ଅଁରାରେ ସଙ୍ଗରୋଧ କେନ୍ଦ୍ର ରୋଷେଇଘରେ ତାଲା ପକାଇଲେ ସରପଞ୍ଚ

ହାଟଡିହି, (ଓ୍ବାଇଏନ୍ଏସ୍) : ଅଁରା ସଙ୍ଗରୋଧ କେନ୍ଦ୍ରରେ ରହିଥିବା ପ୍ରବାସୀ ମାନଙ୍କ ପାଇଁ ରୋଷେଇ ଚାଲିଥିବାବେଳେ ଗତକାଲି ରାତିରେ ମାଛ ଖାଇବାକୁ ନେଇ ଜଣେ ଗ୍ରାମବାସୀଙ୍କ ସହ ହାତାହାତି ହେବାପରେ ଆଜି ସକାଳୁ ସକାଳୁ ସରପଞ୍ଚ ରୋଷେଇ ଘରେ ଚାବି ପକାଇଦେବା ସହ ଦାୟିତ୍ୱ ବୁଝୁଥିବା ସମସ୍ତ ୱାର୍ଡସଭ୍ୟସଭ୍ୟାଙ୍କୁ ବାହାର କରିଦେବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ସୁଚନାରୁ ଜଣାଯାଇଛି ଯେ ଅଁରା ସଙ୍ଗରୋଧ କେନ୍ଦ୍ରରେ ଏବେ ୨୨ଜଣ ପ୍ରବାସୀ ରହୁଛନ୍ତି । ଏହି ସଙ୍ଗରୋଧ କେନ୍ଦ୍ରକୁ ୱାର୍ଡସଭ୍ୟ ନରୋତ୍ତମ ଜେନା, ମନୋରମା ନାୟକ, କୈବଲ୍ୟ ଜେନା, ଗୋଲଖ ବିହାରୀ ଦାସ ପ୍ରମୁଖ ସୁଚାରୁରୁପେ ବୁଝି ଆସୁଥିଲେ । ଗତକାଲି ରାତିରେ ପ୍ରବାସୀଙ୍କ ପାଇଁ ମାଛ ରୋଷେଇ ହୋଇଥିଲା ବେଳେ ଗାଁର ଜଣେ ଯୁବକ ରୋଷେଇ କେନ୍ଦ୍ରକୁ ପସି ଗୋଟିଏ ମାଛ ନେଇ ଖାଇଦେଇଥିଲା । ରୋଷେଇ ଦାୟିତ୍ୱରେ ଥିବା ୱାର୍ଡସଭ୍ୟ ମାନେ ଏହାକୁ ବାରଣ କରିବାରୁ ୱାର୍ଡସଭ୍ୟ ମାନଙ୍କ ସହ ହାତାହାତି ହୋଇଥିଲା । ଆଜି ସକାଳେ ସ୍ଥାନୀୟ କିଛି ଲୋକ ଆସି ଦାୟିତ୍ୱ ବୁଝୁଥିବା ୱାର୍ଡସଭ୍ୟସଭ୍ୟା ମାନଙ୍କୁ ଗାଳିଗୁଲଜ କରିବା ସହିତ ଦାୟିତ୍ୱର ଅପସରି ଯିବାପାଇଁ ବାଧ୍ୟ କରିଥିଲେ । ଏହି ସମୟରେ ସରପଞ୍ଚ ପହଞ୍ଚି ରୋଷେଇ କେନ୍ଦ୍ରକୁ ଚାବି ପକାଇ ଦେଇଥିଲେ । ଫଳରେ ସେଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତେଜନା ଦେଖାଦେଇଥିଲା । ଏ ସମ୍ପର୍କରେ ପିିଇଓ ରମେଶ ମାଝୀ ତୁରନ୍ତ ବିଡିଓଙ୍କୁ ଅବଗତ କରାଇଥିଲେ । ବିଡିଓଙ୍କ ଠାରୁ ସୁଚନା ପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପଚରା ଉଚୁରା କରିବା ସହିତ ଅନ୍ୟଜଣେ ୱାର୍ଡସଭ୍ୟଙ୍କ ଦ୍ୱାରା ରୋଷେଇ କାର୍ଯ୍ୟ ଆରମ୍ଭ କରିଥିଲେ । ସରପଞ୍ଚ ନିୟମିତ ଆସି ଏଠାରେ ବସି ମଦ ପିଉଥିବାରୁ ସେମାନେ ସରପଞ୍ଚଙ୍କୁ ବାରଣ କରିବାରୁ ଏପରି ପରିସ୍ଥିତି ଉପୁଜିଥିବା ଅଭିଯୋଗ କରୁଥିବାବେଳେ ସରପଞ୍ଚ ମଧ୍ୟ ପ୍ରତିଆରୋପ କରିଛନ୍ତି । ଦାୟିତ୍ୱ ବୁଝୁଥିବା ୱାର୍ଡସଭ୍ୟ ମାନେ ରୋଷେଇ କେନ୍ଦ୍ରରେ ବସି ମଦ ପିଇବାରୁ ସେ ଚାବି ପକାଇଲେ ବୋଲି ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେହିପରି କିଛି ଗ୍ରାମବାସୀ ନିୟମିତ ପିଇଓ ରମେଶ ମାଝୀ ଓ ଜିଆରଏସ ମାନସ ରଞ୍ଜନ ଲେଙ୍କାଙ୍କୁ ଗାଳି ଗୁଲଜ କରୁଥିବାରୁ ସେମାନେ ଏ ସମ୍ପର୍କରେ ବିଡିଓଙ୍କୁ ଜଣାଇଥିବା କହିଛନ୍ତି । ତେଣୁ ଏଠାରେ ରୋଷେଇ କରିବା ସମ୍ଭବପର ହେଉ ନଥିବାରୁ ସେମାନେ ଅନ୍ୟ ସ୍ଥାନରୁ ଖାଦ୍ୟ ପ୍ରସ୍ତୁତ କରି ଆଣି ପ୍ରବାସୀ ମାନଙ୍କୁ ଖାଇବାକୁ ଦେବାକୁ ବିଡିଓଙ୍କୁ ସୁପାରିଶ ପାଇଁ କହିଥିବା ନୋଡାଲ ଅଫିସର ମାନସ ରଞ୍ଜନ ଲେଙ୍କା ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ