କାଟି ଦିଆଯାଉଛି ତାଳ ଓ ଖଜୁରୀ ଗଛ :ଫସଲରେ ବଢୁଛି କୀଟନାଶକ ବ୍ୟବହାର

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ) :-୨୯/୦୮:-ଦିନ ଥିଲା ବିଲ ମାଳରେ ଥିବା ତାଳ ଓ ଖଜୁରୀ ଗଛରେ ବାଈ ଚଢେଇ ବସାବାନ୍ଧି ଆଶ୍ରୟ ନେଉଥିଲେ। ଗଛରେ ଅତି ସୁନ୍ଦର ଭାବେ ନିଜର ବସାକୁ ଗଢି ତୋଳୁଥିଲେ। ସଞ୍ଜ ଓ ସକାଳେ ବାଈଚଢେଇ ଙ୍କ କିଚିରି ମିଚିରି ସ୍ୱର ପରିବେଶକୁ ବେଶ ଆମୋଦିତ କରୁଥିଲା। ମାତ୍ର ଏବେ ତାଳ ଓ ଖଜୁରୀ ଗଛକୁ କାଟି ଦିଆଯିବା ଦ୍ୱାରା ପ୍ରକୃତି କୋଳରେ ଜନ୍ମ ନେଇଥିବା ଏହି ବାଈଚଢେଇ ଅସୁରକ୍ଷିତ ହୋଇ ପଡିଛନ୍ତି। ଆଉ ସେହି କିଚିରି ମିଚିରି ସ୍ୱର ଶୁଣିବାକୁ ମିଳୁନଥିବା ବେଳେ ପୂର୍ବ ଭଳି ବାଈଚଢେଇଙ୍କ ସଂଖ୍ୟା ଆଉ ଦେଖିବାକୁ ମିଳୁନି। ଯାହାକି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବକୁ ନେଇ ଏହି ଚଢେଇ ଏବେ ବିଲୁପ୍ତ ହେବାକୁ ବସିଲାଣି। ବିଶେଷ କରି ଏହି ଟିକି ଟିକି ଚଢେଇ ଗୁଡିକ ମାସାଧିକକାଳ ଗଛରେ ସୁନ୍ଦର ଭାବେ ବସା ନିର୍ମାଣ କରିଥାନ୍ତି। ମାଈ ବାଈ ଚଢେଇ ଗୁଡିକ ଭିନ୍ନ ଶୈଳୀରେ ବସା ନିର୍ମାଣ କରିଥାନ୍ତି। ଅଣ୍ଡା ଓ ଛୁଆ ରହିବା ପାଇଁ ତଳ ଭାଗରେ ସ୍ୱତନ୍ତ୍ର ଶୈଳୀରେ ଥଳି ନିର୍ମାଣ କରିଥାନ୍ତି। ବାତ୍ୟା, ପବନ ମାଡ଼ରେ ଏହି ବସାର କୌଣସି କ୍ଷତି ହୋଇନଥାଏ। ପୁରୁଣା ବସାରେ ଦ୍ୱିତୀୟ ଥର ଅଣ୍ଡା ଦେଉନଥିବା ହେତୁ ପ୍ରତିବର୍ଷ ବାଈ ଚଢେଇ ତାର ବସାକୁ ନୂଆ କରି ତିଆରି କରିଥାଏ। ଗୋଟିଏ ବାଈ ଚଢେଇ ବର୍ଷକୁ ୨ଟି ଅଣ୍ଡା ଦେଇଥାଏ। ଏହି ଅଣ୍ଡାକୁ ଫୁଟାଇ ଶାବକ ଜନ୍ମ ହେବା ପରେ ସେ ମୁକ୍ତାକାଶ କୁ ଚାଲି ଯାଇଥାଏ। ମୌସୁମୀ ଆଗମନର କିଛି ଦିନ ପୂର୍ବରୁ ଏମାନେ ବସା ବାନ୍ଧିବା ଆରମ୍ଭ କରିଥାନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳର କେନ୍ଦ୍ରାପଟି ଓ ତଣ୍ଡାହାର ନିକଟରେ ଅନେକ ତାଳଗଛରେ ବାଈ ଚଢେଇ ବସା ଦେଖା ଯାଉଥିବା ବେଳେ ଅନ୍ୟ ପଂଚାୟତ କାହିଁ ସେତେ ମାତ୍ରା ରେ ଅବା ଆଦୌ ଦେଖା ଯାଉନାହିଁ। ଅନ୍ୟ ଏକ କିମ୍ବଦନ୍ତୀ ହେଉଛି ବାଈଚଢେଇ ବସାକୁ ଦେଖିଲେ ଚାଷୀ ଖୁସି ହୋଇଥାଏ। ଅର୍ଥାତ ଖରିଫ ଚାଷ ଆରମ୍ଭ ସହ ମୌସୁମୀର ଆଗମନ ହୋଇଥାଏ ବୋଲି ଚାଷୀ ମନରେ ଧାରଣ ଥାଏ। ଚାଷ ଜମିରୁ ଅନିଷ୍ଟକାରି ପୋକ ଜୋକ ସେ ଖାଇଥାଏ। ଯାହାକି କୃଷକ ମାନଙ୍କ ପାଇଁ ବାଈଚଢେଇ ଏକ ବନ୍ଧୁ ଭାବେ ଜଣାଶୁଣା। ମାତ୍ର ଅଧିକ ଫସଲ ଅମଳ ପାଇଁ ଚାଷୀ ଜମିରେ ବହୁଳ ଭାବେ କୀଟନାଶକ ପ୍ରୟୋଗ କରୁଥିବା ବେଳେ ଏହି ପକ୍ଷୀ ଲୋପ ପାଇବାର ଆଉ ଏକ କାରଣ ବୋଲି କୁହାଯାଉଛି। ଗ୍ରାମାଞ୍ଚଳ ନିକଟବର୍ତ୍ତୀ ତାଳ ଓ ଖଜୁରୀ ଗଛ ଏମାନଙ୍କ ମୁଖ୍ୟ ଆଶ୍ରୟସ୍ଥଳୀ ପାଲଟିଥାଏ। ହେଲେ ଏବେ ଦିନକୁ ଦିନ ଗ୍ରାମାଞ୍ଚଳର ବିକାଶ ଘଟୁଛି। ଚାଷ ଜମି ଗୁଡିକ ହ୍ରାସ ପାଇ ପ୍ଲଟ କରାଯିବା ସହ ବଡ଼ ବଡ଼ କୋଠାବାଡ଼ି ନିର୍ମାଣ ହେଉଛି। ସେହିଭଳି ଇଟା ଭାଟି ପାଇଁ ତାଳ ଓ ଖଜୁରୀ ଗଛକୁ କାଟି ଦିଆଯାଉଛି। ସେହିଭଳି ଏ ସବୁ ପକ୍ଷୀଙ୍କ ପାଈଁ ଏବେ ମୋବାଇଲି ଟାୱାର ବଡ଼ ସମସ୍ୟା ସୃଷ୍ଟି କରିଛି। ଟାୱାର ଠାରୁ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ରଶ୍ମି ପକ୍ଷୀ ବଂଶକୁ ବିସ୍ତାର କରିବାରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଅନେକ ପରିବେଶବିତି ମତ ପ୍ରକାଶ କରିଛନ୍ତି। ପରିବେଶରେ ବ୍ୟାପକ ତାଳ ଓ ଖଜୁରୀ ଗଛ ଲଗାଇଲେ ବର୍ଷା ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଭଳି ସୂଚନା ପ୍ରଦାନକାରୀ ଏହି ପକ୍ଷୀର ବଂଶ ବୃଦ୍ଧି ପାଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ