ଅଙ୍ଗ ବାଦ୍ଧିତଙ୍କୁ ଉପେକ୍ଷା ; ସୋରୁମରେ ମିଳୁନାହିଁ ଭିନ୍ନକ୍ଷମଙ୍କ ସ୍ୱତନ୍ତ୍ର ଯାନ
ବାରିକପୁର,(ଓ୍ବାଇଏନ୍ଏସ୍): ରାଜ୍ୟ ସରକାରଙ୍କ ଠାରୁ କେନ୍ଦ୍ର ସରକାରଙ୍କ ଯାଏଁ ଭିନ୍ନକ୍ଷମ ମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ବିଭିନ୍ନ ଅଙ୍ଗବାଦ୍ଧିତଙ୍କ ଠାରୁ ଆରମ୍ଭ କରି ଶାରିରୀକ ଓ ମାନସିକ ବ୍ୟକ୍ତିଙ୍କ ସକାଶେ ଜନକଲ୍ୟାଣ କାରୀ ଯୋଜନା ପ୍ରଣୟନ ହେଉଥିଲେ ସୁଦ୍ଧା କେଉଁଠି ନା କେଉଁଠି ଏମାନଙ୍କୁ ଉପେକ୍ଷା କରାଯାଉଥିବା ମନେହୁଏ । ସରକାରଙ୍କ ପ୍ରଚାର ପ୍ରସାରରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସର୍ବାଧିକ ସୁବିଧା ସୁଯୋଗ ଯୋଗାଯାଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଉଥିବା କୁହାଯାଉଥିôବାବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ମିଳିଥିବା ସୂଚନା ମୁତାବକ ଭଦ୍ରକ ଜିଲ୍ଲାରେ ୪୦ହଜାରରୁ ଅଧିକ ବିଭିନ୍ନ ବର୍ଗର ଭିନ୍ନକ୍ଷମ ଲୋକ ଥିବାବେଳେ ସରକାରଙ୍କ ଠାରୁ ଏନେଇ ମାତ୍ର ୧୪ହଜାର ଭିନ୍ନକ୍ଷମ ବ୍ୟକ୍ତି ସ୍ୱୀକୃତୀ ପତ୍ର ପାଇଛନ୍ତି । ବଳକା ଥିବା ଭିନ୍ନକ୍ଷମ ମଧ୍ୟ ଅନଲାଇନରେ ପ୍ରମାଣପତ୍ର ଆବେଦନ କରିଛନ୍ତି । ପ୍ରତ୍ୟକ ବର୍ଷ ଭୀମଭୋଇ ଭିନ୍ନକ୍ଷମ ଶିବିର ହେଉ ଅବା ଅନ୍ୟକିଛି କାର୍ଯ୍ୟକ୍ରମ କରାଯାଇ ପ୍ରଶାସନ ପକ୍ଷରୁ ଚକ୍ଷୁ ଓ କର୍ଣ୍ଣବାଧିତ ସହିତ ମାନସିକ ବିକାରଗ୍ରସ୍ଥଙ୍କୁ ପ୍ରମାଣପତ୍ର ସହ ବିଭିନ୍ନ ସାହାର୍ଯ୍ୟ ସହଯୋଗ ପ୍ରଦାନ କରାଯାଇଥାଏ । ଚିକିତ୍ସକ ମାନଙ୍କ ଦ୍ୱାରା ଏମାନଙ୍କୁ ପରୀକ୍ଷା ନିରୀକ୍ଷା କରାଯାଇ ଜୀବନ ଉପଯୋଗୀ ଉପକରଣ ମାନ ଦିଆଯାଉଥିବାବେଳେ ହାତଗୋଡ ବାଦ୍ଧିତ ଲୋକଙ୍କୁ ହୁଇଲଚେୟାର ଓ ଟ୍ରାଇସାଇକେଲ ପ୍ରଦାନ କରାଯାଇଥାଏ । ଏହା ସତ୍ତ୍ୱେ ବିଭିନ୍ନ ସମୟରେ ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ଟ୍ରାଇସାଇକେଲ ଦିଆଯାଇଥାଏ । କୌଣସି ଶାରିରୀକ ଭିନ୍ନକ୍ଷମ ଯଦି ନିଜ ଆର୍ଥିକ ସ୍ୱଚ୍ଛଳତା ଅନୁଯାୟୀ ଦୁଇଚକିଆ ଯାନଟିଏ କିଣିବା ପାଇଁ ଚାହିଁବ ତେବେ ସରକାରୀ ଭାବେ ସାହାଯ୍ୟ ସହଯୋଗ ଯୋଗାଇବା ମଧ୍ୟ ବ୍ୟବସ୍ଥା ରହିଛି । ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୧୯୯୫ ମସିହା ଆଇନ ଅନୁଯାୟୀ ସାଂସଦ ଓ ବିଧାୟକଙ୍କ ବାର୍ଷିକ ହାତପାଣ୍ଠିର ୩ପ୍ରତିଶତ ଭିନ୍ନକ୍ଷମ ମାନଙ୍କ ପାଇଁ ପ୍ରଦାନ କରିବେ । ୨୦୧୬ମସିହାରେ ଏହାକୁ ପରିବର୍ତ୍ତନ କରାଯାଇ ଅନୁଦାନକୁ ୫ପ୍ରତିଶତକୁ ବଢାଯାଇଛି । ଯଦି କୌଣସି ଭିନ୍ନକ୍ଷମ ଦୁଇ ଚକିଆ ଯାନ କିଣିବାକୁ ଚାହିଁବେ ତାହେଲେ ତାଙ୍କୁ ଉକ୍ତ ଅନୁଦାନ ଯୋଗାଯିବ । ପରିତାପର ବିଷୟ ବର୍ତ୍ତମାନ ସୁଦ୍ଧା ଉକ୍ତ ଆଇନକୁ କାର୍ଯ୍ୟକାରୀ କରାଯାଇନଥିବାବେଳେ ଜିଲ୍ଲାର କୌଣସି ଦୁଇଚକିଆ ଗାଡି ସୋରୁମରେ ଯାନ ମଧ୍ୟ ମିଳୁନାହିଁ । ଏପରିକି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ଯାନର ଅତ୍ୟାବଶ୍ୟକୀୟ ଗାଡି ଯନ୍ତ୍ରପାତି ମିଳିବା ମଧ୍ୟ ସମ୍ଭବ ନୁହେଁ । ଗାଡି କିଣିବାକୁ ଚାହୁଁଥିବା ଜଣେ ଭିନ୍ନକ୍ଷମ ବାରମ୍ବାର ସୋରୁମକୁ ଦୌଡି ନିରାଶ ହେଉଛି । କମ୍ପାନୀ ଗାଡି କିମ୍ବା ଯନ୍ତ୍ରପାତି ଆବଶ୍ୟକ ଅନୁଯାୟୀ ତିଆରି କରୁନଥିବା କାରଣରୁ ସେଗୁଡିକ ସୋରୁମରେ ଉପଲବ୍ଧ ହେଉନଥିବା କତ୍ତୃପକ୍ଷ କହୁଛନ୍ତି । ତେଣୁ ଭିନ୍ନକ୍ଷମ ମାନଙ୍କୁ ବ୍ୟବସ୍ଥା ଭିତ୍ତିରେ ଜାଣିଶୁଣି ହଇରାଣ କରାଯାଉଥିବା ଅଭିଯୋଗ ହେଉଛି । ଏଭଳି ସମସ୍ୟା ଭଦ୍ରକ ଜିଲ୍ଲା ସମେତ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ମଧ୍ୟ ଦେଖାଦେଇଛି । ଏଦିଗରେ ପ୍ରଶାସନ ସମେତ ସରକାର ଦୃଷ୍ଟି ଦେବାକୁ ଓଡିଶା ବିକଳାଙ୍ଗ ମଞ୍ଚ ରାଜ୍ୟ ସମ୍ପାଦକ ଅକ୍ଷୟ କୁମାର ସାହୁ ଦାବି ଜଣାଇଛନ୍ତି ।


