ଗୋବରୀ ନାଳ ସଫେଇ ଚାଷୀଙ୍କ କାର୍ଯ୍ୟରେ ଲାଗୁନି : ଫାଟକ ମରାମତି ପାଇଁ ଦାବି
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଳକ ଦେଇ ଗୋବରୀ ନାଳ ପ୍ରବାହିତ ହୋଇଛି । ଏହି ନାଳଟି ଜଳ ସଂପଦ ବିଭାଗର ଜଗତସିଂହପୁର ଜଳ ନିକାସ ବିଭାଜନ ଅଧିନରେ ରହିଛି । ବିଭାଗ ପକ୍ଷରୁ ଉକ୍ତ ନାଳକୁ ସଫେଇ କରାଯିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ସଫେଇ କରାଯାଇଛି । ଗୋବରୀ ନାଳ ସଫେଇ ହେବା ଦ୍ୱାରା ଚାଷୀଙ୍କ କାର୍ଯ୍ୟରେ ଲାଗିବ ବୋଲି ଚାଷୀମାନେ ଆଶା ରଖିଛନ୍ତି । ଏହି ନାଳ ମାଧ୍ୟମରେ ବ୍ଳକର ଅଧିକାଂଶ ପଂଚାୟତର ଉଦବୃତ ବର୍ଷା ଜଳ ନିଷ୍କାସିତ ହେବା ସହିତ ମରୁଡି ସମୟରେ ନାଳରେ ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଇଥିବା ସ୍ଳୁଇସ ଗେଟ ମାଧ୍ୟମରେ ନାଳରେ ଜଳକୁ ସଂରକ୍ଷଣ କରାଯାଇପାରିବ । ଯାହାଫଳରେ ଚାଷୀମାନେ ଉକ୍ତ ଜଳକୁ ଚାଷ କାର୍ଯ୍ୟରେ ଲଗାଇ ପାରିବେ । କିନ୍ତୁ ବାଂଶ ଗାଁରେ ରହିଥିବା ସ୍ଲୁଇସ୍ ଗେଟର ଲୁହା ଫାଟକ ଗୁଡିକ ନଷ୍ଟ ହୋଇଯାଇଥିବାରୁ ଏହା ଚାଷ କାର୍ଯ୍ୟରେ ଲାଗୁ ନଥିବା ଅନେକ ଚାଷୀ ମତବ୍ୟକ୍ତ କରିଛନ୍ତି । ସୂଚନା ମୁତବାକ ଜଳ ନିକାସ ବିଭାଗ ପକ୍ଷରୁ ପ୍ରାୟ ୧୨ବର୍ଷରୁ ଉର୍ଦ୍ଧ୍ୱ ହେବ ବାଂଶ ସ୍ଳୁଇସ ଗେଟ୍ଟି ନିର୍ମାଣ କରାଯାଇଛି । ଏହି ସ୍ଲୁଇସ ଗେଟ ମାଧ୍ୟମରେ ବାଂଶ, ନାଉଗାଁ, ଶିଖର, ତିରୁଣା, ଡେରିକି, କୋରୁଅ ଆଦି ପଂଚାୟତର ଚାଷୀମାନେ ଉପକୃତ ହୋଇପାରିବେ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଦୀର୍ଘଦିନ ହେବ ଉକ୍ତ ସ୍ଲୁଇସ ଗେଟ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଫାଟକ ଗୁଡିକ ନଷ୍ଟ ହୋଇଗଲାଣି । ନାଳରେ ଯେଉଁ ବର୍ଷା ଜଳ ଆସୁଛି ତାହା ସିଧା ଏହି ଭଙ୍ଗା ଫାଟକ ଦେଇ ନାଳର ତଳ ଆଡକୁ ନିଷ୍କାସିତ ହୋଇଯାଉଛି । ସ୍ଳୁଇସ ଗେଟ କାର୍ଯ୍ୟ କରୁ ନଥିବାରୁ ନାଳ ମଧ୍ୟରେ ଜଳ ସଂରକ୍ଷଣ ହୋଇପାରୁନଥିବାରୁ ଚାଷ କାର୍ଯ୍ୟରେ ଲାଗି ପାରୁନାହିଁ । ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଗୋବରୀ ନାଳ ସଫେଇ କରାଯାଉଥିଲେ ମଧ୍ୟ ତାହା ଚାଷୀଙ୍କ କାର୍ଯ୍ୟରେ ଆସୁ ନଥିବା ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ କୁମାର ସ୍ୱାଇଁ, କମ୍ରେଡ ସୁବାସ ସ୍ୱାଇଁ, ଚାଷୀ କୈଳାସ ପରିଡା ଆଦି ମତବ୍ୟକ୍ତ କରିଛନ୍ତି । ଉକ୍ତ ସ୍ଲୁଇସ ଗେଟର ଫାଟକ ଗୁଡିକୁ ତୁରନ୍ତ ମରାମତି କରିବା ପାଇଁ ସ୍ଥାନୀୟ ଚାଷୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି ।


