‘କାଳିଆ’ଟଙ୍କା ଫେରାଇବାକୁ ନୋଟିସ
ନାଉଗାଁ, (ଓ୍ବାଇଏନ୍ଏସ୍): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ୨୦୩ଜଣ ଅଯୋଗ୍ୟ ‘କାଳିଆ’ ହିତାଧିକାରୀଙ୍କୁ ଟଙ୍କା ଫେରାଇବାକୁ କୃଷି ବିଭାଗ ନୋଟିସ ଜାରୀ କରିଛି । ପାଇଥିବା ସହାୟତା ରାଶିକୁ ନିର୍ଦ୍ଧାରିତ ଆକାଉଂଟରେ ଜମା କରିବାକୁ ମୋବାଇଲ ମାଧ୍ୟମରେ ମ୍ୟାସେଜ ଆସିଛି । ଏହା ସହିତ ସହାୟତା ରାଶିକୁ ଏକ ମାସ ମଧ୍ୟରେ ନିର୍ଦ୍ଧାରିତ ଆକାଉଂଟରେ ଜମା କରିବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନୋଟିସରେ ଜଣାଇଛନ୍ତି । ଏହି ତାଲିକାରେ ପ୍ରଥମ ପର୍ଯ୍ୟାୟରେ ନାଉଗାଁ ବ୍ଳକର ୧୬ଟି ପଂଚାୟତରୁ ୨୦୩ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ବ୍ଲକ କୃଷି ବିଭାଗରୁ ମିଳିଥିବା ସୂଚନା ତାଲିକାରେ ସର୍ବାଧିକ ୮୨ଜଣ କୋରୁଅ ପଂଚାୟତରୁ ରହିଥିବା ବେଳେ ବାଂଶ ପଂଚାୟତରୁ ସର୍ବନିମ୍ନ ୨ ଜଣ ଥିବା ଜଣାପଡିଛି । ସେହିପରି ନାଉଗାଁ ପଂଚାୟତରୁ ୬ଜଣ, ରୋହିଆରୁ ୭ଜଣ, ଡେରିକିରୁ ୪ଜଣ, ବଛାଳୋରୁ ୧୧ଜଣ, ଶିଖରରୁ ୮ଜଣ, ଓଷକଣାରୁ ୫ଜଣ, ତିରୁଣାରୁ ୪ଜଣ, ଅଲଣାରୁ ୧୦ଜଣ, ଜାମୁଗାଁରୁ ୭ଜଣ, ଘୋଡାଂଶରୁ ୧୩ଜଣ, ଗଜରାଜପୁରରୁ ୧୮ଜଣ, ଗଳଦାରୀରୁ ୧୪ଜଣ, ନୁଆଗାଁରୁ ୯ ଜଣ ଥିବା ଜଣାପଡିଛି । ବ୍ଲକ କୃଷି ବିଭାଗର କର୍ମଚାରୀମାନେ ତତ୍କାଳ ପଦକ୍ଷେପ ଭାବେ ନୋଟିସ ବାଂଟିବାରେ ଲାଗି ପଡିଛନ୍ତି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ପକ୍ଷରୁ ଜାରୀ କରାଯାଇଥିବା ଏହି ନୋଟିସରେ ଉଲ୍ଲେଖ ରହିଛି, ଯେ କାଳିଆ ହିତାଧିକାରୀ ତାଲିକାରୁ ବାଦ ପଡିଥିବାରୁ ଆପଣ ପାଇଥିବା ସହାୟତା ରାଶି ଫେରସ୍ତ ନିମନ୍ତେ ଅନୁରୋଧ ପତ୍ର । ଏମାନଙ୍କ ମଧ୍ୟରୁ କେତେକ ଗୋଟିଏ କିସ୍ତି ଅର୍ଥାତ ୫ ହଜାର ଟଙ୍କା ଆଉ କେତେକ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ପାଇଛନ୍ତି । କେଉଁ ହିତାଧିକାରୀ କେତେ ଟଙ୍କା ଫେରସ୍ତ କରିବେ ତାହା ନୋଟିସରେ ଉଲ୍ଲେଖ କରାଯାଇନାହିଁ ।


