ଅତୁଟ ରହିଛି ତଲାରିର ଚାହିଦା :କାରିଗରଙ୍କୁ ପରିଶ୍ରମ ତୁଳନାରେ ମିଳୁଛି କମ୍‍ ପାରିଶ୍ରମିକ

ଆସିକା(ୱାଇଏନ୍‍ଏସ୍‍) : ସମୟ କ୍ରମେ ଅନେକ କିଛି ପରିବର୍ତ୍ତନ ହୋଇଛି । ଲୋକଙ୍କ ଜୀବନ ଶୈଳୀରେ ଅନେକ ପରିବର୍ତ୍ତନ ଘଟିଛି । ଆଧୁନିକତାର ଛାପରେ ସମସ୍ତେ ଉଣାଅଧିକେ ପ୍ରଭାବିତ ହୋଇଛନ୍ତି । ପ୍ରତ୍ୟେକ କାର୍ଯ୍ୟ ସୌଖିନ ହୋଇପଡିଛି । ଖରାବର୍ଷାରୁ ରକ୍ଷା କରିବା ପାଇଁ ବର୍ତ୍ତମାନ ଅନେକ ଉପକରଣ ମିଳୁଛି । ଏହା ସତ୍ତ୍ୱେ ଶହଶହ ବର୍ଷ ଧରି ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକେ ବ୍ୟବହାର କରି ଆସୁଥିବା ତଲାରୀର ଚାହିଦା ଅତୁଟ ରହିଛି । ବାଉଁଶ ବେତ ଓ ଶାଳ କିମ୍ବା ଖଲି ଭାବରେ ବ୍ୟବହାର ପତ୍ରରେ ପ୍ରସ୍ତୁତ ତଲାରୀ ଏବେ ବି ବହୁଳ ଭାବରେ ବ୍ୟବହାର କରାଯାଉଛି । ବିଶେଷ କରି ଚାଷ କାର୍ଯ୍ୟରେ ନିୟୋଜିତ ଶ୍ରମିକ ତଲାରି ବ୍ୟବହାର କରୁଛନ୍ତି । ଛତା ତଥା ଅନ୍ୟ ଉପକରଣ ଧରି ଜମିରେ ଚାଷ କରିବା ପରିବର୍ତ୍ତେ ତଲାରୀ ମୁଣ୍ଡାଇ ଜମିରେ କାମ କରିବା ସେମାନଙ୍କ ପାଇଁ ସହଜ ହେଉଥିବାରୁ ଏହାର ଚାହିଦା ଅତୁଟ ରହିଛି । ଗଞ୍ଜାମ ଜିଲ୍ଲା ବଡଗଡ ଅଞ୍ଚଳର କେତେକ ବ୍ୟକ୍ତିଙ୍କ ମୁଖ୍ୟ ଜୀବିକା ହେଲା ତଲାରୀ ନିର୍ମାଣ କରି ବିକ୍ରୀ କରିବା । ତଲାରି ପ୍ରସ୍ତୁତ କରିବାରେ କଡା ପରିଶ୍ରମ କରୁଛନ୍ତି । କଷ୍ଟରେ ବାଉଁଶ ସଂଗ୍ରହ କରିବା ପରେ ବେତ ପ୍ରସ୍ତୁତ କରି ଋତୁ ଅନୁଯାୟୀ ଯେଉଁ ପତ୍ରରେ ହୁଏ ସେଗୁଡିକୁ ଆଚ୍ଛାଦିତ କରି ତଲାରି ତିଆରି କରି ଥାଆନ୍ତି । ଗୋଟିଏ ତଲାରି ଏବେ ୧୨୦ ରୁ ୧୩୦ ଟଙ୍କାରେ ବିକ୍ରୀ ହେଉଥିବା ଜଣାପଡିଛିି । ତଲାରି ବ୍ୟବସାୟୀ ମାନେ ଗତ କିଛି ଦିନ ହେଲା ଦୁଇ ଚକିଆ ଯାନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସି ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ତଲାରି ବିକ୍ରୀ କରୁଥିବା ଦେଖିବାକୁ ମିଳୁଛି । ତଲାରି କାରିଗରମାନଙ୍କ ପୂର୍ବ ପୁରୁଷମାନେ ବାଉଁଶରେ ଟୋକେଇ, କୁଲା ତିଆରି କରି ନିଜ ଗୁଜରାଣ ମେଣ୍ଟାଉଥିଲେ । ତଲାରି ତିଆରି ଏକ ପାରମ୍ପରିକ କୌଳିକ ଧନ୍ଦା ବୋଲି କେତେକ କାରିଗର ପ୍ରକାଶ କରିଛନ୍ତି । ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍‍ ମିଳୁଥିବାରୁ ପରିବାର ଚଳାଇବା କଷ୍ଟକର ହୋଇ ପଡୁଥିଲେ ମଧ୍ୟ ପୂର୍ବ ପୁରୁଷ ଅମଳରୁ ତଲାରି ତିଆରି କରି ବିକ୍ରୀ କରି ଆସୁଥିବା ଏହି ସଂପ୍ରଦାୟର ବ୍ୟବସାୟୀ ମାନେ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ଲାଗି ଅହରହ ସଂଗ୍ରାମ ଜାରି ରଖିଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ଏହି ଶ୍ରେଣୀର ତଲାରୀ ବ୍ୟବସାୟୀ ମାନଙ୍କୁ ଆର୍ଥୀକ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ