ରୋଟାରୀ ସଦ୍ଭାବନା ସମ୍ମାନ ପାଇଲେ ସେକ୍ ଜଲାଲଉଦ୍ଦୀନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଧାନପଡା ଗ୍ରାମର ସମାଜସେବୀ ସେକ୍ ଜଲାଲଉଦ୍ଦୀନଙ୍କୁ ଭଦ୍ରକ ରୋଟାରୀ କ୍ଲବ ପକ୍ଷରୁ ‘ରୋଟାରୀ ସଦଭାବନା ସମ୍ମାନ-୨୦୨୫’ରେ ସମ୍ମାନୀତ କରାଯାଇଛି । ସାମାଜିକ ଶାନ୍ତି ଓ ସାମ୍ପ୍ରଦାୟିକ ସଂପ୍ରୀତିର ବାର୍ତ୍ତାବହ ଭାବେ ଭଦ୍ରକ ଭଳି ଏକ ସମ୍ବେଦନଶୀଳ ଅଞ୍ଚଳରେ ‘ସର୍ବଧର୍ମ ସହନଶୀଳତା’ ଓ ‘ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତି’ର ଅମୃତ ମନ୍ତ୍ର ମାଧ୍ୟମରେ ସୁସମ୍ପର୍କ ସ୍ଥାପନା ଓ ପ୍ରେମର ପବିତ୍ରଧାରାରେ ବାନ୍ଧି ରଖିବା ସହିତ ଅନନ୍ୟ ଓ ଅମୂଲ୍ୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ଭଦ୍ରକ ଡିଆରଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଦୀଲିପ ରାଉତରାଏଙ୍କ ସମେତ ଅନ୍ୟ ଅତିଥି ମାନେ ଯୋଗ ଦେଇଥିଲେ । ସେକ୍ ଜଲାଲଉଦ୍ଦୀନ ପୂର୍ବରୁ ବନ୍ତ ବ୍ଲକ ବିଜେଡିର ସଭାପତି ଥିବା ବେଳେ ରାଜ୍ୟ ୱାକଫ ବୋର୍ଡର ସଦସ୍ୟ ମଧ୍ୟ ଥିଲେ । ଏହି ସମ୍ମାନରେ ସେ ସମ୍ମାନୀତ ହୋଇଥିବାରୁ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ।


