ଓଡ଼ିଶାରେ ଭାରତ ବନ୍ଦର ପ୍ରଭାବ ଅଦ୍ଭୁତପୂର୍ବ:-କୃଷକ ସଂଘର୍ଷ ସମନ୍ୱୟ ସମିତି
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ସଂଯୁକ୍ତ କୃଷକ ମୋର୍ଚ୍ଚା ଏବଂ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ତରଫରୁ ଆହୂତ ଭାରତ ବନ୍ଦ ଓଡ଼ିଶାରେ ଅଦ୍ଭୁତପୂର୍ବ ଭାବେ ସଫଳ ହୋଇଛି ବୋଲି କୃଷକ ସଂଘର୍ଷ ସମନ୍ୱୟ ସମିତି, ଓଡ଼ିଶା ଶାଖା ତରଫରୁ କୁହାଯାଇଛି । ରାଜ୍ୟର ୧୬ଟି ପ୍ରମୁଖ କୃଷକ ସଂଗଠନମାନଙ୍କୁ ନେଇ ଗଠିତ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି, ଓଡ଼ିଶା ଶାଖା ସାରା ରାଜ୍ୟରେ ଆଜିର ଆନ୍ଦୋଳନକୁ ସଂଯୋଜନା ଏବଂ ସମନ୍ୱୟ ରକ୍ଷା କରି କାମ କରିଥିଲା । ଓଡ଼ିଶାରେ ଏହି ବନ୍ଦକୁ ୧୫ଟି ବାମ, ଧର୍ମନିରପେକ୍ଷ ଏବଂ ଗଣତାନ୍ତ୍ରିକ ରାଜନୈତିକ ଦଳ, ସମସ୍ତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ, ସ୍ୱାଧୀନ ଫେଡ଼େରେସନ ଏବଂ ବିଭିନ୍ନସ୍ତରର ଶ୍ରମିକ କର୍ମଚାରୀ, ଯୁବ, ଛାତ୍ର, ମହିଳା ଏବଂ କୃଷି ଶ୍ରମିକ ସଂଗଠନମାନେ ଏହାକୁ ସମର୍ଥନ ଜଣାଇ ପ୍ରତିବାଦ କରିବା ପାଇଁ ରାସ୍ତାକୁ ଆସିଥିଲେ । ଏଥିପାଇଁ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ବନ୍ଦ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛି । ରେଳ ଷ୍ଟେସନ ପିକେଟିଂ, ମାଷ୍ଟର କ୍ୟାଣ୍ଟିନ ଛକରେ ପିକେଟିଂ, ଜୟଦେବ ବିହାର ଛକସ୍ଥିତ ଜାତୀୟ ରାଜପଥରେ ପିକେଟିଂ, ଖଣ୍ଡଗିରି ଛକ ଏବଂ ବରମୁଣ୍ଡା ବସ୍ଷ୍ଟାଣ୍ଡ ଇତ୍ୟାଦି ଜାତୀୟ ରାଜପଥରେ ପିକେଟିଂ ହେବା ସହିତ ଯୁବଛାତ୍ର ସଂଗଠନମାନେ ମୋଟର ସାଇକେଲ ଶୋଭାଯାତ୍ରା ଇତ୍ୟାତି ସଂଗଠିତ କରି ବନ୍ଦକୁ ସଫଳ କରିଛନ୍ତି । ଏହି ସଫଳତା ପାଇଁ ରାଜଧାନୀବାସୀଙ୍କୁ କୃଷକ ସଂଘର୍ଷ ସମନ୍ୱୟ ସମିତି ଅଭିନନ୍ଦନ ଜଣାଇଛି । ଭୁବନେଶ୍ୱର ଏହି ଆନ୍ଦୋଳନରେ ଅଖିଳ ଭାରତ କୃଷକ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ରାଜ୍ୟ ଉପସଭାପତି ଜଗନ୍ନାଥ ମିଶ୍ର, ପ୍ରଭାତ ପାଣିଗ୍ରାହୀ, ଆଦିବାସୀ ନେତା ସାଲ ମାର୍ଣ୍ଡିଂ, କିଷାନ କଂଗ୍ରେସ ରାଜ୍ୟ ନେତା ଅମୀୟ କୁମାର ପଟ୍ଟନାୟକ, ଅଖିଳ ଭାରତ ଅଗ୍ରଗାମୀ କୃଷକ ସଭାର ରାଜ୍ୟ ଉପଦେଷ୍ଟା ଜ୍ୟୋତି ରଞ୍ଜନ ମହାପାତ୍ର, ନାରାୟଣ ଡ଼ାଳୁଅ, ଜିତେନ୍ଦ୍ରିୟ ବେହେରା, ଏଆଇକେକେଏମ୍ଏସ୍ର ରାଜ୍ୟ ସମ୍ପାଦକ ରଘୁନାଥ ଦାସ, ଇନ୍ସାଫ୍ର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ସମାଜବାଦୀ କୃଷକ ମୋର୍ଚ୍ଚାର ରାଜ୍ୟ ଉପଦେଷ୍ଟା ସୁଦର୍ଶନ ପ୍ରଧାନ, ଅଖିଳ ଭାରତ କୃଷକ ମହାସଭାର ରାଜ୍ୟ ଉପଦେଷ୍ଟା ମହେନ୍ଦ୍ର ପରିଡ଼ା ପ୍ରମୁଖ ରେଳ ଷ୍ଟେସନ, ମାଷ୍ଟର କ୍ୟାଣ୍ଟିନ ଇତ୍ୟାଦି ସ୍ଥାନରେ ପିକେଟିଂ କରି ନେତୃତ୍ୱ ନେଇଥିଲେ । ପରବୀର୍ତ୍ତୀ ସମୟରେ ସମସ୍ତ କୃଷକ ସଂଗଠନ, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ସମୂହ ଏବଂ ରାଜନୈତିକ ଦଳମାନଙ୍କର ଏକ ମିଳିତ ଶୋଭାଯାତ୍ରା ରାଜମହଲ ଛକଠାରୁ ବାହାରି ମହାତ୍ମା ଗାନ୍ଧୀ ମାର୍ଗଠାରେ ପହଞ୍ôଚବା ପରେ ମୋଦି ସରକାରର କୃଷକ ବିରୋଧୀ କୃଷି ଆଇନ୍ ରଦ୍ଦ କରିବା ଦାବୀରେ ଆଇନ ଅମାନ୍ୟ ଆନ୍ଦୋଳନ କରି ଗିରଫ ହୋଇଥିଲେ । ଏହି ଶୋଭାଯାତ୍ରା ଏବଂ ସତ୍ୟାଗ୍ରହ ଆନ୍ଦୋଳନରେ ଓଡ଼ିଶାର ତୁଙ୍ଗ ରାଜନୈତିକ ନେତୃବୃନ୍ଦ ଏବଂ ଶ୍ରମିକ ଆନ୍ଦୋଳନର ରାଜ୍ୟ ନେତୃତ୍ୱ ଅଂଶଗ୍ରହଣ କରି ଗିରଫ ହୋଇଥିଲେ । ସର୍ବଶ୍ରୀ ପଞ୍ଚାନନ କାନୁନଗୋ, ଅଳିକିଶୋର ପଟ୍ଟନାୟକ, ଆଶିଷ କାନୁନଗୋ, ଯୁଧିଷ୍ଠିର ମହାପାତ୍ର, ଜ୍ୟୋତି ରଞ୍ଜନ ମହାପାତ୍ର, ଶିବାନନ୍ଦ ରାୟ, ବିକ୍ରମ ସ୍ୱାଇଁ, ସୁଦର୍ଶନ ପ୍ରଧାନ, ଶିବାନନ୍ଦ ରାୟ ପ୍ରମୁଖ ରାଜନୈତିକ ନେତୃବୃନ୍ଦ ଗିରଫ ହୋଇଥିଲେ । ଏହା ସହିତ ଶ୍ରମିକ ନେତା ଜନାର୍ଦ୍ଦନ ପତି, ରାମକୃଷ୍ଣ ପଣ୍ଡା, ରାମଚନ୍ଦ୍ର ଖୁଣ୍ଟିଆ, ବୀରେନ୍ଦ୍ର ପ୍ରତାପ ଦାସ, ରାଧାକାନ୍ତ ସେଠି, କିଶୋର ଜେନା, ପୂର୍ଣ୍ଣଚନ୍ଦ୍ର ବେହେରା, ମହେନ୍ଦ୍ର ପରିଡ଼ା ପ୍ରମୁଖ ନେତୃବୃନ୍ଦ ଗିରଫ ହୋଇଥିଲେ । ଏହା ସହିତ ମହିଳା ନେତ୍ରୀ ପ୍ରଣତି ମିଶ୍ର, ପୁଷ୍ପା ଦାସ, ତାପସୀ ପ୍ରହରାଜ ଏବଂ ନିରୂପମା ନାୟକ ପ୍ରମୁଖ ପିକେଟିଂ କରି ଗିରଫ ହୋଇଥିଲେ ।
ଠିକ୍ ସେହିଭଳି ବରଗଡ଼ ଜିଲ୍ଲାରେ ପଶ୍ଚିମ ଓଡ଼ିଶା କୃଷକ ସଂଘର୍ଷ ସମନ୍ୱୟ ସମିତିର ରାଜ୍ୟ ଆବାହକ ଲିଙ୍ଗରାଜ, ଅଗ୍ରଗାମୀ କୃଷକ ସଭାର ରାଜ୍ୟ ସଭାପତି ଗୋପାଳ ଅଗ୍ରୱାଲ, ସମ୍ବଲପୁର ଜିଲ୍ଲାରେ ଏଆଇକେଏସ୍ର ରାଜ୍ୟ ସମ୍ପାଦକ କ୍ଷୀରୋଦ କୁମାର ସିଂଦେଓ, ଜଗତସିଂହପୁର ଜିଲ୍ଲାରେ ଏଆଇକେଏସ୍ର ରାଜ୍ୟ ସମ୍ପାଦକ ଶଶୀଭୂଷଣ ସ୍ୱାଇଁ, ଅନୁଗୁଳ ଜିଲ୍ଲାରେ ଓଡ଼ିଶା କୃଷକ ସଭାର ରାଜ୍ୟ ସଭାପତି ଜମ୍ବେଶ୍ୱର ସାମନ୍ତରାୟ, ପୁରୀ ଜିଲ୍ଲାରେ ଅଖିଳ ଭାରତ କୃଷକ ମହାସଭାର ରାଜ୍ୟ ସମ୍ପାଦକ ଅଶୋକ ପ୍ରଧାନ, ଅଖିଳ ଭାରତ କ୍ଷେତ ମଜଦୁର କୃଷକ ସଭାର ରାଜ୍ୟ ଆବାହକ ଶ୍ରୀକାନ୍ତ ମହାନ୍ତି, ଗଞ୍ଜାମ ଜିଲ୍ଲାରେ ଏନ୍ଏପିଏମ୍ର ରାଜ୍ୟ ଆବାହକ ପ୍ରଫୁଲ୍ଲ ସାମନ୍ତରା, ଅଖିଳ ଭାରତ କିଷାନ ମଜଦୁର ସଭାର ଜାତୀୟ ସମ୍ପାଦକ ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଋଷିକୁଲ୍ୟା ରୟତ ମହାସଂଘର ସମ୍ପାଦକ ସୀମାଞ୍ଚଳ ନାହାକ, ଚାଷୀ ଅଧିକାର ସଂଗ୍ରାମ ମଞ୍ଚର ବିଜୟ ସ୍ୱାଇଁ, କନ୍ଧମାଳ ଜିଲ୍ଲାରେ ଚାଷୀ ମୂଲିଆ ସୁରକ୍ଷା ସଂଗ୍ରାମ ପରିଷଦର ଆବାହକ ବଳଭଦ୍ର ମାଝୀ, ବଲାଙ୍ଗୀର ଜିଲ୍ଲାରେ ଗୋପବନ୍ଧୁ କୃଷକ ସଂଘର ଆବାହକ ବିରଞ୍ôଚ ବରିହା ପ୍ରମୁଖ ପିକେଟିଂ କରି ଗିରଫ ହୋଇଥିଲେ । ଏହି ଭାରତ ବନ୍ଦ ଆନ୍ଦୋଳନରେ କୃଷକ, ଶ୍ରମିକ ଏବଂ ଜନମତକୁ ସମ୍ମାନ ଦେଇ ମୋଦି ସରକାର କର୍ପୋରେଟ ସପକ୍ଷବାଦୀ କୃଷକ-କୃଷି ସର୍ବନାଶକାରୀ ତିନୋଟି କୃଷି ଆଇନକୁ ରଦ୍ଦ କରିବା ଏବଂ ବିଦ୍ୟୁତ୍ ବିଲ୍-୨୦୨୦କୁ ତୁରନ୍ତ ପ୍ରତ୍ୟ।।ହାର କରିବା ପାଇଁ କୃଷକ ସଂଘର୍ଷ ସମନ୍ୱୟ ସମିତି ଦୃଢ ଭାବେ ଦାବି କରିଛି । ସରକାର ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ସାରା ଦେଶରେ ଆହୂତ ଏହି କୃଷକ ଆନ୍ଦୋଳନକୁ ଓଡ଼ିଶା ରାଜ୍ୟରେ ମଧ୍ୟ ତୀବ୍ରତର କରାଯିବ ବୋଲି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଓଡ଼ିଶା ଶାଖା ତରଫରୁ ସୁରେଶ ପାଣିଗ୍ରାହୀ ଏକ ପ୍ରେସ୍ ବିଜ୍ଞପ୍ତିରେ ଘୋଷଣା କରିଛନ୍ତି ।


