ଇଓଡବ୍ଲୁ ଚଢ଼ାଉକୁ ଗଞ୍ଜାମ ଜିଲ୍ଳା ଉତ୍କଳ ସାମ୍ବାଦିକ ସଂଘର ନିନ୍ଦା
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଦୁଇ ଦିନ ହେବ ଇଓଡବ୍ଲୁ ସମ୍ବାଦ ମୁଖ୍ୟ କାର୍ଯ୍ୟାଳୟରେ ପଶି ଆକ୍ରୋଶମୂଳକ ଭାବେ ଚଢ଼ାଉ ଜାରି ରଖିଛି I ଏହାକୁ ଗଞ୍ଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଅନୀଲ୍ କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ପାତ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟ ତୀବ୍ର ନିନ୍ଦା କରିଛନ୍ତି I ଗଞ୍ଜାମ ଜିଲ୍ଳା ଉତ୍କଳ ସାମ୍ବାଦିକ ସଂଘର ଅଭିଯୋଗ ପ୍ରକାରେ ଇଓଡବ୍ଲୁ ବା ଅର୍ଥନୈତିକ ଅପରାଧ ଶାଖା ପୂର୍ବରୁ ଗରିବ ଲୋକଙ୍କ କଷ୍ଟ ଅର୍ଜିତ ଅର୍ଥକୁ ଆତ୍ମସାତ କରିଥିବା ବିଭିନ୍ନ ଚିଟ୍ ଫଣ୍ଡ ମାମଲାର ତଦନ୍ତ କରୁଥିଲା I କିନ୍ତୁ ଆଜି ସୁଦ୍ଧା ଏହି ତଦନ୍ତର ଫଳାଫଳ ଆସୁନଥିବା ବେଳେ ତଦନ୍ତ କାର୍ଯ୍ୟକ୍ରମ ସରକାରଙ୍କର ନାଲି ଫିତା ତଳେ ଚାପି ହୋଇ ରହିଯାଇଛି I ଚିଟ୍ ଫଣ୍ଡ୍ ଠକେଇର ଶିକାର ହୋଇଥିବା ବହୁ ଗରିବ ଲୋକ ସେମାନଙ୍କର ଟଙ୍କା ଫେରି ପାଇବା ପାଇଁ ଇଓଡବ୍ଲୁକୁ ଯେଉଁ ଭରସା କରିଥିଲେ ତାହା ବର୍ତ୍ତମାନ ଧିରେ ଧିରେ ମଉଳିବାକୁ ବସିଲାଣି I ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡ଼ିର ଉଚ୍ଚ ପାଦ ପଦବୀରେ ଥିବା ସମୟରେ ଇଓଡବ୍ଲୁ ଚଢ଼ାଉ କରୁନଥିଲା I କିନ୍ତୁ ସୌମ୍ୟରଞ୍ଜନ ପଟ୍ଟନାୟକ ସରକାରୀ ଦଳ ଏବଂ ସରକାରୀ କଳର ଦୁର୍ନୀତି ଉପରେ ପ୍ରଶ୍ନ କରିବା ପରେ ଏକ ପୁରୁଣା ମାମଲାରେ ଇଓଡବ୍ଲୁ ଆକ୍ରୋଶମୂଳକ ଭାବେ ସରକାରୀ କଳର ଅପବ୍ୟବହାର କରି ଓଡିଶାର ବୃହତ୍ ମିଡ଼ିଆ ହାଉସ୍ ଉପରେ ଚଢ଼ାଉ ଘଟଣାକୁ ଆଜି ସଂଘ ଦୃଢ଼ ନିନ୍ଦା କରିବା ସହ ଆଗାମୀ ଦିନରେ ସାମ୍ବାଦିକ ମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସଭାପତି ଅନୀଲ୍ କୁମାର ପଟ୍ଟନାୟକ ଚେତାବନୀ ଦେଇଛନ୍ତି I


