କୃଷକ ସଂଘ ଗୁଡିକର ଏଫ୍.ସି.ଆଇ ବଂଚାଅ ଆନ୍ଦୋଳନ
ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡା (ଚିତ୍ତରଂଜନ ଦାସ): କେନ୍ଦ୍ର ସରକାର ତିନୋଟି କୃଷି କୃଷକ ତଥା ଜନସର୍ତ୍ତ ବିରୋଧି ଏବଂ କର୍ପୋରେଟ୍ ସପକ୍ଷବାଦୀ କୃଷି ସଂପର୍କିତ ଆଇନ୍ ଆଣି ଦେଶର କୃଷି ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେଉଥିବା ଅଭିଯୋଗରେ ସର୍ବଭାରତୀୟ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନକ୍ରମେ ଦେଶବ୍ୟାପୀ ପାଳନ ହେଉଥିବା ଏଫ୍.ସି.ଆଇ ବଂଚାଅ ଆନ୍ଦୋଳନ ପରିପେକ୍ଷୀରେ ଆଜି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଆନ୍ଦୋଳନ ସଂଗଠିତ ହେବା ସହିତ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଶ୍ରମିକ ନେତା ଜଗତ୍ଜୀବନ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ଓଡିଶା କୃଷକ ସଭାର ଜିଲ୍ଲା ସଂପାଦକ ଗୟାଧର ଧଳ, ଅଖିଳ ଭାରତ କୃଷକ ସଭାର ଜିଲ୍ଲା ନେତା ରମଣୀ ରଂଜନ ରାଉତରାୟ, କୃଷକ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ଆଦିକନ୍ଦ ରାଉଳ, ଦୋଳଗୋବିନ୍ଦ ସାହୁ, ମାଧବ ଦାସ, ଉମେଶ ସିଂ, ପ୍ରକାଶ ଚନ୍ଦ୍ର ମଲ୍ଲିକ, ବିଜୟ ଦାସ, ସୁକାନ୍ତ ରାଉତ, ବାବାଜୀ ଧଳ, ହୃଷିକେଶ ମହାପାତ୍ର, ମଂଜୁଲତା ଦାସ, ରତ୍ନଞ୍ଜୟ ମଲ୍ଲିକ, ବଚ୍ଛରାମ ସେଠୀ ପ୍ରମୁଖ ସରକାରଙ୍କ କୃଷି ଆଇନ୍ ବିରୋଧରେ ବକ୍ତବ୍ୟ ପ୍ରଦାନ କରିବା ସହ ୧୯୬୫ ମସିହାରୁ ଦେଶରେ ପ୍ରଚଳିତ ଏଫ୍.ସି.ଆଇ ବ୍ୟବସ୍ଥା ଏହି ଆଇନ୍ ବଳରେ କିପରି ଦୃର୍ବଳ ହୋଇପଡିବା ସହ କୃଷକମାନେ ସବୁଦିନ ପାଇଁ ସେମାନଙ୍କ ଫସଲର ଲାଭଜନକ ଦର ପାଇବାରୁ ବଂଚିତ ହେବେ ଏବଂ ସାଧାରଣ ବଂଟନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିବ ସେ ସଂପର୍କରେ ମତବ୍ୟକ୍ତ କରିଥିଲେ । ଏହି ୭ ଦଫା ଦାବି ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ସଭାସ୍ଥଳରୁ ଗ୍ରହଣ କରିଥିଲେ । ଏହି ଦାବିଗୁଡିକ ହେଉଛି ୧- କୃଷି ଧ୍ୱଂସକାରୀ ପିଡିଟି କୃଷି ସଂଶୋଧନ ଆଇନ୍ ପ୍ରତ୍ୟାହାର କରାଯାଉ । ୨- କୃଷି ଉତ୍ପାଦିତ ଦ୍ରବ୍ୟ ଗୁଡିକର ଏମ୍.ଏସ୍.ସି ନିମନ୍ତେ ଆଇନ୍ ପ୍ରଣୟନ କରାଯାଉ । ୩- ସରକାରୀ ମଣ୍ଡି ବ୍ୟବସ୍ଥାର ସମ୍ପ୍ରସାରଣ କରାଯାଉ । ୪-କୃଷକ ମାନଙ୍କୁ ଅଭାବୀ ବିକ୍ରିରୁ ସୁରକ୍ଷା ଦେବା ନିମନ୍ତେ ବ୍ୟବସ୍ଥା କରାଯାଉ । ୫-ଆନ୍ଦୋଳନରତ କୃଷକମାନଙ୍କ ଉପରୁ ସମସ୍ତ ଆକ୍ରୋଷମୂଳକ ମୋକଦ୍ଦମା ପ୍ରତ୍ୟାହାର କରାଯାଉ । ୬-କୃଷକ ଆନ୍ଦୋଳନରେ ସହୀଦ୍ ହୋଇଥିବା କୃଷକମାନଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଉ । ୭- ଭାଗଚାଷୀମାନଙ୍କୁ ଚାଷୀର ମାନ୍ୟତା ଦେଇ ସେମାନଙ୍କଠାରୁ ସିଧାସଳଖ ମଣ୍ଡି ମାଧ୍ୟମରେ ଧାନ କିଣିବାର ବ୍ୟବସ୍ଥା କରିବା ।


