କରୋନା ଆଳରେ ବିଦ୍ୟାଳୟରେ ଝୁଲୁଛି ତାଲା

ନାଉଗାଁ,(ଓ୍ବାଇଏନ୍ଏସ୍): କରୋନା ସଂକ୍ରମଣ ବୃଦ୍ଧି ପାଇବା ଯୋଗୁ ସରକାରଙ୍କ ତରଫରୁ ବିଭିନ୍ନ କଟକଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଦ୍ୟାଳୟକୁ ମାର୍ଚ୍ଚ ମାସ ୩ୟ ସପ୍ତାହ ଠାରୁ ବନ୍ଦ ରଖାଯାଇଛି । ପିଲାମାନଙ୍କ ପାଠ ପଢାରେ ଯେପରି ବ୍ୟାଘାତ ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଇ ଅନଲାଇନ ମାଧ୍ୟମରେ ପାଠପଢା ଚାଲୁ ରହିଛି । ଶିକ୍ଷାବର୍ଷ ଆରମ୍ଭ ହେବା ପରେ ବିଦ୍ୟାଳୟ ଗୁଡିକରେ ନାମ ଲେଖା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡ ପାଇଁ ଯଦିଓ ନାମ ଲେଖା ଚଳିତ ବର୍ଷ ବିଳମ୍ବ ହୋଇଛି ତଥାପି କଟକଣା ମଧ୍ୟରେ ବିଦ୍ୟାଳୟ ଗୁଡିକୁ ଖୋଲି ପିଲାମାନଙ୍କର ନାମ ଲେଖାଇବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି । ସେହିପରି  ଜୁନ ମାସରୁ ସମସ୍ତ ବିଦ୍ୟାଳୟରେ ନାମ ଲେଖା ଆରମ୍ଭ ହୋଇଥିବା ବେଳେ ଏହି ଦିନ ଠାରୁ ପ୍ରତ୍ୟେକ ବିଦ୍ୟାଳୟର କାର୍ଯ୍ୟାଳୟ ଖୋଲା ରହିବା ସହିତ ଶିକ୍ଷକମାନେ ରୋଷ୍ଟର ଡିୟୁଟିରେ ରହିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି । ନାଉଗାଁ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ ୯ଟି କ୍ଲଷ୍ଟର ରହିଥିବା ବେଳେ ଏଥି ମଧ୍ୟରେ ୮୮ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ରହିଛି । ବର୍ତମାନ ବିଦ୍ୟାଳୟରେ ନାମ ଲେଖା ଚାଲୁ ରହିଅଛି । ନାମଲେଖା ଚାଲୁ ରହିଥିବା ବେଳେ ଅଧିକାଂଶ ବିଦ୍ୟାଳୟରେ ତାଲା ଝୁଳୁଥିବା ଦେଖିବାକୁ ମିଳିଛି । ଯାହାଫଳରେ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି , ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ କରୋନା ଆଳରେ ଅଧିକାଂଶ ଶିକ୍ଷକ ବ୍ଳକ ଛାଡି ବାହାରେ ରହୁଥିବା ଜଣାଯାଇଛି । ନିଜ ବ୍ଳକରେ ରହିବାର ନିୟମ ରହିଥିଲେ ମଧ୍ୟ ଶିକ୍ଷକ ମାନେ ତାହା ମାନୁ ନାହାନ୍ତି । ଏପରିକି ଅନେକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କର ବି ଦେଖା ମିଳୁନାହିଁ  ଯାହାକି ସିଆରସିସି ମାନେ ବ୍ଲକ କାର୍ଯ୍ୟାଳୟରୁ ଚିଠିପତ୍ର ନେଇ ବିଦ୍ୟାଳୟକୁ ଯାଇ ନିରାଶ ହୋଇ ପେରୁଥିବା ପ୍ରକାଶ କରିଛନ୍ତି । ଏ ବିଷୟକୁ ନେଇ ବ୍ଳକ ଶିକ୍ଷାଧିକାରୀ ମାଗୁଣି ଚରଣ ମହାନ୍ତିଙ୍କୁ ପଚାରିବାରୁ କରୋନା ପାଇଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଖୋଲା ରହିବ ଓ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟରେ କାର୍ଯ୍ୟ କରାଯିବ ବୋଲି ନିର୍ଦ୍ଦେଶ ରହିଛି । ଶିକ୍ଷକମାନଙ୍କ ପାଇଁ ସେପରି କିଛି ନିର୍ଦ୍ଦେଶ ଆସିନାହିଁ , ଅଧିକାଂଶ ଶିକ୍ଷକ ବାହାରେ ରହୁଥିବା କଥା ଆମକୁ ସୂଚନା ମିଳୁଛି । ଯେତେବେଳେ ତାଙ୍କୁ ଡକାଯାଉଛି ସେମାନେ ଆସୁଥିବା ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ