କେନ୍ଦ୍ରାପଡା ବ୍ଲକରେ ବ୍ୟାପକ ଦୁର୍ନୀତି ନେଇ ଦୁର୍ନୀତି ନିବାରଣ ମହାନିର୍ଦ୍ଦେଶକଙ୍କୁ ଅଭିଯୋଗ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ବ୍ଲକରେ ବ୍ୟାପକ ଦୁର୍ନୀତି ଓ ଜାଲିଆତି ହୋଇଥିବା ନେଇ ରାଜ୍ୟ ଦୁର୍ନୀତି ନିବାରଣ ମହାନିର୍ଦ୍ଦେଶକଙ୍କୁ ଅଭିଯୋଗ କରାଯାଇଛି । ଏହି ଅଭିଯୋଗରେ ଦର୍ଶାଯାଇଛି ଯେ ୫-ଟି ଯୋଜନାରେ ବିଦ୍ୟାଳୟଗୁଡିକର ନବୀକରଣ ବେଳେ କିଣାଯାଇଥିବା କୋଟି କୋଟି ଟଙ୍କାର ଆସବାବପତ୍ରରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଛି । ମଣ୍ଡଳ ଉନ୍ନୟନ ଅଧିକାରୀ ଓଡିଶା ସରକାରୀ କର୍ମଚାରୀ କଣ୍ଡକ୍ଟ ରୁଲ-୧୯୫୯କୁ ଉଲ୍ଲଙ୍ଘନ କରି ସ୍ୱାମୀଙ୍କୁ ବିଭିନ୍ନ ଆସବାବପତ୍ର କିଣିବା ପାଇଁ ଅଲିଖିତ ଠିକା ଦେଇ କୋଟି କୋଟି ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବିଡିଓ ବହୁ ପରିମାଣର ପିସି ନେଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ଗୁଡିକରେ ଲାଗିଥିବା ଥଣ୍ଡା ପାନୀୟ ଜଳ ମେସିନ ଗୁଡିକୁ କିଣିବା ପାଇଁ ଟେଣ୍ଡର କରାନଯାଇ ବିଡିଓ ତାଙ୍କ ସ୍ୱାମୀଙ୍କୁ ଠିକା ଦେଇ ସେଗୁଡିକ କ୍ରୟ କରିଥିଲେ । ତେଣୁ ଏଥିରେ ମଧ୍ୟ ବହୁ ଲକ୍ଷ ଟଙ୍କାର ଅନିୟମିତତା ହୋଇଛି । ଏହାବ୍ୟତିତ ବିଡିଓ ଯେଉଁ ଚାରି ଚକିଆ ଗାଡିଟି ଚଢୁଛନ୍ତି ସେଥିପାଇଁ ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ଅନିୟମିତତା ହୋଇଛି । ବିଡିଓ କେନ୍ଦ୍ରାପଡ଼ାରେ ରହିବା ପରିବର୍ତ୍ତେ ପ୍ରତିଦିନ କଟକ ଓ ଭୁବନେଶ୍ୱରରୁ ଯିବା ଆସିବା କରୁଛନ୍ତି । ଜିଲ୍ଲାପାଳ ଜିଲ୍ଲା ମୁଖ୍ୟାଳୟରେ ରହୁଥିବା ବେଳେ ବିଡିଓ କିଭଳି ବ୍ଲକ ମୁଖ୍ୟାଳୟରେ ରହୁନାହାଁନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟିକରିଛି । ବ୍ଲକ ମୁଖ୍ୟାଳୟରୁ କାର୍ଯ୍ୟାଳୟକୁ ଯିବା ଆସିବା ପାଇଁ ସରକାର ଗାଡି ବ୍ୟବସ୍ଥା କରିଛନ୍ତି । କିନ୍ତୁ ବିଡିଓ ପ୍ରତ୍ୟେହ କଟକ କିମ୍ବା ଭୁବନେଶ୍ୱର ପଳାଇ ଯାଉଛନ୍ତି । ଏ ନେଇ ଯେଉଁ ତେଲ ଖର୍ଚ୍ଚ ହେଉଛି ତାହା ବିଡିଓ କେଉଁଠୁ ଆଣୁଛନ୍ତି । ସରକାର ଦେଇଥିବା ଗାଡିଟି କେବଳ ସରକାରୀ କାର୍ଯ୍ୟ ପାଇଁ ବ୍ୟବହାର ହୋଇ ପାରିବ । କିନ୍ତୁ ବିଡିଓ ସେଥିରେ ଅନିୟମିତତା କରିଥିବା ନେଇ ଅଭିଯୋଗ ହୋଇଛି । କଂସାର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ଜେନା ଏସମ୍ପର୍କରେ ଅଭିଯୋଗ କରିଛନ୍ତି । ସେ ତାଙ୍କ ଅଭିଯୋଗରେ ଆହୁରି ଦର୍ଶାଇଛନ୍ତି ଯେ ବିଡିଓ ଗୋଚର ଜମି ଓ ଶ୍ମଶାନ ଜମିରେ ହେଉଥିବା ବିଭିନ୍ନ ପ୍ରକଳ୍ପର ତଦନ୍ତ ନକରି ବିଲ ପାସ କରାଇ ଦେଇ ନିଜ ପକେଟ ଗରମ କରୁଛନ୍ତି । ଦୁର୍ନୀତି ନିବାରଣ ମହାନିର୍ଦ୍ଦେଶକ ଏହାର ତଦନ୍ତ କଲେ ବହୁ ଅନିୟମିତତା ଲୋକଲୋଚନକୁ ଆସିପାରିବ ବୋଲି ଶ୍ରୀ ଜେନା ଅଭିଯୋଗରେ ଦର୍ଶାଇଛନ୍ତି । ଏ ସମ୍ପର୍କରେ କେନ୍ଦ୍ରାପଡା ବିଡିଓଙ୍କ ସହ ଯୋଗାଯୋଗ କରାଯାଇଥିଲେ ବି ସେ କୈାଣସି ଉତ୍ତର ଦେବାକୁ ମନା କରିଦେଇଛନ୍ତି । ଜିଲାପାଳ ସୂର୍ଯ୍ୟବଂଶୀ ମୟୁରବିକାଶଙ୍କୁ ଏସମ୍ପର୍କରେ ପଚାରିବାରେ ସେ କହିଥିଲେ ଯେ ତାଙ୍କ ନିକଟରେ ଅଭିଯୋଗ ହୋଇଥିଲେ ସେ ତଦନ୍ତ କରିଥାନ୍ତେ କିମ୍ବା ଉଚ୍ଚ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥାନ୍ତେ । କିନ୍ତୁ ଅଭିଯୋଗ ଦୁର୍ନୀତି ନିବାରଣ ମହାନିର୍ଦ୍ଦେଶକଙ୍କୁ କରାଯାଇଥିବାରୁ ଦୁର୍ନୀତି ନିବାରଣ ବିଭାଗ ଏହାର ତଦନ୍ତ କରିବେ ବୋଲି ସେ କହିଛନ୍ତି ।


