ନୌବାଣିଜ୍ୟ ପରମ୍ପରାକୁ ବଜାୟ ରଖିବାକୁ ପ୍ରୟାସ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକର ସାହୁସାହି ଓ ଚାନ୍ଦବାଲି ବ୍ଲକର ସୁନ୍ଦରପୁର ର ମିଳନ ସ୍ଥଳରେ ରହିଛି ରଘୁବର ଦାସ ମଠ । ଏହି ମଠରେ ବିରାଜମାନ କରିଛନ୍ତି ପ୍ରଭୁ ଜଗନ୍ନାଥ, ବଳଭଦ୍ ଓ ମାତା ସୁଭଦ୍ରା । ଏଠାରେ ୮ ଦିନ ଧରି କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ମହା ସମାରୋହରେ ପାଳିତ ହୋଇଛି । ପ୍ରଥମ ଦୁଇ ଦିନ ସ୍ଥାନୀୟ ଅଞ୍ଚଳର ପ୍ରାୟ ୪୦ ଟି ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରୀୟ ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅନ୍ୟ ସଂଧ୍ୟାରେ ରାଜ୍ୟର ବହୁ ନାମିଦାମୀ କଳାକାରଙ୍କୁ ନେଇ ଭଜନ ପରିବେଷଣ ସହ ଅନ୍ୟାନ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମଧ୍ୟ ସଙ୍ଗଠିତ ହୋଇଥିଲା । ଅନ୍ତିମ ଦିବସର ପ୍ରାତଃ ୭ ଟାରେ ପ୍ରାଚୀନ ନୌ ବାଣିଜ୍ୟ ପରମ୍ପରାକୁ ବଜାୟ ରଖିବା ପାଇଁ ପୂଣ୍ୟତୋୟା ବୈତରଣୀ ନଦୀରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ରଘୁବର ଦାସ ମଠ କମିଟି । ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ବିଜେଡି ନେତା ଡା. ସଞ୍ଜୟ ଦାସ । ତାଙ୍କ ସହ ଉପସ୍ଥିତ ଥିଲେ ଧାମନଗର ପଞ୍ଚାୟତ ସମିତିର ଚେୟାରମ୍ୟାନ ଅଶୋକ ନାୟକ, ପାଳସାହି ପଞ୍ଚାୟତର ପୂର୍ବତନ ସରପଞ୍ଚ୍ ସୁଶାନ୍ତ ନାୟକ, ଅନୀଲ ଦାସ ଓ ଧାମନଗର ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ବେହେରା । ପ୍ରାରମ୍ଭରେ ସାତ ସାଧବାଣୀ ବେଶରେ ସ୍ଥାନୀୟ ଅଞ୍ଚଳର ରମଣୀ ମାନେ ନିଜ ସ୍ବାମୀ ଯେଉଁମାନେ ସାତ ସାଧବ ସାଜିଥିଲେ ସେମାନଙ୍କୁ ଚନ୍ଦନ ସିନ୍ଦୁର ପିନ୍ଧାଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ବନ୍ଦାପନା କରିଥିଲେ । ପରେ ସାତ ସାଧବ ମାନେ ସୁସଜ୍ଜିତ ବୋଇତରେ ପଦାର୍ପଣ କରିଥିଲେ । ଉପସ୍ଥିତ ଶ୍ରଦ୍ଧାଳୁଙ୍କ ଶଙ୍ଖ ହୁଳହୁଳି ଧ୍ବନି ସହ ଢୋଲ ଓ ମହୁରୀର ତାଳେତାଳେ ବୋଇତଟି ଅଗ୍ରସର ହୋଇଥିଲା । ବୋଇତ ବନ୍ଦାଣ ମହୋତ୍ସବ ସୁଚାରୁ ରପରେ ସମ୍ପାଦିତ ହୋଇଥିବାରୁ କମିଟିର ସଭାପତି, ସମ୍ପାଦକ ଓ ସଦସ୍ୟ ମାନେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ