ଉଲ୍ଲେଖନୀୟ କବିତା ରଚନା ପାଇଁ ବେଲଗୁଣ୍ଠା ସୁ ସାହିତ୍ୟିକ ମୋତିଲାଲ ସମ୍ବର୍ଦ୍ଧିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଘୁମୁସର ମାଟିର ଜନଶୁଣା ସାହିତ୍ୟି,ଗୀତିକାର,ତବଲା ବାଦକ ତଥା ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସଭାପତି ମୋତିଲାଲ ପତିଙ୍କୁ ସାହିତ୍ୟ ଜଗତରେ ଉଲ୍ଲେଖନୀୟ କବିତା ରଚନା ପାଇଁ ପୁରୀ ସୁଲେଖା ସାହିତ୍ୟ ସଂସଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି I ପୁରୀ ସ୍ଥିତ ଚକ୍ରତୀର୍ଥ ରୋଡ଼୍ ସଂସ୍କୃତି ଭବନ ଠାରେ ଏକ ସମ୍ବର୍ଦ୍ଧନା ଉତ୍ସବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ୨୫ ଜଣ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ସାହିତ୍ୟିକ ଶ୍ରୀ ପତି ଏହି ୨୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇଁ ଘୁମୁସର ମାଟି ପାଇଁ ଗର୍ବ ଆଣିବା ସହିତ ସୁଲେଖା ସାହିତ୍ୟ ସଂସଦ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ I ଏହି ସମ୍ବର୍ଦ୍ଧନା ଉତ୍ସବରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠି, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟର ଚାନସେଲର୍ ଡ.ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି,ସୁଲେଖା ସଭାପତି ସଦାଶିବ ମିଶ୍ର,ସମ୍ପାଦକ,ଗୀତିକାର ବାବାଜୀ ଚରଣ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସାହିତ୍ୟିକ ମାନଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୌକନ ଏବଂ ମାନପତ୍ର ଦେଇ ସମ୍ମାନୀତ କରିଥିଲେ I ଶ୍ରୀ ପତି ଏହି ସମ୍ମାନ ପାଇବା ପରେ ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସମ୍ବାଦ ସାହିତ୍ୟ ଘରର ସମସ୍ତ ସଦସ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି I


