ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ସୁନାଇଲୋ ଗ୍ରାମରେ ଜଣେ ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଟାଉନ୍ ଥାନା ପୋଲିସ ଅଭିଯୁକ୍ତ ଇଞ୍ଜିନିୟରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ କେନ୍ଦ୍ରାପଡ଼ା ପୌରପାଳିକାରେ କିଛି ମାସ ପୂର୍ବରୁ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲା। ଏହି ସମୟରେ ଜଣେ ଯନ୍ତ୍ରୀଙ୍କ ସହ ତାର ପରିଚୟ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଓ ପରେ ପ୍ରେମ ସଂପର୍କରେ ପରିଣତ ହୋଇଥିଲା। ଯୁବତୀ ଜଣକ ଚାକିରୀ ଛାଡି ବିଏଡ ପାଇଁ ପ୍ରସ୍ତୁତ ହେଉଥିଲା। ଏଥିପାଇଁ ସେ ସୁନାଇଲୋରେ ଏକ ଘର ଭଡ଼ା ନେଇ ରହୁଥିଲେ। ଇଞ୍ଜିନିୟର ଜଣକ ଯୁବତୀଙ୍କ ସହ ସଂପର୍କରେ ଥିଲେ। ହେଲେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ମନାନ୍ତର ହୋଇଛି ଓ ଇଞ୍ଜିନିୟର ଜଣକ ତାଙ୍କୁ ବଳାତ୍କାର କରିବା ପରେ ହତ୍ୟା କରିଛନ୍ତି। ଏହାପରେ ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କୁ ଫ୍ୟାନରେ ଝୁଲାଇ ଦେଇଛନ୍ତି। ତେଣୁ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ତାଙ୍କ ପିତା ଦାବି କରିଛନ୍ତି। ଏ ସମ୍ପର୍କରେ ଟାଉନ୍ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁଙ୍କୁ ପଚାରିବାରୁ ସେ କହିଲେ ଯୁବତୀଙ୍କ ବାପାଙ୍କ ଅଭିଯୋଗକୁ ପୋଲିସ ଗ୍ରହଣ କରିଛି। ଏ ନେଇ ସନ୍ଦେହରେ ଥିବା ଇଞ୍ଜିନିୟରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ଫଳରେ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ଶ୍ରୀ ସାହୁ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ