ଗୁରଗାଓଁରୁ ବିହାର : ବାପାଙ୍କୁ ସାଇକେଲରେ ଆଣିଲେ ଝିଅ
ପାଟନା: କରୋନା ଭାଇରସ ପାଇଁ ଜାରି ହୋଇଥିବା ଲକଡାଉନ ମଧ୍ୟରେ ଜଣେ ୧୫ ବର୍ଷୀୟା ଝିଅର ସାହସ ସମ୍ପର୍କରେ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା କରାଯାଉଛି । ତାଙ୍କର ନାମ ଜ୍ୟୋତି କୁମାରୀ । ଜ୍ୟୋତି ନିଜ ସାଇକେଲ ପଛରେ ଅସୁସ୍ଥ ବାପା ମୋହନ ପାଶ୍ୱାନଙ୍କୁ ବସାଇ ଗୁରୁଗାଓଁରୁ ବିହାରର ଦରଭଙ୍ଗା ପହଞ୍ଚିଥିବା ଜଣାପଡ଼ିଛି । ଏହି ସମୟ ମଧ୍ୟରେ ସେ ୧୨୦୦ କିମି ଯାତ୍ରା ପୂରା କରିଛନ୍ତି । ଜ୍ୟୋତି ସପ୍ତମ ଶ୍ରେଣୀରେ ପଢ଼ନ୍ତି । ତାଙ୍କ ବାପା ଗୁରୁଗାଓଁରେ ଇ-ରିକ୍ସା ଚଳାଉଥିଲେ । ହେଲେ ଲକଡାଉନ ଯୋଗୁଁ ତାଙ୍କୁ ଇ-ରିକ୍ସାକୁ ତାଙ୍କର ମାଲିକଙ୍କ ନିକଟରେ ପହଞ୍ଚାଇବାକୁ ପଡ଼ିଲା । ଏହି ସମୟରେ ସେ ଆଘାତପ୍ରାପ୍ତ ମଧ୍ୟ ହେଲେ । ଅନ୍ୟପଟେ ତାଙ୍କ ବାପାଙ୍କ ପାଖରେ ଟଙ୍କା ନଥିବାରୁ ଘର ମାଲିକ ଘରଭଡ଼ା ଦେବା କିମ୍ବା ଘର ଖାଲି କରିବାକୁ ସେମାନଙ୍କ ଉପରେ ଚାପ ପକାଉଥିଲେ । ଏଭଳି ସ୍ଥିତିରେ ସେମାନେ ନିଜର ପୈତୃକ ଘର ଦରଭଙ୍ଗା ପଳାଇ ଆସିବାକୁ ସିଦ୍ଧାନ୍ତ ନେଲେ । ତାଙ୍କ ବାପା ସେମାନଙ୍କୁ ଦରଭଙ୍ଗାରେ ପହଞ୍ଚାଇ ଦେବା ଲାଗି ଜଣେ ଟ୍ରକ ଡ୍ରାଇଭରଙ୍କ ସହ କଥା ମଧ୍ୟ ହୋଇଥିଲେ । ସେ କିନ୍ତୁ ଏଥିପାଇଁ ୬ ହଜାର ଟଙ୍କା ଦାବି କଲେ । ସେମାନେ ଏତେ ଟଙ୍କା ଦେବାକୁ ସମର୍ଥ ନଥିବାରୁ ଜ୍ୟୋତି ସାଇକେଲରରେ ଅସୁସ୍ଥ ବାପାଙ୍କୁ ନେଇ ଆସିବାକୁ ଭରସା ଦେଲେ । ଯାତ୍ରା ପାଇଁ ସେ ୫୦୦ ଟଙ୍କାରେ ସାଇକେଲ କିଣିଲେ । ମେ ୧୦ ତାରିଖରୁ ଗୁରଗାଓଁରୁ ସେମାନଙ୍କ ଯାତ୍ରା ଆରମ୍ଭ ହେଲା । ମେ ୧୬ ରେ ସେମାନେ ନିଜ ଗାଁରେ ପହଞ୍ଚିଲେ । ଜ୍ୟୋତିଙ୍କ ଅନୁସାରେ ତାଙ୍କୁ ରାତିରେ ଜାତୀୟ ରାଜପଥରେ ସାଇକେଲ ଚଳାଇବା ନେଇ ଲାଗିଲା ନାହିଁ । କାରଣ ଶହ ଶହ ପ୍ରବାସୀ ଶ୍ରମିକ ମଧ୍ୟ ରାସ୍ତାରେ ଯାଉଥିଲେ । ତେବେ ପଛରୁ କାଳେ କୌଣସି ଗାଡ଼ି ସେମାନଙ୍କୁ ପିଟି ଦେବ ସେଥିନେଇ ସେ ଚିନ୍ତିତ ଥିଲେ । ଗାଁରେ ପହଞ୍ଚିବା ପରେ ଜ୍ୟୋତି ଓ ତାଙ୍କ ପିତାଙ୍କୁ ତାଙ୍କ ଘରେ କ୍ୱାରେଣ୍ଟାଇନ କରାଯାଇଛି ।


