ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଇରଙ୍ଗପୁରରେ ଶାନ୍ତି-ସଂହତି-ସଦଭାବନା ଯାତ୍ରା
ରାଇରଙ୍ଗପୁର : ଗାନ୍ଧୀ ଦର୍ଶନର ମୃତ୍ୟୁ ନାହିଁ । ବିଶ୍ବର ମହାନ ଜନନାୟକ, ଦାର୍ଶନିକ,ତ୍ୟାଗର ପୁରୁଷ ଯାହାଙ୍କର କଥନି ଓ କରନୀକୁ ନେଇ ସାରା ବିଶ୍ବର ସେ ଆଜି ଆଦରଣୀୟ ହୋଇପାରିଛନ୍ତି । ତାଙ୍କର ଅହିଂସାର ମନ୍ତ୍ରଙ୍କୁ ସାରା ବିଶ୍ବ ଗ୍ରହଣ କରିଛି । ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଶାନ୍ତି-ସଂହତି-ସଦଭାବନା ଯାତ୍ରା ରଥ ଝାରସୁଗୁଡ଼ାରୁ ବାହାରି ଶନିବାର ଦିନ ରାଇରଙ୍ଗପୁରରେ ପହଞ୍ଚି ଥିଲା । ରାଇରଙ୍ଗପୁରରେ ସଦଭାବନା କର୍ମକର୍ତ୍ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।ପରେ ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଗାନ୍ଧୀ ବାର୍ତ୍ତା ପିଲାମାନଙ୍କର ମଧ୍ୟରେ ଉଜ୍ଜୀବିତ କରାଇବା ପାଇଁ ଏକ ସଭା କାର୍ଯ୍ୟ କ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ତ୍ରିପାଠୀ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା,ଭାରତର ମହାନ ଗାନ୍ଧୀବାଦୀ ସ୍ୱାଧୀନତା ସଂଗ୍ରାମୀ କୋରାପୁଟର ନିଶିକାନ୍ତ ସାହୁ(୯୭),ଟ୍ରଷ୍ଟି କେନ୍ଦ୍ରୀୟ ଗାନ୍ଧୀ ସ୍ମାରକୀ କମିଟି, ଅଧ୍ୟକ୍ଷ ଡାକ୍ତର ବିଶ୍ବଜିତ, ରାଜ୍ୟ ଯୁବ ରେଡକ୍ରସ୍ ସାଧନ କର୍ମି ସ୍ମୃତି ରଂଜନ ପାଣି,କଥାକାର ଲଳିତ ମହାନ୍ତ,ଆଡଭୋକେଟ ରାକେଶ ସିଂ, ଭଂଜସେନା ରାଇରଙ୍ଗପୁର ସଭାପତି ସମ୍ବିତ ବଳ, ସାମ୍ବାଦିକ ଅକ୍ଷୟ ବିଶ୍ବାଳ , ଶିକ୍ଷକ, ଶିକ୍ଷୟତ୍ରୀ, ବିଦ୍ୟାଳୟର ଛାତ୍ରୀ ସମୂହ ଉପସ୍ଥିତ ଥିଲେ । ଗାନ୍ଧୀଙ୍କର ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଗାନ୍ଧୀଙ୍କ ସଂସ୍ପର୍ଶରେ ଆସିଥିବା ମହାନ ସ୍ବାଧୀନତା ସଂଗ୍ରାମୀ ନିଶିକାନ୍ତ ତାଙ୍କର ଅନୁଭୁତି ବଖାଣି ଥିଲେ । ମହାତ୍ମା ଗାନ୍ଧୀଙ୍କ ଜୀବନ ଚର୍ଯ୍ଯା, ଅହିଂସା ମନ୍ତ୍ର, ସ୍ଵରାଜ ଆନ୍ଦୋଳନ, ମଦ ମୁକ୍ତି ଅଭିଯାନ, ଜାତିପ୍ରଥା ଉଠାଇବା , ଆଧ୍ୟାତ୍ମିକ ଜୀବନ ବିତାଇବା,ଜୀବେ ଦୟା ପ୍ରଦର୍ଶନ, ଗଣତାନ୍ତ୍ରିକ ରାଷ୍ଟ୍ରକୁ ନେଇ ଯେଉଁ କାର୍ଯ୍ୟକ୍ରମ ଏବଂ ଜନଆନ୍ଦୋଳନ କରିଥିଲେ ତାହା ଚିରବନ୍ଦନୀୟ । ସାଂପ୍ରତିକ ପରିସ୍ଥିତିରେ ଗାନ୍ଧୀଙ୍କ ଦର୍ଶନ, ଚିନ୍ତାଧାରା ଆଜି ପାଇଁ ଅପରିହାର୍ଯ୍ୟ ବୋଲି ଅତିଥି ଗଣ ବକ୍ତବ୍ୟରେ କହିଥିଲେ ।


