ଚାଷ କାର୍ଯ୍ୟରେ ଉପୁଜୁଛି ସମସ୍ୟା,ସ୍ଳୁଇସ୍ ଗେଟ ନିର୍ମାଣ ପାଇଁ ଚାଷୀଙ୍କ ଦାବି
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଦେଇ ପ୍ରବାହିତ ହେଉଛି ଗୋବରୀ ନାଳ । ଏହି ନାଳ ଦେଇ ବ୍ଳକର ଉଦବୃତ ଜଳ ନିଷ୍କାସିତ ହେବା ସହ ମରୁଡି ସମୟରେ ସ୍ଳୁଇସ୍ ଗେଟ୍ ମାଧ୍ୟମରେ ପାଣିକୁ ଅଟକାଇ ଚାଷ ଜମିରେ ଉକ୍ତ ନାଳର ପାଣିକୁ ବ୍ୟବହାର କରାଯାଇ ଚାଷ କାର୍ଯ୍ୟରେ ଲଗାଯାଇଥାଏ । କିନ୍ତୁ ଉକ୍ତ ନାଳ ବର୍ତମାନ ଚାଷୀଙ୍କ ପାଇଁ ସମସ୍ୟା ଆଣିଛି । ନାଉଗାଁ ପଂଚାୟତର ମାରେଡା ଠାରେ ଗାବେରୀ ନାଳରୁ ଏକ ନାଳ ବାହାରି କିଛି ବାଟ ଚାଷ ଜମି ମଧ୍ୟକୁ ଯାଇଛି । ଯାହାକୁ ସ୍ଥାନୀୟ ଲୋକ ମାରେଡା ନାଳ ବୋଲି କହିଥାନ୍ତି । ବର୍ଷା ଦିନେ ଗୋବରୀ ନାଳରେ ପାଣି ଆସିଲେ ଉକ୍ତ ନାଳ ଦ୍ୱାରା ପାଣି ଚାଷ ଜମିକୁ ଯାଇଥାଏ । ଗୋବରୀରୁ ପାଣି ଶୁଖିଗଲେ କିମ୍ବା କମ୍ ରହିଲେ ଚାଷ ଜମିରୁ ପାଣି ଶୁଖିଯାଇଥାଏ । ସ୍ଥାନୀୟ ଚାଷୀ କୈଳାସ ଲେଙ୍କା, ଅଭିରାମ ଲେଙ୍କା, ରମେଶ ସ୍ୱାଇଁ, ଭ୍ରମର ଲେଙ୍କା, ଦୀନବନ୍ଧୁ ଦାସ, ଦିଲ୍ଲିପ ଲେଙ୍କା, ବିଜୟ ଭୋଇଙ୍କ କହିବା ମୁତାବକ ମାରେଡା ନାଳିଟି ଗୋବରୀ ନାଳ ସହିତ ଲାଗିଛି । ଗୋବରୀରୁ ପାଣି ଶୁଖିଗଲେ ଚାଷ ଜମିରେ ମୁନ୍ଦାଏ ହେଲେ ପାଣି ରହୁନାହିଁ । ଯେହେତୁ ନାଳିଟି ଚାଷଜମି ଠାରୁ ନିମ୍ନରେ ରହିଛି ନାଳଟି ଶୁଖିଲେ ଚାଷ ଜମିରୁ ସବୁ ପାଣି ନାଳକୁ ଗଡି ଯାଉଛି । ଯାହାଫଳରେ ବାଂଶ, ମାରେଡା, ସିତୁରା ଓ ଶିଖର ପଂଚାୟତର କିଛି ଜମି ଅର୍ଥାତ ୩ ଶହ ଏକରରୁ ଉର୍ଦ୍ଧ୍ୱ ଚାଷ ଜମି ଥାନ ଥୋଡ ବାହାରିବା ସମୟରେ ହିଁ ଶୁଖିଲା ପଡୁଛି । ଏହି ସବୁ ଚାଷ ଜମିକୁ ଜଳସେଚନର କୌଣସି ସୁବିଧା ନଥିବାରୁ ଚାଷୀ ଚାଷ ଜମିକୁ ପାଣି ମଡାଇ ପାରୁନାହିଁ । ଯାହାଫଳରେ ଧାନ ଥୋଡ ନ ବାହାରି ମରିଯାଉଛି । ଅର୍ଥ ଖର୍ଚ୍ଚ ସହିତ ପରିଶ୍ରମ କରି ଚାଷୀ ଧାନ ଚାଷ କରିଥିବା ବେଳେ ଧାନ ଅମଳ ବେଳକୁ ଆବଶ୍ୟକ ପରିମାଣର ଧାନ ଅମଳ ହୋଇପାରୁନାହିଁ । ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯଦି ଗୋବରୀ ନାଳ ସହିତ ମାରେଡା ନାଳ ସଂଯୁକ୍ତ ସ୍ଥାନରେ ଜଳନିକାସ ବିଭାଗ ତରଫରୁ ଏକ ସ୍ଳୁଇସ୍ ଗେଟ୍ ନିର୍ମାଣ ସହି ମାରେଡା ନାଳକୁ ନବୀକରଣ କରାଯାଆନ୍ତା ତେବେ ନାଳରୁ ପାଣି ଶୁଖିଲେ ଗେଟ ମାଧ୍ୟମରେ ଚାଷ ଜମିରୁ ପାଣି ଅଟକାଯାଇ ପାରନ୍ତା । ଉକ୍ତ ନାଳରେ ଏକ ସ୍ଲୁଇସ୍ ଗେଟ ନିର୍ମାଣ ଓ ମାରେଡା ନାଳକୁ ନବୀକରଣ କରିବା ପାଇଁ ସ୍ଥାନୀୟ ଚାଷୀ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏବିଷୟରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଇଂ.ସୂର୍ଯ୍ୟକାନ୍ତ ଦିକ୍ଷିତଙ୍କୁ ପଚାରିବାରେ କେଉଁ ବାଟ ଦେଇ ଚାଷ ଜମିରୁ ଜଳ ନିଷ୍କାସିତ ହେଉଛି ତାକୁ ଅନୁଧ୍ୟାନ କରି ସ୍ଥାୟୀ ବ୍ୟବସ୍ଥା କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି ।