ବର୍ଷା ଜଳରେ ଉବୁଡୁବୁ ଖଇରିମରା ଗାଁ ରାସ୍ତା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ପନ୍ଦାଡୋ ପଞ୍ଚାୟତ ଖଇରିମରା ଗ୍ରାମର ପିଡ଼ବ୍ଲ୍ୟୁଡ଼ି ରାସ୍ତା ଠାରୁ ୭ନଂ ୱାର୍ଡ଼ ନାୟକ ସାହିକୁ ଯାଇଥିବା କଂକ୍ରିଟି ରାସ୍ତାଟି ଜଳମଗ୍ନ ହୋଇଥିବା ଦେଖାଯାଇଛି। ଗ୍ରାମବାସୀଙ୍କ ସୂଚନା ଅନୁସାରେ, ପୂର୍ବରୁ ପିଡ଼ବ୍ଲ୍ୟୁଡ଼ି ରାସ୍ତା ଅପେକ୍ଷା ଗାଁ ଭିତରର ରାସ୍ତାଟି ଉଚ୍ଚ ଥିଲା ତା’ସହ ରାସ୍ତାର ଗୋଟିଏ ପାର୍ଶ୍ୱରେ ଏକ ଜଳାଶୟ ଏବଂ ଅନ୍ୟ ପାର୍ଶ୍ୱରେ ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନ ସୁବିଧା ମଧ୍ୟ ଥିଲା। କାଳକ୍ରମେ ପିଡ଼ବ୍ଲ୍ୟୁଡ଼ି ରାସ୍ତା ଉଚ୍ଚା ହୋଇଥିଲା ବେଳେ ଉକ୍ତ ଗାଁ ରାସ୍ତାରେ ଥିବା ଜଳାଶୟ ଏବଂ ଡ୍ରେନ ପୋତି ହୋଇ ଯାଇଥିଲା। ଏବେ ସାମାନ୍ୟ ବର୍ଷାହେବା ମାତ୍ରକେ ରାସ୍ତାଟି ଜଳମଗ୍ନ ହୋଇଯାଉଛି । ଫଳରେ ଲୋକମାନେ ଯା’ଆସ କରିବାରେ ନାନା ସମସ୍ୟା ଭୋଗୁଛନ୍ତି। ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ରହୁଥିବାରୁ ବିଷଧର ସରୀସୃପ ଭୟ ଲାଗି ରହୁଥିବାରୁ ସ୍କୁଲ ଯିବା ଆସିବାକୁ ଛାତ୍ରଛାତ୍ରୀ ମାନେ ଯିବାକୁ ଭୟ କରୁଛନ୍ତି। କୁନି କୁନି ପିଲାମାନଙ୍କୁ ତାଙ୍କ ମାଆ-ବାପା ଟେକି ଟେକି ଜଳମଗ୍ନ ରାସ୍ତା ପାରି କରୁଛନ୍ତି। ସାହି ଲୋକେ ସଉଦାପାତି ଆଣିବା ପାଇଁ ହାଟ ବଜାରକୁ ଯାଇପାରୁ ନଥିବା ବେଳେ ପିଲାମାନେ ସକାଳ ଟିଉସନ ଛଡ଼ା ରାତିବେଳା ଟିଉସନକୁ ମଧ୍ୟ ଯାଇପାରୁ ନାହାଁନ୍ତି। ଫଳରେ ସେମାନଙ୍କ ପାଠପଢ଼ାରେ ନାନା ବ୍ୟାଘାତ ଘଟୁଛି। ତୁରନ୍ତ ଏହି ରାସ୍ତାର ନବୀକରଣ ସହ ସ୍ଥାନେ ସ୍ଥାନେ ମରାମତି କରିବା ସହ ବର୍ଷାଦିନେ ଜଳ ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ କରିବାକୁ ଗ୍ରାମର କନକଲତା ନାୟକ, ସରସ୍ବତୀ ତ୍ରିପାଠୀ, ପ୍ରେମଲତା ମହାନ୍ତି, ରଶ୍ମିତା ନାୟକ, କ୍ଷେତ୍ରବାସୀ ନାୟକ, ପଦ୍ମବତୀ ନାୟକ, ସତ୍ୟଭାମା ନାୟକ, ଦେବିସ୍ମିତା ନାୟକ ପ୍ରମୁଖଙ୍କ ସହ ଅନ୍ୟମାନେ ଦାବି କରିଛନ୍ତି।


