ପଲିଥିନ ତଳେ ବିତୁଛି ଜୀବନ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ପାଳସାହି ପଞ୍ଚାୟତର ଗଡଗଡି ଗାଆଁରେ ବାସ କରୁଥିବା ଏକ ଗରିବ ପରିବାର ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ତତ୍କାଳୀନ ପିଇଓଙ୍କ ସାମାନ୍ୟ ତ୍ରୁଟି ତଥା ବେପରୁଆ ମନୋବୃତ୍ତି ଯୋଗୁଁ ଏହି ପରିବାର ଦେଢ ବର୍ଷ ହେଲା ଭୋଗୁଛନ୍ତି ଦୁର୍ଦ୍ଦଶା । ଏହା କୌଣସି ଉପାନ୍ତ ଅଞ୍ଚଳ କଥା ନୁହେଁ , ଖୋଦ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅଧୀନ ଗଡଗଡି ଗାଆଁର ୬୮ ବର୍ଷୀୟା ଜୟନ୍ତୀ ବେହେରା ଙ୍କ ଦୁର୍ବିସହ ଜୀବନର ବାସ୍ତବ ଚିତ୍ର । ୨୦୨୩ ମସିହାରେ ପଞ୍ଚାୟତ ଅଧିକାରୀ ତାଙ୍କୁ ଘର ଭାଙ୍ଗିବାକୁ କହିଥିଲେ । ଘର ଭାଙ୍ଗିଲେ ନୂଆ ପ୍ରଧାନ ମନ୍ତ୍ରୀ ଆବାସ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ । ଅଧିକାରୀଙ୍କ କଥାକୁ ବିଶ୍ବାସ କରି ପୂର୍ବରୁ ରହୁଥିବା ପରିବାରଙ୍କ ବାସଗୃହ ଭଙ୍ଗାଗଲା । ହେଲେ ପ୍ରତିଶ୍ରୁତି ଆଉ କାର୍ଯ୍ୟକାରୀ ହେଲାନି କି ଘର ମିଳିଲାନି । ସେହି ଦିନଠୁ ପଲିଥିନ ଟାଣି ରହୁଛନ୍ତି ଜୟନ୍ତୀଙ୍କ ସହ ପୁଅ ପ୍ରଫୁଲ୍ଲ, ବୋହୁ ନିରୁପମା,ନାତି ରାଜେଶ ( ୨୧ ), ବଡ ନାତୁଣୀ ଶ୍ରାବଣୀ ( ୧୯ ) ଓ ସାନ ନାତୁଣି ଦୀପିକା ( ୧୭) । ଘର ତିଆରିତ ହେଲାନି ବରଂ ଦାରିଦ୍ର୍ୟ ଯୋଗୁ ପିଲାମାନଙ୍କ ପାଠପଢାରେ ପଡିଲା ତାଲା। ଏବେ ସେହି ପଲିଥିନ ତଳେ ଖାଇବା, ରହିବା ସହ ଚାଲିଛି ରୋଷେଇ । ରାତିରେ ପରିବାର ଲୋକଙ୍କ ସହ ଶୋଉଛନ୍ତି ବୁଲା କୁକୁର, ବୁଲା ଷଣ୍ଢ ଓ ଓ ବିଲେଇ । ଏମିତି ଅବସ୍ଥା ଦେଖି ଗାଆଁ ଲୋକ ଏହି ପରିବାରକୁ ଘର ଯୋଗାଇବାକୁ ଦାବି କରିଛନ୍ତି । ସୂଚନାଯୋଗ୍ୟ ସରକାରଙ୍କ ତରଫରୁ ତାଙ୍କ ପରିବାରକୁ ଯୋଗାଇ ଦିଆଯାଇଥିବା ଘର ସାହୁସାହି ଗାଆଁର ବାସ କରୁଥିବା ଜୟନ୍ତୀ ବେହେରାଙ୍କୁ ଯୋଗାଇ ଦିଆଯାଇଛି । ତାଙ୍କଠୁଁ ପାଇଥିବା ଅର୍ଥରାଶୀ ଆଉ ଫେରାଇ ହେଉନାହିଁ । ଆଉ ବଳି ପଡି ଯାଇଛନ୍ତି ଗଡଗଡି ଜୟନ୍ତୀ ବେହେରା । ଏ ସମ୍ପର୍କରେ ନୁତନ ଭାବେ ଦାୟିତ୍ବ ନେଇଥିବା ଅନୀଲ ସେଠିଙ୍କୁ ପଚାରିବାରୁ ସେ କହିଲେ ଯେ ଭୁଲରେ ଯେଉଁ ମହିଳାଙ୍କ ଆକାଉଣ୍ଟକୁ ଅର୍ଥ ଯୋଗାଇ ଦିଆଯାଇଛି ସେ ଦେଉ ନାହାଁନ୍ତି । ଏ ବିଷୟରେ ବିଡିଓଙ୍କୁ ଅବଗତ କରା ଯାଇଛି ଏହାର ସ୍ଥାୟୀ ସମାଧାନ ଖୁବଶୀଘ୍ର କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ