କଳାବଜାରୀ ରୋକିବା ପାଇଁ ପ୍ରଶାସନର ଯାଞ୍ଚ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଖାଉଟି ସାମଗ୍ରୀ ବିଶେଷକରି ଖାଇବା ତେଲର ଦରବୃଦ୍ଧି ଘଟି ଚାଲିଛି । ଗତ ସପ୍ତାହକ ମଧ୍ୟରେ ସୂର୍ଯ୍ୟମୁଖୀ ଓ ପାମ୍ ତେଲର ଦର ପ୍ରାୟ ୩୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଲାଣି । ଏହାକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟବ୍ୟାପୀ ଯାଞ୍ଚ, ନିରୀକ୍ଷଣ ଆଦି ଜାରି ରହିଛି । ଏହି କ୍ରମରେ ଗଜପତି ଜିଲ୍ଲାରେ ମଧ୍ୟ ବିଭିନ୍ନ ହୋଲସେଲ ତଥା ଖାଉଟି ଦୋକାନ ଗୁଡିକ ଉପରେ ତୀକ୍ଷ୍ମଣ ନଜର ରଖାଯାଇ ଦୋକାନକୁ ଦୋକାନ ବୁଲି ଯାଞ୍ଚ କରାଯାଉଥିବାର ଦେଖିବାକୁ ମିଳୁଛି । ବିଶେଷ କରି ଜିଲ୍ଲା ସଦର ମହୁକମା ପାରଳାଖେମୁଣ୍ଡି ଠାରେ ଥିବା ବଡ ବଡ ହୋଲ୍ସେଲ ଦୋକାନ, ଗୋଦାମ ଆଦିକୁ ଜିଲ୍ଲା ଯୋଗାଣ ବିଭାଗର କର୍ମଚାରୀ ଓ ସ୍ୱତନ୍ତ୍ର ଟାସ୍କ ଫୋର୍ସର କର୍ମଚାରୀମାନେ ମହଜୁଦ ଥିବା ତେଲ ତଥା ଖାଉଟି ସାମଗ୍ରୀର ଟିକିନିଖି ବିବରଣୀ ନେବା ସହ ଯାଞ୍ଚ କରୁଥିବାର ଲକ୍ଷ୍ୟ କରାଯାଇଥିଲା । ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଏହି ଟିମ୍ ଚାହିଦା ମୁତାବକ ଖାଇବା ତେଲର ଉପଲବ୍ଧତା, ପାଇକାରୀ ମୂଲ୍ୟ, ଖୁଚୁରା ମୂଲ୍ୟର ତଦାରଖ ସହ ବିଲ୍ ଏବଂ ଭାଉଚର ଆଦିକୁ ମଧ୍ୟ ଅନୁଧ୍ୟାନ କରୁଥିବାର ଜଣାପଡିଛି । ଅନ୍ୟପକ୍ଷରେ ଗଜପତି ଜିଲ୍ଲାରେ ବିଭିନ୍ନ ବ୍ୟବସାୟୀ ମାନେ ବିଭିନ୍ନ ସମୟରେ କଳାବଜାରୀ ଯଥା ପ୍ରାକୃତିକ ବିପର୍ଯ୍ୟୟ କିମ୍ବା କୌଣସି କଟକଣା କାଳରେ ବେସ କଳାବଜାରୀ କରିଥିବାର ନଜିର ରହିଛି । ତେଣୁ ପ୍ରତ୍ୟେକ ମାସକୁ ଥରେ ଏମାନଙ୍କୁ ଯାଞ୍ଚ ଓ ନୀରୀକ୍ଷଣ କରିଲେ ଜିଲ୍ଲାରେ କୁତ୍ରିମ ଦର ବୃଦ୍ଧିକୁ ରୋକି ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।


