ବାବନପୁରରେ ଦ୍ୱିତୀୟ ବିଶ୍ୱ ପ୍ରକୃତି ଚିନ୍ତନ ଦିବସ ପାଳିତ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦ୍ୱିତୀୟ ବିଶ୍ୱ ପ୍ରକୃତି ଚିନ୍ତନ ଦିବସ ପାଳିତ ହୋଇଯାଇଛି । ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗ୍ରୀନ୍ ଅର୍ଗାନିକ୍ ଡେଭଲପ୍ମେଣ୍ଟ (ଗଡ୍)ର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ବିଶ୍ୱ ପ୍ରତ୍କୃତି ଚିନ୍ତନ ଦିବସ କାର୍ଯ୍ୟକ୍ରମରେ ପରିବେଶର ସୁରକ୍ଷା ଲାଗି ଅଧିକରୁ ଅଧିକ ଚାରାରୋପଣ କରିବା, ପରିମଳ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା, ଜଙ୍ଗଲୀ ପ୍ରାଣୀ ମାନଙ୍କ ସୁରକ୍ଷା ଦିଗରେ ଧ୍ୟାନ ଦେବା ସମେତ ବିଭିନ୍ନ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଗୁଡିକ ଉପରେ ଗୁରୁତ୍ୱାରୋପ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ସ୍ୱେଚ୍ଛାସେବୀ ସଂଗଠନ ଗଡ୍ର ପ୍ରତିଷ୍ଠାତା ତଥା ବାବନପୁର ଗ୍ରାମ ପଂଚାୟତର ଯୁବ ସରପଂଚ ସଂଜୟ କୁମାର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଦ୍ୱିତୀୟ ବିଶ୍ୱ ପ୍ରକୃତି ଚିନ୍ତନ ଦିବସ ପାଳନ କାର୍ଯ୍ୟକ୍ରମରେ ଆସିକା ବିଧାୟକ ସରୋଜ କୁମାର ପାଢୀ, ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ପଣ୍ଡା, ଭାରତ ସରକାରଙ୍କ ନୀତି ଆୟୋଗର ସଦସ୍ୟ ଜଗଦାନନ୍ଦ, ପରିବେଶବିତ୍ ଜୟକୃଷ୍ଣ ପାଣିଗ୍ରାହୀ, ବରିଷ୍ଠ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ପ୍ରମୁଖ ଯୋଗଦେଇ ପରିବେଶର ସୁରକ୍ଷା ଲାଗି ଅଧିକରୁ ଅଧିକ ଚାରାରୋପଣ କରି ସେ ଗୁଡିକ ଯେପରି ବିଶାଳ ବୃକ୍ଷରେ ପରିଣତ ହୋଇପାରିବ ତାହାରି ଉପରେ ସମସ୍ତେ ଧ୍ୟାନ ଦେବାକୁ ଆହ୍ୱାନ କରିବା ସାଙ୍ଗକୁ ବିଲୁପ୍ତ ପ୍ରାଣୀମାନଙ୍କ ସୁରକ୍ଷା ପାଇଁ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବାବନପୁର ଗ୍ରାମ ନିକଟସ୍ଥ ଗଡଗଡିଆ ପାହାଡ ପାଦଦେଶରେ ପ୍ରକୃତିମାତାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ସ୍ୱେଚ୍ଛାସେବୀ ସଂଗଠନ ଗଡ୍ର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବାବନପୁର ଗ୍ରାମରେ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ପ୍ରକୃତି ଚିନ୍ତନ ଦିବସ ପାଳନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶିବଶଙ୍କର ଜେନା, ପ୍ରଧାନଶିକ୍ଷକ ପଦ୍ମଚରଣ ସେଠୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଧନୁର୍ଧର ମୁନି, ସହକାରୀ ଶିକ୍ଷକ ରମେଶ ଚନ୍ଦ୍ର ଚୌଧୁରୀ, ଲିତା କୁମାରୀ ଜେନା, ସୁପ୍ରଭା ସାହୁ, ଆଇନଜୀବୀ ମହେନ୍ଦ୍ର କୁମାର ସ୍ୱାଇଁ, ପ୍ରତାପ କୁମାର ଭୂୟାଁ, ରାଜେନ୍ଦ୍ର ନାଥ ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକ, ପରିବେଶବିତ୍ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।