୩୦ଟି ଗଣମାଧ୍ୟମ ସଂସ୍ଥାକୁ ପ୍ରଥମ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ

ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ମିଡିଆ ସେଂଟରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ସୂଚନା ଏବଂ ପ୍ରସାରଣ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ୩୦ଟି ମନୋନିତ ଗଣମାଧ୍ୟମ ସଂସ୍ଥାକୁ ପ୍ରଥମ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନରେ ପୁରସ୍କୃତ କରିଛନ୍ତି ।
ଓଡ଼ିଶାରୁ ଛାପା ଗଣମାଧ୍ୟମ ବର୍ଗରେ ଦୈନିକ ‘ଓଡ଼ିଶା ଏକ୍ସପ୍ରେସ’ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ବର୍ଗରେ ‘ଓଡ଼ିଶା ଟେଲିଭିଜନ ଲିମିଟେଡ’କୁ ଯୋଗର ପ୍ରଚାରପ୍ରସାର ଲାଗି ପୁରସ୍କୃତ କରାଯାଇଛି ।
ସମାରୋହକୁ ସମ୍ବୋଧିତ କରି ଶ୍ରୀ ଜାଭଡେକର ଏହି ପୁରସ୍କାର ସମାଜର କଲ୍ୟାଣ ପାଇଁ ଯୋଗର ପ୍ରସାର ଦିଗରେ ପ୍ରମୁଖ ଭୂମିକା ତୁଲାଇଥିବା ଗଣମାଧ୍ୟମ ସଂସ୍ଥା ଲାଗି ଏକ ଅଦ୍ୱିତୀୟ ସମ୍ମାନ ବୋଲି ବର୍ଣ୍ଣନା କରିଥିଲେ । ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ପ୍ରୟାସକୁ ପ୍ରଶଂସା କରି ଶ୍ରୀ ଜାଭଡେକର କହିଥିଲେ ଯେ ମନ୍ତ୍ରଣାଳୟ ତରଫରୁ ଏହା ପ୍ରଥମ ଆୟୋଜନ ଯାହାକି ସମାଚାର, ବିଚାର ଏବଂ ବିଜ୍ଞାପନ ଠାରୁ ଊର୍ଦ୍ଧ୍ୱରେ । ଗଣମାଧ୍ୟମ ସଂସ୍ଥାଗୁଡ଼ିକର ପ୍ରୟାସକୁ ମାନ୍ୟତା ଦେବାର ଏକ ନୂତନ ପ୍ରବୃତିକୁ ଏହା ଚିହ୍ନଟ କରୁଛି । ଏମାନେ ସମାଜର ଲାଭ ନିମନ୍ତେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ କାମ କରୁଛନ୍ତି ।
ଶ୍ରୀ ଜାଭଡେକର ଲୋକମାନ୍ୟ ତିଳକଙ୍କୁ ସ୍ମରଣ କରି କହିଥିଲେ ଯେ ସେ ‘ସ୍ୱରାଜ୍ୟ’ ପ୍ରତି ସଚେତନତା ସୃଷ୍ଟି କରିବା ଲାଗି ‘କେଶରୀ’ ସମ୍ବାଦପତ୍ରକୁ ଏକ ମାଧ୍ୟମ ଭାବେ ଉପଯୋଗ କରିଥିଲେ । ସେ କହିଥିଲେ ଯେ ଆଜି ଗଣମାଧ୍ୟମ ସଂସ୍ଥାଗୁଡ଼ିକ ‘ସୁରାଜ’ ପ୍ରତି ଅଧିକରୁ ଅଧିକ ଜନ ସଚେତନତା ସୃଷ୍ଟି କରୁଛନ୍ତି, ଯେଉଁଠି ସମସ୍ତଙ୍କ ଲାଗି ଭଲ ସ୍ୱାସ୍ଥ୍ୟ ସେବା, ଶିକ୍ଷା ଏବଂ ନାଗରିକ ସୁବିଧା ଉପଲବ୍ଧ ରହିଛି । ସେ ଏହାକୁ ଭାରତର ଦୃଢ଼ ଗଣତନ୍ତ୍ରର ପ୍ରତୀକ ବୋଲି କହିଥିଲେ ।
ଶ୍ରୀ ଜାଭଡେକର ଯୋଗକୁ ରୋଗମୁକ୍ତ ସ୍ୱାସ୍ଥ୍ୟର ସବୁଠୁ ବଡ଼ ପୁଞ୍ଜି ବୋଲି କହିଥିଲେ । ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଏବଂ ପ୍ରୟାସ କାରଣରୁ ଭାରତର ପରିଚୟ ଯୋଗକୁ ବିଶ୍ୱସ୍ତରରେ ସମ୍ମାନ ମିଳିଛି । ମିଳିତ ଜାତିସଂଘରେ ସ୍ପଷ୍ଟ ବହୁମତ ସହିତ ଭାରତର ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସକୁ ସମର୍ଥନ କରାଯାଇଥିଲା । ସେ ପୁରସ୍କାର ଲାଭ କରିଥିବା ସଂସ୍ଥା ଏବଂ ବିଚାରକ ମଣ୍ଡଳୀର ସଦସ୍ୟମାନଙ୍କୁ ଅଭିନନ୍ଦନ ଏବଂ ଧନ୍ୟବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ