ଓରାଳି ଛକରେ ୧୪୪ଧାରା , ଗିରଫ ଭୟରେ ଓରାଳି ଗାଁ ପୁରୁଷ ଶୁନ୍ୟ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର-ଭଦ୍ରକ ରାସ୍ତାର ଓରାଳିଛକରେ ସଂଘର୍ଷ ଓ ପୋଡାଜଳା ଘଟଣା ପରେ ପରେ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ୧୪୪ଧାରାକୁ ପରିବର୍ଦ୍ଧିତ କରାଯାଇଛି । ଆଜି ଦିନ ୧୧ଟା ପର୍ଯ୍ୟନ୍ତ ୧୪୪ଧାରା ପୁର୍ବରୁ ଜାରି ହୋଇଥିବାବେଳେ ଏହା ପୁନର୍ବାର ତିନିଦିନ ପାଇଁ ବଢ଼ାଇ ଦିଆଯାଇଛି । ଭଦ୍ରକ ଉପଜିଲ୍ଲାପାଳ ଆସନ୍ତା ୭୨ ଘଣ୍ଟା ଅର୍ଥାତ ୨୧ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ଏହାକୁ ବଢ଼ାଇଛନ୍ତି । ତେଣୁ ବଜାରଟି ପୁର୍ବଭଳି ଆଜି ମଧ୍ୟ ଶୁନଶାନ ଥିବା ଦେଖିବାକୁ ମିଳିଥିଲା । ବସରେ ଆସୁଥିବା ଯାତ୍ରୀମାନେ ଏବେ ଓରାଳି ଛକରେ ନଓହ୍ଲାଇ ବନ୍ତ କିମ୍ବା ବସନ୍ତିଆରେ ଓହ୍ଲାଇ ଅନ୍ୟ ରାସ୍ତା ଦେଇ ନିଜ ନିଜ ଗାଁକୁ ଯାଉଥିବା ଦେଖିବାକୁ ମିଳିଛି । ବିବାଦର ସମାଧାନ କରିବାପାଇଁ ଉଭୟ ପଞ୍ଚାୟତର କିଛି ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଓରାଳି ଛକରେ ରହୁଥିବା ଆପଣ୍ଡା ଗ୍ରାମର ଜଣେ ବ୍ୟକ୍ତିଙ୍କର ଆଜି ହୃଦଘାତରେ ମୃତୁ୍ୟ ହୋଇଯାଇଥିବାରୁ ସମାଧାନ ପାଇଁ ହେଉଥିବା ଉଦ୍ୟମକୁ ଦିନେ ଦୁଇଦିନ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଅନ୍ୟପକ୍ଷରେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ ସାମଲ, ଓ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ମଧ୍ୟରେ ଆଲୋଚନା କରାଯାଇ ଆସନ୍ତା ୨୪ତାରିଖ ଭିତରେ ଉଭୟ ପକ୍ଷଙ୍କ ମଧ୍ୟରେ ବସି ସମାଧାନ ପାଇଁ ଉଦ୍ୟମ ହେଉଥିବା ଶୁଣିବାକୁ ମିଳିଛି । ଅନ୍ୟପକ୍ଷରେ ଓରାଳି ଗ୍ରାମର ୯୬ଜଣ ଓ ଅନେକ ଲୋକଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଥିବାରୁ ଗିରଫ ଭୟରେ ଗ୍ରାମର ପୁରୁଷ ବ୍ୟକ୍ତି ମାନେ ଗାଁ ଛାଡି ଦେଇଛନ୍ତି । ୧୮ବର୍ଷରୁ ଉର୍ଦ୍ଧ କୌଣସି ପୁରୁଷ ଗାଁରେ ନଥିବାରୁ ଗାଁଟି ପୁରୁଷ ଶୁନ୍ୟ ହୋଇପଡିଛି । ଆଜି ଓରାଳି ସ୍କୁଲରେ ଓରାଳି ଗ୍ରାମର ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ ଥିବାବେଳେ ଆପଣ୍ଡା ଗ୍ରାମର ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଅଧିକ ଥିବା ଦେଖିବାକୁ ମିଳିଥିଲା ।


