ଗୋବରୀ କେନାଲକୁ ପ୍ରଦ୍ୟୁଷଣ ମୁକ୍ତ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡା – କେନ୍ଦ୍ରାପଡା ସହର ମଧ୍ୟଦେଇ ଗଣ୍ଡାଖିଆ ପର୍ଯ୍ୟନ୍ତ ପ୍ରବାହିତ ହୋଇଥିବା ଗୋବାରୀ କେନାଲ ମହାନଦୀ ବେସିନର ଏକ ପ୍ରମୁଖ ଜଳସେଚନ ପ୍ରଣାଳୀ । ଅତୀତରେ ଏହି କେନାଲ ମଧ୍ୟରେ ସ୍ୱଛ ଜଳ ପ୍ରବାହିତ ହେବା ସହ ନୈାଚାଳନା ଦ୍ୱାରା ବ୍ୟବସାୟ ବାଣିଜ୍ୟ ମଧ୍ୟ ହେଉଥିଲା । ସଂପ୍ରତି ଏହି କେନାଲଟି ଏକ ଆବର୍ଜ୍ଜନା ପୂର୍ଣ୍ଣ ପୂତିଗନ୍ଧମୟ ନାଳରେ ପରିଣତ ହୋଇଥିବା ଏବଂ ସାନ୍ତସାହି ଠାରୁ ଗଣ୍ଡାଖିଆ ପର୍ଯ୍ୟନ୍ତ ଏହି କେନାଲଟି ବିଲାତି ଦଳରେ ପରିପୂର୍ଣ୍ଣ ହୋଇ ବିଷଧର ସରୀସୃପମାନଙ୍କର ଆଶ୍ରୟ ସ୍ଥଳରେ ପରିଣତ ହୋଇଛି । ଏହି କେନାଲକୂଳରେ ଥିବା ଓସ୍ତପୁର,କଂସାର,ପୁରୁଷୋତ୍ତମପୁର,ଆୟବା ଭଳି ଘନ ଜନ ସମ୍ପନ୍ନ ଗ୍ରାମପଂଚାୟତର ଜନସାଧାରଣ ଗୋବରୀ କେନାଲ ଉପରେ ଜଳସେଚନ,ସ୍ନାନାଦି କର୍ମ ଓ ସ୍ଥଳ ବିଶେଷରେ ପାନୀୟ ଜଳ ସଂଗ୍ରହ ପାଇଁ ନିର୍ଭରଶୀଳ ହେବା ବେଳେ ଏହି କେନାଲ ଏବେ ଭୟଙ୍କର ନର୍କ କୁଣ୍ଡରେ ପରିଣତ ହେବା ଜନମାନସକୁ ବ୍ୟଥିତ କରିଥିଲା । ପ୍ରତିବର୍ଷ ଜଳସଂପଦ ବିଭାଗ ଦଳ ସଫେଇ ନାମରେ ପ୍ରଭୁତ ଅର୍ଥର ଅସଦଉପଯୋଗ କରୁଥିଲେ ମଧ୍ୟ କେନାଲଟି ଅପରିବର୍ତ୍ତିତ ସ୍ଥିତିରେ ରହିଥିଲା । କେନ୍ଦ୍ରାପଡାର ପୂର୍ବତନ ଜିଲ୍ଲାପାଳ ରଘୁଜୀଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ଫଳରେ ସେହି କେନାଲର ସହର ମଧ୍ୟଦେଇ ଯାଇଥିବା ଅଂଶର ସଫେଇ କରାଯିବା ସହ ଉଭୟ ପାଶ୍ୱର୍ର କେନାଲବନ୍ଧକୁ ଜବରଦଖଲମୁକ୍ତ କରାଯାଇ ତାରବାଡ ଘେରାଯାଇଥିଲା । କେନାଲ ଉନ୍ନତିକରଣ କାର୍ଯ୍ୟ ନିମନ୍ତେ ଅଟକଳ ଓ ନକ୍ସା ପ୍ରସ୍ତୁତ କରାଯାଇ ବିଭାଗୀୟ ଉଚ୍ଚକତ୍ତୃପକ୍ଷଙ୍କୁ ମଞ୍ଜୁର ନିମନ୍ତେ ପଠାଯାଇଥିଲା । କିନ୍ତୁ ରଘୁଜୀଙ୍କ ଏଠାରୁ ବଦଳି ପରେ ସେସବୁ କାର୍ଯ୍ୟ ସେଇଠି ଅଟକି ଯିବା ସହିତ ତାରଘେରାକୁ ନିକଟସ୍ଥ ଲୋକମାନେ ଭାଙ୍ଗିଦେବାକୁ ଆରମ୍ଭ କରିଥିବାର ଦେଖାଯାଇଥିଲା । ତେଣୁ ଏଭଳି ପରିସ୍ଥିତିରେ ଗୋବରୀ କେନାଲକୁ ପ୍ରଦ୍ୟୁଷଣ ମୁକ୍ତ କରାଯିବା ସହ ଜଳସେଚନ ବ୍ୟବସ୍ଥାକୁ ସୁଗମ କରାଯିବାକୁ ଗତ ୫ତାରିଖରେ ଜନଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ବିଜୁ କୃଷକ ଜନତାଦଳର ଜିଲ୍ଲା ସଭାପତି ସୈାମେନ୍ଦ୍ର କୁମାର ଦାସଙ୍କ ନେତୃତ୍ୱରେ ଓସ୍ତପୁର ସମିତିସଭ୍ୟ ପ୍ରସନ୍ନ କୁମାର ରାଉତ,ଗଣେଶ୍ୱର ନାୟକ,ଓସ୍ତପୁର ସରପଂଚ କବିତା ବାରିକ,ଅଯୋଧ୍ୟାନାଥ ବିଶ୍ୱାଳ ପ୍ରମୁଖ ଦାବି କରିଥିଲେ । ଆଜି ସେହିମର୍ମରେ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କୁ ବିଜୁ କୃଷକ ଜନତାଦଳର ଜିଲ୍ଲା ସଭାପତି ଶ୍ରୀ ଦାସଙ୍କ ନେତୃତ୍ୱରେ ଅନ୍ୟମାନେ ସାକ୍ଷାତ କରିବାରେ ଗୋବରୀ କେନାଲର ପୁନରୁଦ୍ଧାର ପାଇଁ ୨୦କୋଟି ଟଙ୍କା ସରକାରୀ ଅନୁଦାନ ମଞ୍ଜୁର ହୋଇଥିବା ସୂଚନା ଦେଇଥିଲେ ଓ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ବୋଲି ଜିଲ୍ଲାପାଳ କହିଥିଲେ । \


