ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଏକଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା

ବାଲେଶ୍ୱର, (ସରୋଜ ପଣ୍ଡା):ଗ୍ରୀଷ୍ମର ପ୍ରକୋପ ଧୀରେ ଧୀରେ ବଢ଼ି ଚାଲିଥିବା ବେଳେ ଗ୍ରୀଷ୍ମ ପ୍ରବାହର ଉପଯୁକ୍ତ ମୁକାବିଲା ଓ ପରିଚାଳନା ନିମନ୍ତେ ଆଜି ବାଲେଶ୍ୱର ଜିଲ୍ଲାରେ ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହାୟତାରେ ସ୍ଥାନୀୟ ଜିଲ୍ଲାପରିଷଦ ସଭାଗୃହରେ ଜିଲ୍ଲା ସ୍ତରୀୟ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ଏବଂ ଶ୍ରୀମତୀ ପ୍ରିୟଦର୍ଶିନୀ ମଲ୍ଲିକଙ୍କ ଅଧକ୍ଷତାରେ ଏହି କର୍ମଶାଳାରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ଃ ଦୁଲାଳସେନ ଜଗଦେବ ଓ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାଇକୃଷ୍ଣ ଜେନା ପ୍ରମୁଖ ମଞ୍ଚାସୀନ ଥିବାବେଳେ ବିଭିନ୍ନ ବିଭାଗର ଜିଲ୍ଲା ସ୍ଥରୀୟ ଅଧିକାରୀମାନେ ଉପସ୍ଥିତ ରହି ଗ୍ରୀଷ୍ମପ୍ରବାହ ପରିଚାଳନା ସମ୍ପର୍କରେ ଚର୍ଚ୍ଚା କରିଥିଲେ I ଗ୍ରୀଷ୍ମପ୍ରବାହ ଯୋଗୁ ମନୁଷ୍ୟ ଶରୀରରେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବା ସହିତ ଗୃହପାଳିତ ପଶୁ ଏବଂ ଚାଷବାସ ଉପରେ ମଧ୍ୟ ଏହାର କୁପ୍ରଭାବ ପଡିଥାଏ I ଅଂଶୁଘାତରେ ଜୀବନ ହାନି ମଧ୍ୟ ହୋଇଥାଏ ତେଣୁ ଏହାର ସଠିକ ମୁକାବିଲା ଏବଂ ଅଂଶୁଘାତରୁ ରକ୍ଷା ପାଇବାର ଉପାୟ ସମ୍ପର୍କରେ ଆଜିର କର୍ମଶାଳାରେ ଅଧିକାରୀମାନଙ୍କୁ ବିସ୍ତୃତ ଭାବେ ବୁଝାଯାଇଥିଲା I ବୈଠକରେ ଉପସ୍ଥିତ ବିଡ଼ିଓ, ତହସିଲଦାର, ଜିଲ୍ଲା ଶିକ୍ଷା ବିଭାଗ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମୀମାନଙ୍କୁ ଏସମ୍ପର୍କରେ ସମଗ୍ର ଜିଲ୍ଲାରେ ଯଥେଷ୍ଠ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଥିଲା I ସେହିପରି ଗ୍ରୀଷ୍ମପ୍ରବାହ ମୁକାବିଲା ସମ୍ପର୍କରେ ସୂଚନା ପ୍ରଦାନ ନିମନ୍ତେ ସ୍ୱତନ୍ତ୍ରଭାବେ ପ୍ରସ୍ତୁତ କରାଯାଇଥିବା ସତର୍କ ମୋବାଇଲ ଆପ ସମ୍ବନ୍ଧରେ କିଭଳି ଅଧିକରୁ ଅଧିକ ଲୋକ ସଚେତ ହୋଇପାରିବେ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା I ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଏହା ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଗୁରୁତ୍ୱ ଦିଆଯାଇଥିଲା Iକର୍ମଶାଳାରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାଇକୃଷ୍ଣ ଜେନା ଗ୍ରୀଷ୍ମ ପ୍ରବାହ ମୁକାବିଲା ଯୋଜନା ପ୍ରସ୍ତୁତି ଉପରେ ଆଲୋକପାତ କରିଥିଲେ I ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟର ଏପିଡେମୋଲୋଜିଷ୍ଟ ଡ଼ଃ ଅରୂପ ଅଭିଷେକ ଗ୍ରୀଷ୍ମପ୍ରବାହ ଜନିତ ମାନସିକ ଓ ଶାରୀରିକ ଚାପ ପରିଚାଳନା ଉପରେ ତଥ୍ୟଭିତ୍ତିକ ରିପୋର୍ଟ ଉପସ୍ଥାପନା ସହ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ I ଶେଷରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜ୍ୟୋତିର୍ମୟ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ