କାକଟଲକ୍ – ଦାନପୁର କେନାଲବନ୍ଧ ରାସ୍ତା ଶୋଚନୀୟ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର କାକଟଲକ୍ ଠାରୁ ଦାନପୁର ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅଧିନ କେନାଲବନ୍ଧ ରାସ୍ତାର କାକଟଲକ୍ ଠାରୁ ଚକ୍ରୋଡା ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡିଛି । ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଛି । ସେଥିପାଇଁ ଏହିସବୁ ଖାଲଖମା ଗୁଡିକ ବର୍ଷା ପରେ ପାଣି ଭର୍ତ୍ତିହୋଇଯାଉଛି । ବାଟୋଇମାନେ ଖାଲଖମାରେ ପଡି ଆହତ ହେଉଛନ୍ତି । ଦୈନିକ ଏହି ରାସ୍ତା ଦେଇ ଡେରାବିଶ ବ୍ଲକର ଦାନପୁର, ରତାଦିଆଖଣ୍ଡସାହି, ବସପୁର, କେନ୍ଦ୍ରାପଡା ବ୍ଲକର ଚକ୍ରୋଡା, ଭରତପୁର, ଶ୍ୟାମସୁନ୍ଦରପୁର ପ୍ରଭୃତି ପ୍ରାୟ ୧୦ଟି ଗ୍ରାମପଞ୍ଚାୟତର ୭ହଜାରରୁ ଉର୍ଦ୍ଧ୍ୱ ଲୋକ ଏହି ରାସ୍ତା ଦେଇ ଜିଲା ସଦର ମହକୁମା, ଜିଲା ମୁଖ୍ୟ ଚିକିତ୍ସାଳୟ, ସଦର ମହକୁମାରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ଆସିଥାନ୍ତି । ଛାତ୍ରଛାତ୍ରୀମାନେ ମଧ୍ୟ ଏହି ରାସ୍ତା ଦେଇ କେନ୍ଦ୍ରାପଡା ସଦର ମହକୁମାରେ ଥିବା ସ୍କୁଲ ଓ କଲେଜ ୍ଗୁଡିକୁ ଅଧ୍ୟୟନ ନିମନ୍ତେ ଆସିଥାନ୍ତି । ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିବାରୁ ଅନେକ ସମୟରେ ଛାତ୍ରଛାତ୍ରୀମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହୋଇଥାନ୍ତି । ଲୋକମାନେ ଜିଲାପାଳଙ୍କ କାର୍ଯ୍ୟାଳୟ, ଅଦାଲତ, ତହସିଲ, ବ୍ଲକ, ଶ୍ରମ କାର୍ଯ୍ୟାଳୟ ଓ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଦୈନିକ ଏହି ରାସ୍ତାଦେଇ ଯିବାଆସିବା କରିଥାନ୍ତି । ବରିଷ୍ଠ ନାଗରିକମାନେ ମଧ୍ୟ ଜିଲା ସଦର ମହକୁମାର ବିଭିନ୍ନ କାର୍ଯ୍ୟାଳୟ, ବ୍ୟାଙ୍କ, ଡାକଘର ଓ ଡାକ୍ତରଖାନା ପ୍ରଭୃତିକୁ ଏହି ରାସ୍ତା ଦେଇ ଆସିଥାନ୍ତି । କିନ୍ତୁ ରାସ୍ତାଟି ବଡ ବଡ ଖାଲଖମାରେ ଭର୍ତ୍ତି ହୋଇପଡିଥିବାରୁ ସେମାନଙ୍କ ଗାଡିର ଚକା ଅନେକ ସମୟରେ ଖାଲଖମାରେ ପଡିଯାଇ ସେମାନେ ଆହତ ହୋଇଥାନ୍ତି । ପ୍ରତିବର୍ଷ ଏହି ରାସ୍ତାରେ ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କାର ବିଲ କରାଯାଉଥିବା ବେଳେ ରାସ୍ତା ମରାମତିର ମାସେ ଦୁଇମାସେ ନପୁରୁଣୁ ପୁନର୍ବାର ରାସ୍ତାର ଅବସ୍ଥା ଏହିଭଳି ଶୋଚନୀୟ ହୋଇପଡୁଛି । ଏହି ରାସ୍ତାଟିର ତୁରନ୍ତ ମରାମତି କରାଯିବାକୁ ଜିଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ପୂର୍ବତନ ସରପଞ୍ଚ ବସନ୍ତ କୁମାର ରାଉତ, ପୂର୍ବତନ ସରପଞ୍ଚ ଶାରଦା ପ୍ରସନ୍ନ ରାଉତ, ଗୋପାଳ ଚରଣ ଦାସ, ଶ୍ରୀଚରଣ ବେହେରା, କାହ୍ନୁ ଚରଣ ବେହେରା, ଅରବିନ୍ଦ ମହାନ୍ତି, ବିରଜା ପ୍ରସାଦ ମହାନ୍ତି ପ୍ରମୁଖ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଏସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ରାଜେଶ ପ୍ରଧାନଙ୍କୁ ପଚାରିବାରୁ ସେ କହିଥିଲେ ଯେ ବର୍ଷା ପରେ ଏହି ରାସ୍ତାର ମରାମତି କରାଯିବ ।


