କପିଳେଶ୍ୱର ଶିବ ମନ୍ଦିର ରୁ ମୂର୍ତ୍ତି ଚୋରି ମାମଲା,ସର୍ତ୍ତମୂଳକ ଭାବେ ଖଲାସ ହେଲେ ଅଭିଯୁକ୍ତ

ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ଥାନା ଛଣମେରୀ ଗ୍ରାମର ପ୍ରସିଦ୍ଧ ଶ୍ରୀ କପିଳେଶ୍ୱର ଶିବ ମନ୍ଦିର ମଧ୍ୟରୁ ଦେବୀ ପାର୍ବତୀ ଙ୍କ ମୂର୍ତ୍ତି ଚୋରି ମାମଲାର ଅଭିଯୁକ୍ତ ସୁଦର୍ଶନ ଚୌଧୁରୀ ଙ୍କୁ ପି.ଓ ଆକ୍ଟ ଅନୁସାରେ ସର୍ତ୍ତମୂଳକ ଭାବେ ଖଲାସ କରାଯାଇଛି । ଶୁକ୍ରବାର ଦିଗପହଣ୍ଡି ଜେ ଏମ୍ ଏଫ୍ ସି କୋର୍ଟର ମାଜିଷ୍ଟ୍ରେଟ ସଞ୍ଜୟ ଶୁଭବ୍ରତ ଆଚାର୍ଯ୍ୟ ଏହି ବହୁ ଚର୍ଚ୍ଚିତ ଚୋରି ମାମଲା ର ଚୂଡାନ୍ତ ଶୁଣାଣି କରି ଅଭିଯୁକ୍ତଙ୍କୁ ସ୍ଥାନୀୟ ସବଜେଲ ରୁ ଖଲାସ କରିବା ନିମନ୍ତେ ଆଦେଶନାମା ଜାରି କରିଛନ୍ତି । ଅଭିଯୁକ୍ତ ଜଣକ ଜେଲରୁ ଖଲାସ ହେବା ଦିନଠାରୁ ୨ ବର୍ଷ ପର୍ଯ୍ୟନ୍ତ ନିଜ ଚରିତ୍ର ସ୍ୱଚ୍ଛ ରଖିବା ସହ କୌଣସି ଅପରାଧିକ କାର୍ଯ୍ୟକଳାପ ରେ ଲିପ୍ତ ନ ରହିବାକୁ ମାଜିଷ୍ଟ୍ରେଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସେ ନିୟମିତ ବ୍ୟବଧାନରେ ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷଣ ଅଧିକାରୀଙ୍କ ଇଜଲାସରେ ହାଜର ହେବା ସହ ରିପୋର୍ଟ ପ୍ରଦାନ କରିବାକୁ ସର୍ତ୍ତ ରଖାଯାଇଛି । ଗତ ୨୦୧୯ ସେପ୍ଟେମ୍ବର ୭ ତାରିଖ ସନ୍ଧ୍ୟା ପ୍ରାୟ ସାଢେ଼ ୭ ଟାରେ ମନ୍ଦିର ପରିସର ଅନ୍ଧାର ଥିବା ସୁଯୋଗ ନେଇ କୌଣସି ଦୁର୍ବୃତ୍ତ ମନ୍ଦିରରେ ପୁଜାପାଉଥିବା ଅଷ୍ଟଧାତୁ ରେ ନିର୍ମିତ ବହୁ ପୁରାତନ ଦେବୀ ପାର୍ବତୀ ଙ୍କ ମୂର୍ତ୍ତି କୁ ଚୋରି କରି ନେଇଥିବା ସମ୍ପର୍କରେ ଜଣାପଡ଼ିଥିଲା। ଖବର ପ୍ରଚାରିତ ହେବା ପରେ ମନ୍ଦିର ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ଓ ବହୁ ସଂଖ୍ୟକ ଗ୍ରାମବାସୀ ରାତି ସାରା ବିଭିନ୍ନ ଅଞ୍ଚଳକୁ ଯାଇ ଖାନ ତଲାଶ କରିଥିଲେ ମଧ୍ୟ ମୂର୍ତ୍ତିର ସନ୍ଧାନ ମିଳିନଥିଲା । ପରଦିନ ସକାଳେ ଗ୍ରାମବାସୀ ଡେଙ୍ଗାଓସ୍ତା ଗ୍ରାମରେ ସନ୍ଦେହ ଜନକ ଭାବେ ଚଲାବୁଲା କରୁଥିବା ସୁଦର୍ଶନଙ୍କୁ ଧରି ପଚରା ଉଚୁରା କରିବାପରେ ସେ ମୂର୍ତ୍ତି ଚୋରି କରିଥିବା ମାନିଥିଲେ । ପରେ ଗ୍ରାମବାସୀ ତାଙ୍କ ବାରିପଟ ଗୋବର ଗଦାରୁ ମୂର୍ତ୍ତିକୁ ଉଦ୍ଧାର କରିଥିଲେ। ଶୈବପୀଠ ପରିଚାଳନା କମିଟି ସଭାପତି ସୁକାନ୍ତ କୁମାର ପ୍ରଧାନଙ୍କ ଏତଲା କ୍ରମେ ଥାନା ମାମଲା ନଂ.୧୭୬/୧୯ ଦଫା – ୩୮୦/୪୫୭ ଆଇ ପି ସି ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଥିଲା । ତଦନ୍ତକାରୀ ପୋଲିସ ଅଧିକାରୀ ମଧୁସ୍ମିତା ପ୍ରଧାନ ଜି. ଆର୍ ମାମଲା ନଂ. ୨୧୨/୧୯ ରେ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ପ୍ରଦାନ କରିବା ପରେ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ହରପ୍ରସାଦ ରଥ ଏବଂ ସରକାରଙ୍କ ପକ୍ଷରୁ ଏ.ପି.ପି ନକୁଳ ପ୍ରଧାନ ଏବଂ ବିପ୍ଳବ କୁମାର ମୁଦୁଲି ମାମଲା ପରିଚାଳନା କରିଥିଲେ । ଦୀର୍ଘ ୧୩ ମାସ ୧୨ ଦିନ ବିଚାରାଧୀନ ଅନ୍ତେବାସୀ ଭାବେ ରହିଥିବା ଅଭିଯୁକ୍ତ ସୁଦର୍ଶନ ଶୁକ୍ରବାର ସନ୍ଧ୍ୟାରେ ଦିଗପହଣ୍ଡି ସବଜେଲ ରୁ ମୁକୁଳି ଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ