ଏଗାରଟି ଦେଶର ଓଡ଼ିଆ କଳାକାରଙ୍କୁ ନେଇ ପାଳିତ ହେଲା କୁମାର ପୂର୍ଣ୍ଣିମା ଉତ୍ସବ
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): ଅକ୍ଟୋବର ୩୧ ତାରିଖ ସଂଧ୍ୟାରେ ବିଶ୍ୱର ବିଭିନ୍ନ ଦେଶରେ ଥିବା ଓଡ଼ିଆ କଳାକାରଙ୍କୁ ନେଇ ଏକ ଭିନ୍ନ ଶୈଳୀରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି | ପାରମ୍ପାରିକ ଓଡ଼ିଆ ପର୍ବ କୁମାର ପୂର୍ଣିମା ଭାରତ ତଥା ବିଶ୍ୱର ଅନ୍ୟାନ୍ୟ ବିଭିନ୍ନ ଦେଶମାନଙ୍କରେ ଅବସ୍ଥାନ କରୁଥିବା ବୁଦ୍ଧିଜୀବୀ ଓଡିଆଙ୍କ ଅନୁଷ୍ଠାନ ‘ଓଡିଶା ପଜିଟିଭ୍’ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା। ‘ଓଡିଶା ପଜିଟିଭ୍’ ର ଏସୀୟ ଦେଶ ମାନଙ୍କରେ ଥିବା ଶାଖାମାନେ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମଟିରେ ବିଭିନ୍ନ ଦେଶର କଳାକାର ମାନଙ୍କୁ ଅନଲାଇନ୍ ରେ ସଂଯୋଗ କରାଯାଇଥିଲା । ଯେଉଁ ଦେଶର ଓଡ଼ିଆ କଳାକାରମାନେ ଏଥିରେ ଭାଗ ନେଇଥିଲେ ସେଗୁଡ଼ିକ ହେଲେ ଜାପାନ, ଚୀନ, ହଂଗକଂଗ୍, ତାଇଓ୍ବାନ୍, ସିଂଗାପୁର, ମାଲୟେସିଆ, ଥାଇଲାଣ୍ଡ, ମ୍ୟାନମାର ଏବଂ ଭାରତ । ଭାରତ ସରକାରଙ୍କ ଭାରତୀୟ ସାଂସ୍କୃତିକ ସଂପର୍କ ପରିଷଦ, ଆଇ.ସି.ସି.ଆର୍, ର ଡିରେକ୍ଟର ଜେନେରାଲ ଶ୍ରୀ ଦୀନେଶ କୁମାର ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଉପଲକ୍ଷେ ନିଜର ବକ୍ତବ୍ୟ ରଖି ଓଡିଶାର ପର୍ଯ୍ୟଟନ, ଭାଷା ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଥିଲେ ଯେ ବିଦେଶରେ ଥିବା ପ୍ରବାସୀ ଓଡିଆ କଳାକାର ମାନଙ୍କୁ ଗୋଟିଏ ମଞ୍ଚକୁ ଆଣିବା ପାଇଁ ‘ଓଡିଶା ପଜିଟିଭ୍’ର ଏହି ପ୍ରୟାସ ଅତି ପ୍ରଶଂସନୀୟ । ଅନଲାଇନ୍ ରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜାପାନ ଦେଶର ଓଡିଶୀ ନୃତ୍ୟାଂଗନା ଚିସାଟୋ ମିଉରା ପାରଂପରିକ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ଏବଂ ମାହିକା ପାଣ୍ଡେ ପ୍ରସ୍ତୁତ କରିଥିଲେ ଓଡିଆ ଗୀତ “କୁଆଁର ପୁନେଇଁ ଜହ୍ନ ଲୋ, ଫୁଲ ବଉଳ ବେଣୀ।” ସିଂଗାପୁରରେ ଥିବା ଓଡ଼ିଆ କଳାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଲୋକ ନୃତ୍ୟ ମଧ୍ୟ ଅନ୍ୟତମ ଆକର୍ଷଣ ଥିଲା । ମାଲୟେସିଆର କଳାକାରମାନଙ୍କ ଗୋଷ୍ଠୀ ସଂଗୀତ ମନୋମୁଗ୍ଧକର ଥିଲା । ଭିଏତନାମରୁ ଟୁନା ଖଟୁଆ ଶ୍ଲୋକ ପାଠ କରିଥିଲେ ଏବଂ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ଦେବାଜ୍ୟୋତି ବିଶ୍ୱାଳ ଓ ରୀତିକା ମଣ୍ଡଳ। ଥାଇଲାଣ୍ଡର ଗାୟକମାନେ ମାନେ ଶିଶୁ କଳାକାରଙ୍କ ଗହଣରେ ଏକ ଗୋଷ୍ଠୀ ସଂଗୀତ ପ୍ରସ୍ତୁତ କରିଥିଲେ। ବିଶିଷ୍ନ କଣ୍ଠ ଶିଳ୍ପୀ ସୁଶ୍ରୀ ନଜିଆ ଆଲମ୍ ମଧ୍ୟ ପ୍ରସ୍ତୁତ କରିଥିଲେ ଓଡ଼ିଆ ଆଧୁନିକ ଗୀତ “ଏଇ ମୋ ମନ।”ଏହା ସହ ଜାପାନ କ୍ୟୋଟୋ ର ଆନ୍ତର୍ଜାତିକ ପର୍ଯ୍ୟଟନ ରାଷ୍ଟ୍ର ଦୂତ କୁନା ଦାଶ ଏଥିରେ ଭାଗ ନେଇ ନିଜର ମନ୍ତବ୍ୟ ପ୍ରକାଶ କରିଥିଲେ | ଏହଗ ଅବସରରେ ଭାରତର ବିଭିନ୍ନ ପ୍ରାନ୍ତରୁ ମଧ୍ୟ ବିଶିଷ୍ଟ ଓଡ଼ିଆ କଳାକାରମାନେ ଭାଗ ନେଇଥିଲେ। ଭାରତୀୟ କଳାକାରମାନଙ୍କ ମଧ୍ୟରେ ଥିଲେ ସୁସ୍ମିତା ଦାସ, ରୀମା ମିଶ୍ର, ନବଜ୍ୟୋତି ଦାସ ମମତା ତ୍ରିପାଠୀ ଓ ଅନ୍ୟମାନେ । ଶ୍ରୀ ଲିଙ୍ଗରାଜ ଦାସ ତବଲାବାଦନ ପ୍ରସ୍ତୁତ କରିଥିଲେ । ଏହି ଅବସରରେ ସୁଦାମ ପ୍ରଧାନଙ୍କ ବାଲୁକା କଳା ମଧ୍ୟ ଆକର୍ଷଣୀୟ ହୋଇପାରିଥିଲା । ‘ଓଡ଼ଶା ପଜିଟିଭ୍’ ର ଅଧ୍ୟକ୍ଷ ଶ୍ରୀ ସଂଜୀବ କୁମାର ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମଟି ଅନୁଷ୍ଠାନର ଆନର୍ଜାତିକ ପରାମର୍ଶଦାତା ଶ୍ରୀ ଶରତ ମହାନ୍ତିଙ୍କ ଦିଶାନିର୍ଦ୍ଦେଶରେ ଦିଲ୍ଲୀର ବିଶିଷ୍ଠ ହୃଦ୍ ଚିକିତ୍ସକ ଡାକ୍ତର ବିକ୍ରମ ମହାନ୍ତିଙ୍କ ଦ୍ୱାରା ସୁଚାରୁ ରୂପେ ପରିଚାଳିତ ହୋଇଥିଲା ।


