ଆଇନ ପାଖରେ ବନ୍ଧା ପଡିଛି ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପ୍ରସଙ୍ଗ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକରେ ପୂର୍ବରୁ ୧୯ଗୋଟି ପଞ୍ଚାୟତ ଥିବା ବେଳେ ୨୦୧୭ରେ ଏହାର ସଂଖ୍ୟା ବୃଦ୍ଧିଘଟି ୨୩ରେ ପହଞ୍ଚିଥିଲା। ରାଜ୍ୟସରକାର ନୂତନ ଭାବେ ବୟାବନାପୁର, ସାନଶାସନ, ବନ୍ଦାଳୋ-ମଢ଼ିଆଳି, ଝୁଟୁଣା ନାମରେ ଚାରିଗୋଟି ପଞ୍ଚାୟତ ସୃଷ୍ଟି କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ସରକାରଙ୍କ ପକ୍ଷରୁ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପାଇଁ ପ୍ରାୟ ୪୦ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ସେହି ଅନୁସାରେ ୩ଗୋଟି ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ହୋଇଥିବା ବେଳେ ଅଦ୍ୟାବଧି ଝୁଟୁଣା ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନହେବା ପରିତାପର ବିଷୟ ପାଲଟିଛି। ପଂଚାୟତର ପ୍ରଥମ ସରପଞ୍ଚ ନିର୍ବାଚିତ ହୋଇ ପାଞ୍ଚ ବର୍ଷ କାର୍ଯ୍ୟକାଳ ଶେଷ କରିଥିଲେ ସୁଦ୍ଧା ନୂତନ ଗୃହ ନିର୍ମାଣ ଏଯାଏଁ ସମ୍ଭବ ହୋଇପାରିନାହିଁ। ଝୁଟୁଣା ନାମରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପାଇଁ ବୈତରଣୀ ତଟ ତାରିଣୀ ମନ୍ଦିର ନିକଟରେ ସ୍ଥାନ ଚିହ୍ନଟ ହୋଇଥିବା ବେଳେ ସେଠାରେ ଶୁଭ ଭିତ୍ତିପ୍ରସ୍ତର ନାମ ଫଳକ ସହିତ ପାଞ୍ଚ ବର୍ଷ ହେବ ଟ୍ରିପଏ ବାଲି ଗଛିତ ହୋଇ ରହିଛି। ଚିହ୍ନଟ ସ୍ଥାନକୁ ବେଆଇନ ଦର୍ଶାଇ ଜନୈକ ବ୍ୟକ୍ତି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ମାମଲା ଦାୟର କରିଥିବାରୁ ଗୃହ ନିର୍ମାଣ ପ୍ରସଙ୍ଗ କେବଳ କେଇଫୁଟ ଗଛିତ ବାଲି ଓ ନାମଫଳକରେ ସୀମିତ ରହିଛି। କୋର୍ଟ ଏହା ଉପରେ ରହିତାଦେଶ ଆଣିଥିବାରୁ ଏଯାଏଁ ନୂତନ ପଞ୍ଚାୟତ ଗୃହଟିଏ ନିର୍ମାଣ ହୋଇପାରୁନାହିଁ। ଏପଟେ ଝୁଟୁଣା, ବ୍ରହ୍ମପୁର, ଦାଦେଶ୍ବର ଓ ବାବଲପୁର ଗ୍ରାମର ୧୧ଗୋଟି ୱାର୍ଡକୁ ନେଇ ଗଠନ ହୋଇଥିବା ନୂତନ ପଞ୍ଚାୟତ ଅଧିବାସୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ ନଥିବାରୁ ଆପତ୍ତି ଅଭିଯୋଗ ପାଇଁ ଲୋକେ ଅଯଥା ବ୍ଲକ ଅଫିସକୁ ଦୌଡ଼ି ନୟାନ୍ତ ହେଉଛନ୍ତି। ନୂତନ ପଞ୍ଚାୟତ ଗୃହ ନିର୍ମାଣ ପ୍ରସଙ୍ଗ ଆଇନ ପାଖରେ ବନ୍ଧା ପଡିଥିବା ବେଳେ ପଞ୍ଚାୟତରାଜ ବିଭାଗ ଓ ଜିଲ୍ଲା ପ୍ରଶାସନ ଏହାର ଆସୁ ସମାଧାନ ପାଇଁ ତତ୍ପରତା ପ୍ରକାଶ କରିବାକୁ ବୃଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।


