିବା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ ପାଇଁ ସେ କହିଥିଲେ । ସହରବାସୀଙ୍କ ମନୋରଞ୍ଜନ ପାଇଁ ମୌଳିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ପାର୍କ ନିର୍ମାଣକୁ ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ । ସେହିପରି ସହରର ଜନବସତି ମଧ୍ୟରେ କାର୍ଯ୍ୟରତ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରଗୁଡିକୁ ପ୍ରଦ୍ୟୁଷଣମୁକ୍ତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଶ୍ରୀ ଦତ୍ତ ନିର୍ଦ୍ଦେଶ ଦେଇଥିଲେ । ପୌରପାଳିକା ନିକଟରେ ୬୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଗଚ୍ଛିତ ଥିବା ବେଳେ ନୂତନ ଜନକଲ୍ୟାଣକାରୀ ପ୍ରକଳ୍ପ ପାଇଁ ଏକାଧିକ ସମ୍ଭାବନା ରହିଛି । ତେଣୁ ପୌରାଂଚଳରେ ନିର୍ମାଣଧିନ ପ୍ରକଳ୍ପଗୁଡିକୁ ସମୟସୀମା ମଧ୍ୟରେ ସାରିବାକୁ ସେ କହିଥିଲେ । ତେବେ ପୌରପାଳିକା ଅଧିନରେ ଥିବା ସମ୍ପତ୍ତିର ସଠିକ ତାଲିକା ନଥିବା ଜାଣି କ୍ଷୋଭ ପ୍ରକାଶ ସହ ମାସକ ମଧ୍ୟରେ ବିସ୍ତୃତ ତାଲିକା ପ୍ରସ୍ତୁତ ପାଇଁ ଶ୍ରୀ ଦତ୍ତ ନିର୍ଦ୍ଦେଶ ଦେଇଥିଲେ । ଉଠା ଦୋକାନୀଙ୍କ ସମସ୍ୟା ନିରାକରଣ ପାଇଁ ଟାଉନ ଭେଣ୍ଡିଂ ଗଠନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟପକ୍ଷରେ ପୌରପାଳିକାର ସମସ୍ତ ସେବାକୁ ଲୋକାଭିମୁଖୀ କରିବା ପାଇଁ କର୍ମଚାରୀଙ୍କ ବ୍ୟବହାରରେ ପରିବର୍ତ୍ତନ ଆବଶ୍ୟକ । ଏଥି ନିମନ୍ତେ ଆବଶ୍ୟକତା ଅନୁସାରେ କର୍ମଚାରୀ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ବିଭାଗକୁ ନିବେଦନ କରାଯିବ । ପ୍ରତ୍ୟେକ କର୍ମଚାରୀ ନିଜସ୍ୱ ଦାୟିତ୍ୱକୁ ନିଷ୍ଠାର ପାଳନ ସହ ଉତ୍ତରଦାୟୀ ରହିବା ଉଚିତ । ପାରଦର୍ଶୀ ସରକାରରେ ସ୍ୱଚ୍ଛ ପ୍ରଶାସନିକ କାର୍ଯ୍ୟଶୈଳୀ ପାଇଁ ଶ୍ରୀ ଦତ୍ତ ସମସ୍ତଙ୍କୁ ତାଗିଦ କରିଥିଲେ । ପୌରପାଳିକା ସମେତ ବିଭିନ୍ନ ଲାଇନ ଡିପାର୍ଟମେଂଟର ଅଧିକାରୀ ଓ କର୍ମଚାରୀମାନେ ଏହି ବୈଠକରେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌର ପରିଷଦର କାଉନସିଲର ସତ୍ୟଶିବ ସୁନ୍ଦର ଦାସ, ନିତ୍ୟଗୋପାଲ ସିଂ, ସସ୍ମିତା ନାଥ, ରୋଜାଲିନ ପାଣି, ନିରୂପମା ଦାଶ, ଭାରତୀ ପାତ୍ର, ଗୌରୀ ଦାଶ ପ୍ରମୁଖଙ୍କ ସହ ବିଭିନ୍ନ ୱାର୍ଡସ୍ତରୀୟ ପ୍ରତିନିଧି ଭାବେ ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ଚିତ୍ତରଞ୍ଜନ ପଣ୍ଡା, ଗଙ୍ଗାଧର ରାଉତ, ସୀତାକାନ୍ତ ସ୍ୱାଇଁ, ଉପେନ୍ଦ୍ର ଶତପଥୀ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ଜୟ ପ୍ରକାଶ ଦାଶ, ରାଜେନ୍ଦ୍ର ଚାଟାର୍ଜୀ, ଯୋଗେନ ରଣା, ମନୋରଞ୍ଜନ ନନ୍ଦି, ଧିରଜ ମହାନ୍ତି, ଶ୍ରୀୟା ଦାସ, ସବିତା ପାଣିଗ୍ରାହୀ, ବିଜୟ ପୃଷ୍ଟି, ଉମେଶ ବେହେରା, ପ୍ରଶାନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


