ଖଣ୍ଡପଡ଼ା ବିଜେପିରେ ଦୁର୍ବଳ ସଂଗଠନ
ଭାପୁର (ଯୁଗାଦ୍ଧ ନ୍ୟୁଜ): ବିଜେପିରେ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଦେଓ ଯୋଗ ଦେବା ଏବଂ ଦଶପଲ୍ଲାରୁ ପୂର୍ବତନ ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ବିଜେପିରୁ ପ୍ରାର୍ଥୀହେବା ଘଟଣା ଜିଲ୍ଲା ବିଜେପିର ପାଣିପାଗ ପରିବର୍ତ୍ତନ କରିଛି । ସେହିପରି ରଣପୁରରୁ ସୁରମା ପାଢ଼ୀ ଏବଂ ଖଣ୍ଡପଡ଼ାରୁ ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ବିଜେଡିର ପୁରୁଣା ସଂଗଠକମାନେ ବିଜେପିରେ ଯୋଗ ଦେବାପରେ ବିଜେପି କର୍ମୀ ମହଲାରେ ଉତ୍ସାହ ଦେଖାଦେବାସହ ବହୁଦିନରୁ କ୍ଷମତାରେ ଥିବା ଦଳକୁ ପରିବର୍ତ୍ତନ କରିବାକୁ ପ୍ରାର୍ଥୀମାନେ ଅଣ୍ଟା ଭିଡିଛନ୍ତି । କିନ୍ତୁ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଏଥିରୁ କୌଣସି ଉତ୍ସାହ ଦେଖିବାକୁ ମିଳୁନାହିଁ । ଏହାର କାରଣ ନେତାମାନଙ୍କ ମଧ୍ୟରେ ସମନ୍ୱୟ ଏବଂ ବୁଝାମଣାର ଅଭାବ । ଏହି ନିର୍ବାଚନ ମଣ୍ଡଳୀରୁ ବିଜେପିରୁ ଅନେକ ସଂଗଠକଙ୍କ ମଧ୍ୟରେ ନାରୀନେତ୍ରୀ ଇଂ ଅର୍ଚ୍ଚନା ଦାସ, କ୍ୟାପ୍ଟେନ୍ ଶିବପ୍ରସାଦ, ପ୍ରକାଶ ପୃଷ୍ଟି, ଆଶାୟୀ ପ୍ରାର୍ଥୀଙ୍କ ବ୍ୟତୀତ ସିଦ୍ଧାର୍ଥ ସିଂଙକ୍ୁ ମିଳିଛି ଟିକେଟ । ସମାନ୍ତରାଳ ସଂଗଠନ କରିବାସହ ଦଳୀୟ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ ରଖିଥିବା ଅର୍ଚ୍ଚନାଙ୍କ ସମର୍ଥକଙ୍କ ମଧ୍ୟରେ ଦଳୀୟ ଶୃଙ୍ଖଳାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିବା ଜଣାପଡ଼ିଛି । ପୂର୍ବତନ ବିଜେଡି ବିଧାୟକ ସିଦ୍ଧାର୍ଥ ଶେଖର ସିଂ ଆଗାମୀ ଦିନରେ ଖଣ୍ଡପଡ଼ା ବିଜେପିକୁ କେତେ ସଂଗଠିତ କରିପାରୁଛନ୍ତି ତାହା ସମୟ କହିବ ।


