ଅନ୍ଧାରରେ ବାଟବଣା ହୋଇଯାଇଥିବା ଦର୍ଶାଇ ଅଟକ ସୈନିକଙ୍କୁ ତୁରନ୍ତ ଫେରାଇ ଦେବା ପାଇଁ ଭାରତକୁ କହିଲା ଚୀନ୍
ନୂଆଦିଲ୍ଲୀ: ଶୁକ୍ରବାର ଦିନ ପୂର୍ବ ଲଦାଖର ଚୁଶୂଲ ସେକ୍ଟର୍ ଅନ୍ତର୍ଗତ ଗୁରୁଙ୍ଗ ପାହାଡ଼ ପାଖରୁ ଭାରତ ଧରିଥିବା ଚୀନ୍ର ଜଣେ ସୈନିକଙ୍କୁ ତୁରନ୍ତ ଫେରାଇ ଦେବାକୁ ଚୀନ୍ କହିଛି।ଚୀନ୍ ସେନାର ଦୈନିକ ସମ୍ବାଦପତ୍ର ‘ପିଏଲ୍ଏ ଡେଲି’ଦ୍ୱାରା ଚାଳିତ ନିଉଜ୍ ପୋର୍ଟାଲ୍ ‘ଦି ଚାଇନା ମିଲିଟାରି ଅନ୍ଲାଇନ୍’ ଶନିବାର ଦିନ କହିଛି ଯେ, ଅନ୍ଧାର ଏବଂ ଜଟିଳ ଭୌଗୋଳିକ ଯୋଗୁଁ ସେହି ସୈନିକଜଣକ ବାଟବଣା ହୋଇଯାଇଥିଲେ।ଅନ୍ଧକାର ଏବଂ ଜଟିଳ ଭୌଗୋଳିକ ସ୍ଥିତି ଯୋଗୁଁ ‘ଚୀନା ପିପୁଲସ୍ ଲିବରେସନ୍ ଆର୍ମି’ର ସୀମାନ୍ତ ପ୍ରତିରକ୍ଷା ବଳର ଜଣେ ସୈନିକ ଶୁକ୍ରବାର ପ୍ରତ୍ୟୁଷରେ ଚୀନ୍-ଭାରତ ସୀମାନ୍ତରେ ବାଟବଣା ହୋଇଯାଇଥିଲେ। ବାଟବଣା ହୋଇଯାଇଥିବା ଚୀନା ସୈନିକଜଣକୁ ଖୋଜି ଉଦ୍ଧାର କରିବାକୁ ଭାରତୀୟ ସେନା ସହାୟତା କରିବ ବୋଲି ଆଶା କରି ପ୍ରଥମ ଥର ଲାଗି ‘ଚୀନା ପିପୁଲସ୍ ଲିବରେସନ୍ ଆର୍ମି’ ଭାରତୀୟ ପ୍ରତିପକ୍ଷଙ୍କୁ ଅବଗତ କରାଇଥିଲା।ଏଥିରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ସୈନିକଜଣକ ନିଖୋଜ ହେବାର ପ୍ରାୟ ଦୁଇଘଣ୍ଟା ପରେ ଧରାପଡ଼ିଥିବା କଥା ଭାରତ ସୁନିଶ୍ଚିତ କରିଛି। ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ନିର୍ଦେଶ ମିଳିଲେ ଅଟକ ଥିବା ଚୀନା ସୈନିକଙ୍କୁ ଚୀନ୍କୁ ହସ୍ତାନ୍ତର କରାଯିବ ବୋଲି ଭାରତ କହିଛି ବୋଲି ଉକ୍ତ ନିଉଜ୍ ପୋର୍ଟାଲ୍ରେ ଉଲ୍ଲେଖ ଅଛି।ଏଥିସହ ‘ଚୀନା ମିଲ୍ଟାରି ଅନ୍ଲାଇନ୍’ ଲେଖିଛି ଯେ, ଭାରତୀୟ କର୍ତ୍ତୃପକ୍ଷମାନେ ସୈନିକଜଣଙ୍କୁ ତୁରନ୍ତ ହସ୍ତାନ୍ତର କରିବା ସହ ସୀମାନ୍ତ ଅଞ୍ଚଳରେ ଉଭୟ ପକ୍ଷ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଉଚିତ।


