କରୋନାରେ ୨ଦିନରେ ୭ଜଣଙ୍କ ମୃତ୍ୟୁ
କେନ୍ଦ୍ରାପଡ଼ା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସହରରେ କରୋନା ମହାମାରୀ ଧିରେ ଧିରେ କାୟା ବିସ୍ତାର କରି ଚାଲିଥିବା ବେଳେ କରୋନାରେ ବୁଧବାର ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାଦ୍ୱାରା ସାଧାରଣରେ ଆତଙ୍କ ସୃଷ୍ଟି ହୋଇଥିବା ଦେଖାଯାଇଛି । ପରିବାର ପକ୍ଷରୁ ମୃତ୍ୟୁର କାରଣ ଭିନ୍ନ କୁହାଯାଉଥିଲେବି ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଦିଲ୍ଲିପ ସିଂହ, ଇଂ ବିଶ୍ୱ ଭୁଷଣ ଭୂୟାଁ, ଗୋକୁଳି ଦାସ, ମହମ୍ମଦ ଖୁଲସନ ଅଲ୍ଲୀ ପ୍ରମୁଖ ୫ଜଣଙ୍କୁ କିଛିଦିନ ଧରି ଜ୍ୱର ହେବା ପରେ ସେମାନେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସେହିପରି ଗୁରୁବାର ଗୋବରୀ ନଦୀ ବାଇପାସ ରୋଡରେ ଦୋକାନ କରିଥିବା ପୈାରାଂଚଳ ଅନ୍ତର୍ଗତ ଇଦଗାମହଲାର ସେକ ସାଦିଲ(୪୫)ଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଗୋଟିଏ ଦିନରେ ୫ଜଣଙ୍କର ମୃତ୍ୟୁ ହେବା ପରେ ଆଜି ପୁଣି ଆଉ ଜଣଙ୍କର ମୃତ୍ୟୁ ହେବା ସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି । ଏଠାରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରାଯାଉନଥିବା ମଧ୍ୟ ଅଭିଯୋଗ ହେଉଛି । ପୂର୍ବରୁ ସହରର କୈାଣସି ସ୍ଥାନରେ କୋଭିଡ ପଜିଟିଭ ରୋଗୀ ବାହାରିଲେ ସଂପୃକ୍ତ ରୋଗୀଙ୍କୁ ଛତାସ୍ଥିତ କୋଭିଡ ହସପିଟାଲକୁ ନିଆଯାଉଥିବା ବେଳେ ସଂପୃକ୍ତ ଅଂଚଳକୁ କଂଟେନମେଂଟ ଯୋନ ଘୋଷଣା କରାଯାଇ କଂଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରାଯାଉଥିଲା । ସଂପୃକ୍ତ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ ସ୍ୱାବ ପରୀକ୍ଷା କରାଯାଉଥିଲା । କିନ୍ତୁ ଏବେ ସେସବୁ ହେଉନଥିବା ବେଳେ ପଜିଟିଭ ରୋଗୀଙ୍କୁ ତାଙ୍କ ନିଜ ଘରେ ରହିବାକୁ ସୁଯୋଗ ଦିଆଯାଉଥିବାରୁ ସଂପୃକ୍ତ ରୋଗୀ କଟକଣା ଭିତରେ ନରହି ବାହାରେ ବୁଲିବାରୁ ଏଭଳି ହେଉଥିବା ମଧ୍ୟ ଅଭିଯୋଗ ହେଉଛି । ପ୍ରଶାସନ ଏଥିପ୍ରତି ଆବଶ୍ୟକ ଧ୍ୟାନ ଦେବାକୁ ସାଧାରଣରେ ଦାବୀ ହେଉଛି ।


