ୟୁଥ୍ ବ୍ୟାଙ୍କ ସ୍ଥାପନ ସଂପର୍କୀତ କର୍ମଶାଳା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଆଗରପଡାସ୍ଥିତ ହେମପଦ୍ମା ଗାଲାକ୍ସି ପରିସରରେ ଯୁବ ବିକାଶ ଫାଉଣ୍ଡେସନ ଓ ଲୋକଶକ୍ତି ସ୍ୱେଚ୍ଛାସେବୀ ସଂଗଠନର ମିଳିତ ଆୟୋଜନ ତଥା ୟୁଥ୍ ବ୍ୟାଙ୍କ ଇଣ୍ଟରନ୍ୟାସନାଲ ସହଯୋଗରେ ଓଡିଶାରେ ୟୁଥ୍ ବ୍ୟାଙ୍କ ସ୍ଥାପନ ସମ୍ପର୍କୀତ ୨ ଦିନିଆ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି । ଲୋକଶକ୍ତିର ପରିଚାଳନା କମିଟି ସଭ୍ୟ ଗୋପିନାଥ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ଅତିଥି ଭାବେ ଯୋଗ ଦେଇ କର୍ମଶାଳାକୁ ଉଦ୍ଘାଟନ କରିଥିଲେ । ଭଦ୍ରକ ଜିଲାରେ ପ୍ରଥମ କରି ଆଗରପଡା ଅଞ୍ଚଳରେ ୟୁଥ୍ ବ୍ୟାଙ୍କ ସ୍ଥାପନ ପାଇଁ କର୍ମଶାଳା ଆୟୋଜନ ହୋଇଥିବାରୁ ଆୟୋଜକ ସଂସ୍ଥା ଓ ଆନ୍ତର୍ଜାତୀୟ ୟୁଥ୍ ବ୍ୟାଙ୍କ ପ୍ରତିଷ୍ଠାତା ଭର୍ଣ୍ଣନ ରିଂଗ ଲ୍ୟାଣ୍ଡଙ୍କୁ ଧନ୍ୟବାଦ ଦେଇଥିଲେ । ଏହା ମାଧ୍ୟମରେ ଯୁବକ ମାନଙ୍କର ସାମଗ୍ରୀକ ବିକାଶ ପାଇଁ ସମସ୍ତ ସହଯୋଗ ଦେବାକୁ ବ୍ଲକ ଅଧ୍ୟକ୍ଷ ଶ୍ରୀ ଘଡେଇ ପ୍ରତିଶୃତି ଦେଇଥିଲେ । ଯୁବ ବିକାଶ ସଂସ୍ଥାର ମୁଖ୍ୟ ଗୋବିନ୍ଦ ଦଳେଇ ଯୋଗ ଦେଇ ୟୁଥ୍ ବ୍ୟାଙ୍କର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ୟୁଥ୍ ବ୍ୟାଙ୍କର ପ୍ରତିଷ୍ଠାତା ଭର୍ଣ୍ଣନ ରିଂଗ ଲ୍ୟାଣ୍ଡ ୨୫ ଜଣ ଯୁବକ, ଯୁବତୀଙ୍କୁ ୟୁଥ୍ ବ୍ୟଙ୍କର ଆଭିମୁଖ୍ୟ, ଉପାଦେୟତା ଓ ଉପଯୋଗୀତା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଯୁବ ବିକାଶ ନିର୍ଦ୍ଦେଶକ ନିହାର ରଞ୍ଜନ ଓଝା ଅଂଶ ଗ୍ରହଣକାରୀଙ୍କୁ ଓଡିଆରେ ବିସ୍ତୃତ ବିବରଣୀ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଲୋକଶକ୍ତିର ନୃସିଂହ ମହାନ୍ତି, ସଂଗୀତାରାଣୀ ପାଣିଗ୍ରାହୀ, ଜଗବନ୍ଧୁ ବେହେରା, ଯୁବ ବିକାଶର ସମ୍ବିତ୍ ଖୁଣ୍ଟିଆ, ଯୁବନେତା ବସନ୍ତ ପତି, ପ୍ରଶାନ୍ତ ପଟେଲ, ଅସିତ ଦଳେଇ ସହଯୋଗ କରିଥିଲେ ।