ମିଳିଲା ଦୁର୍ଘଟଣାଗ୍ରସ୍ତ ଇଣ୍ଡୋନେସୀୟ ବିମାନର ଭଗ୍ନାଂଶ ଓ ଯାତ୍ରୀଙ୍କ ଅଙ୍ଗପ୍ରତ୍ୟଙ୍ଗ

ନୂଆଦିଲ୍ଲୀ:  ରବିବାର ପ୍ରତ୍ୟୁଷରେ ଇଣ୍ଡୋନେସୀୟ ଉଦ୍ଧାକାରୀମାନେ ଜାଭା ସମୁଦ୍ରରୁ ଯାତ୍ରୀଙ୍କର ଦେହାଂଶ, ଚିରା ପୋଷାକପତ୍ର ଓ କିଛି ଧାତବ ଭଗ୍ନାଂଶ ପାଇଛନ୍ତି। ଗତକାଲି ୬୨ଜଣ ଲୋକଙ୍କୁ ନେଇ ଜାକର୍ତାରୁ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ଏକ ବୋଇଙ୍ଗ୍‌ ୭୩୭-୫୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜାକର୍ତା ପୁଲିସ ମୁଖପାତ୍ର ୟୁସ୍‌ରି ୟୁନୁସ୍‌ ‘ମେଟ୍ରୋ ଟିଭି’କୁ କହିଛନ୍ତି, ଆଜି ସକାଳ ସୁଦ୍ଧା ଆମେ ଦୁଇଟି ବ୍ୟାଗ୍‌ ପାଇଛୁ। ଗୋଟିଏ ବ୍ୟାଗ୍‌ରେ ଯାତ୍ରୀଙ୍କ ସାମଗ୍ରୀ ଥିବା ବେଳେ ଅନ୍ୟଟିରେ ମାନବ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଅଛି।କେତେଗୁଡ଼ିଏ କ୍ଷୁଦ୍ର ଯୁଦ୍ଧପୋତ, ହେଲିକପ୍ଟର୍‌ ଏବଂ କେତେକ ବୁଡ଼ାଳିଙ୍କୁ ସମୁଦ୍ରର ସମ୍ଭାବ୍ୟ ଦୁର୍ଘଟଣା ଅଞ୍ଚଳରେ ତଲାସ ପାଇଁ ମୁତୟନ କରାଯିବା ପରେ ଉପରୋକ୍ତ ଜିନିଷ ଉଦ୍ଧାର କରାଯାଇଛି।ପରିବହନ ମନ୍ତ୍ରୀ ବୁଦି କାର୍ଯ୍ୟା ସୁମାଦି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ‘ସମ୍ଭାବ୍ୟ ଦୁର୍ଘଟଣାସ୍ଥଳ ଚିହ୍ନଟ’ କରାଯିବା ପରେ କର୍ତ୍ତୃପକ୍ଷମାନେ ବ୍ୟାପକ ତଲାସ ଅଭିଯାନ ଆରମ୍ଭ କରିଛନ୍ତି।ଉପରୋକ୍ତ ଖଣ୍ଡବିଖଣ୍ଡ ସାମଗ୍ରୀ ସବୁ ‘ଏସ୍‌ଏଆର୍‌’ ଟିମ୍‌ ଲାନ୍‌କ୍ୟାଗ୍‌ ଦ୍ୱୀପ ଓ ଲାକି ଦ୍ୱୀପ ମଧ୍ୟବର୍ତ୍ତୀ ସମୁଦ୍ର ଜଳରାଶିରୁ ଉଦ୍ଧାର କରିଛନ୍ତି। ୧୦ଜଣ ପିଲାଙ୍କ ସମେତ ୬୨ଜଣ ଯାତ୍ରୀ ଓ ପରିଚାରକ ଥିବା ‘ଶ୍ରୀଓ୍ଵିଜୟା ଏୟାର୍‌ ଫ୍ଲାଇଟ୍‌ ଏସ୍‌ଜେ୧୮୨’ ବୋର୍ଣ୍ଣିଓ ଦ୍ୱୀପରେ ଥିବା ପୋଣ୍ଟିଆନକ ସହରକୁ ଯାଉଥିଲା। ଜାଭା ସମୁଦ୍ର ଉପର ଦେଇ ସେଠାରେ ପହଞ୍ଚିବାକୁ ପ୍ରାୟ ୯୦ ମିନିଟ୍‌ ସମୟ ଲାଗେ। ବିମାନର ସମସ୍ତ ଯାତ୍ରୀ ଇଣ୍ଡୋନେସୀୟ ନାଗରିକ ଥିଲେ ବୋଲି ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ