ଘରେ ଘରେ ପ୍ରସ୍ତୁତ ହେଲା ଚିତଉ ପିଠା
ନିମାପଡ଼ା,(ସନ୍ତୋଷ ଦାଶ): ପବିତ୍ର ଶ୍ରାବଣ ମାସର ଅମାବାସ୍ୟା ତିଥି। ପାରମ୍ପରିକ ପ୍ରଥାନୁସାରେ ପୁରୀ ଜିଲ୍ଲା ଗ୍ରାମାଞ୍ଚଳର ସମସ୍ତ ଗାଁର ଘରେ ଘରେ ଚିତଉ ପିଠା ପ୍ରସ୍ତୁତ କରାଯାଇ ବୃନ୍ଦାବତୀ (ଚଉରା) ଗ୍ରାମ ଦେବତୀ, ଗ୍ରାମରେ ପୂଜା ପାଉଥିବା ଦେବ ଦେବୀଙ୍କ ନିକଟରେ ଭୋଗ ଲାଗି କରାଯାଇ ଥିଲା। କିଛି ଚିତଉ ପିଠାକୁ କୁନି କୁନି ପିଲା ମାନେ ଧାନ ବିଲ, ପୋଖରୀକୁ ନେଇ ଗେଣ୍ଡା (ଗେଣ୍ଡେଇଶୁଣି)ଙ୍କ ଉଦ୍ଦେଶ୍ୟରେ ପକାଇଥିଲେ ଆଉ କହିଥିଲେ ହେ ଗେଣ୍ଡେଇଶୁଣି ପିଠା ଭୋଗ ଖାଅ, ମୋ ବାପା, ଦାଦା, ଭାଇଙ୍କ ଗୋଡ଼କୁ ପାଣି ଭିତରେ କାଟିବ ନାହିଁ। ବିଶ୍ୱାସ ରହିଛି ଆଜି ଦିନରେ ଗେଣ୍ଡେଇଶୁଣିଙ୍କୁ ଚିତଉ ପିଠା ଭୋଗ ଲାଗି କଲେ ବର୍ଷା ଋତୁରେ ଗେଣ୍ଡା ମାନେ ଚାଷ କାର୍ଯ୍ୟ କରୁଥିବା ସମୟରେ ଚାଷୀଙ୍କ ଗୋଡ଼, ହାତ ଆଉ କାଟନ୍ତି ନାହିଁ। ପୁରୀ ଜିଲ୍ଲା ଅଞ୍ଚଳ ଏକ ଚାଷ ବହୁଳ ଅଞ୍ଚଳ ହୋଇଥିବାରୁ ଗାଁ ଗାଁରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଥିଲା ଚିତାଲାଗି ଅମାବାସ୍ୟା।


