ମାନସିକ ବିକାରଗ୍ରସ୍ଥଙ୍କୁ ଭତ୍ତା ପ୍ରଦାନରେ ବିଳମ୍ବ ଯୋଗୁ ଅସନ୍ତୋଷ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ସରକାର ସାମାଜର ମୁଖ୍ୟ ସ୍ରୋତରେ ଭିନ୍ନକ୍ଷମ ମାନଙ୍କୁ ସାମିଲ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିଲେ ସୁଦ୍ଧା ସରକାରୀ କର୍ମଚାରୀଙ୍କ ତତ୍ପରତା ବିହୀନ କାର୍ଯ୍ୟ ଯୋଗୁ ସଠିକ ସମୟରେ ଜଣେ ଭିନ୍ନକ୍ଷମ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ରଣଜିତ ପଞ୍ଚାୟତ ସିମିଳିଆ ୧୨ନଂ ୱାର୍ଡ ଠାରେ କାର୍ତ୍ତିକ ବାରିକ ସପରିବାରେ ବସବାସ କରନ୍ତି । ପରିବାର କହିଲେ ତାଙ୍କ ପତ୍ନୀ ଓ ତାଙ୍କ ଦୁଇପୁଅ । କାର୍ତ୍ତିକଙ୍କ ବଡପୁଅ ପୂର୍ଣ୍ଣ ମାନସିକ ବିକାରଗ୍ରସ୍ଥ ସହିତ ଭଲ ଭାବରେ କଥା କହିପାରନ୍ତି ନାହିଁ । ସାନପୁଅଟିକୁ ମଧ୍ୟ ସମାନ ରୋଗ ହୋଇଥିବାବେଳେ କାର୍ତ୍ତିକ ମଧ୍ୟ ଚକ୍ଷୁବାଧିତ ଅଟନ୍ତି । ଯଥେକଷ୍ଟେ ପରିବାର ଚଳୁଥିବାବେଳେ ପୂର୍ଣ୍ଣ ପାଉଥିବା ଭତ୍ତା ଖଣ୍ଡିଏ ଅନେକ ଦିନ ହେବ ବନ୍ଦ ହୋଇଛି । ପୂର୍ବରୁ କାଗଜପତ୍ରରେ ଭତ୍ତା ଦିଆଯାଉଥିବାବେଳେ ଅନଲାଇନ ବ୍ୟବସ୍ଥା ଆସିବା ପରେ ଦୀର୍ଘ ୨୩ମାସ ହେବ ପୂର୍ଣ୍ଣ ଭତ୍ତା ପାଇପାରୁନାହାଁନ୍ତି । କାର୍ତ୍ତିକ ଓ ତାଙ୍କ ସାନପୁଅ ଯଦିଓ ଭିନ୍ନକ୍ଷମ ପାଇଁ ଅନଲାଇନ ଆବେଦନ କରିଛନ୍ତି କିନ୍ତୁ ପୂର୍ଣ୍ଣଚନ୍ଦ୍ର ଏସମ୍ବନ୍ଧୀୟ ପ୍ରମାଣପତ୍ର ପାଇସାରିଲେଣି । ପରିତାପର ବିଷୟ ଅନଲାଇନ ପ୍ରମାଣପତ୍ର ଥାଇ ସୁଦ୍ଧା ତାଙ୍କୁ କେଉଁ କାରଣରୁ ୨୩ମାସ ହେବ ଭତ୍ତା ଦିଆଯାଇନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭତ୍ତା ବଣ୍ଟନ ଦାୟିତ୍ୱରେ ଥିବା କର୍ମଚାରୀ ଜଣକ ତାଙ୍କୁ ପ୍ରାଥମିକ ଭାବେ ଏଥିରୁ ବଞ୍ଚିତ କରିଥିବା ଜଣାପଡିଛି । ଏନେଇ ସରପଞ୍ଚଙ୍କ ସହିତ ଯୋଗାଯୋଗ କରାଯିବାରୁ କଣ ହୋଇଛି ସେ ବୁଝି ଭତ୍ତା ପ୍ରଦାନର ବ୍ୟବସ୍ଥା କରିବେ ବୋଲି କହିଥିଲେ । ଏସମ୍ପର୍କରେ ବ୍ଲକ ସାମାଜିକ ସୁରକ୍ଷା ବିଭାଗ ଭାରପ୍ରାପ୍ତ ଅଧିକାରୀ ରବିନାରାୟଣ ପାତ୍ରଙ୍କ ମତାମତ ନେବାରୁ ସେ ଘଟଣା ସମ୍ପର୍କରେ ଅବଗତ ଥିବା କହିଥିଲେ । ପୂର୍ଣ୍ଣଙ୍କର ଅନଲାଇନ ପ୍ରମାଣପତ୍ର ମିଳିବା ପରେ ତାଙ୍କୁ ଭତ୍ତା ପ୍ରଦାନ ପାଇଁ ସ୍ୱୀକୃତି ପ୍ରଦାନ କରାଯାଇଥିବା ଭାରପ୍ରାପ୍ତ ଅଧିକାରୀ ଜଣାଇଛନ୍ତି । ଦୁଇଗୋଟି କିସ୍ତିରେ ପୂର୍ଣ୍ଣଙ୍କୁ ସମସ୍ତ ଅର୍ଥରାଶି ଯୋଗାଇଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।