ଗରୀବ ମହିଳାଙ୍କୁ ରକ୍ତଦାନ କଲେ ଛତ୍ରପୁର ର ଏନ୍ ଦୀନବନ୍ଧୁ
ଛତ୍ରପୁର,(ଦେବଦତ୍ତ ମହାରଣା): ଜଣେ ଗରୀବ ମହିଳାଙ୍କୁ ରକ୍ତ ଦାନ କରି ଛତ୍ରପୁର ଅଂଚଳର ମତ୍ସ୍ୟଜୀବି ସଂପ୍ରଦାୟର ଯୁବକ ଏନ୍ ଦୀନବନ୍ଧୁ ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି । ଗୋଳାବନ୍ଧ ଅଂଚଳର ଜେ.କମଳା ନାମକ ଜଣେ ମହିଳାଙ୍କୁ ଆଜି ଓ ପଜେଟିଭ୍ ରକ୍ତ ର ଆବଶ୍ୟକ ଥିବା ବେଳେ ବ୍ରହ୍ମପୁର ରକ୍ତ ଭଣ୍ଡାରରେ ଏହା ଗଚ୍ଛିତ ନ ଥିଲା । ଏହାର ସୂଚନା ପାଇ ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ଏନ୍ ଦୀନବନ୍ଧୁ ସଙ୍ଗେ ସଙ୍ଗେ ଆଜି ସନ୍ଧ୍ୟାରେ ବ୍ରହ୍ମପୁର ରକ୍ତ ଭଣ୍ଡାରରେ ପହଂଚି ରକ୍ତ ଦାନ କରିଥିଲେ । ଏନ୍ ଦୀନବନ୍ଧୂ ଏହାକୁ ମିଶାଇ ୮ ଥର ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଛନ୍ତି । ଅସମୟରେ ସେ ମହିଳାଙ୍କୁ ସାହାର୍ଯ୍ୟ କରିଥିବାରୁ ଉକ୍ତ ମହିଳା ଜଣକ ଏନ୍ ଦୀନବନ୍ଧୁଙ୍କ ଅସମୟର ବନ୍ଧୁ ଭାବେ ବହୁତ ପ୍ରଶଂସା କରିଥିଲେ । ସୂଚନା ଯୋଗ୍ୟ ଯେ, ଜେ କମଳା ନାମକ ମହିଳା କୀଡନୀ ରୋଗରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ପ୍ରତି ମାସରେ ଡାଇଲିସ୍ କରିବା ନିମନ୍ତେ ରକ୍ତ ର ଆବଶ୍ୟକ ପଡିଥାଏ । ତେବେ ଆଜିକା ଯୁବପିଢୀ ମାନେ ଏହିଭଳି ମହାନ୍ କାର୍ଯ୍ୟ କରି ଅନ୍ୟର ଜୀବନ ବଂଚାଇବା ରେ ସାହାର୍ଯ୍ୟ କଲେ ବହୁ ରୋଗୀ ଉପକୃତ ହୋଇପାରିବେ ବୋଲି ଦୀନବନ୍ଧୁ କହିଛନ୍ତି ।


