ଚିକିତ୍ସାରେ ଅର୍ଥ ସାଧିଛି ବାଧକ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ପଂଚାୟତ କୁଣ୍ଡେଶ୍ୱର ଗ୍ରାମରେ ବାବାଜୀ ଚରଣ ଲେଙ୍କାଙ୍କ ଘର  ବୟସ ୫୫ ବର୍ଷ । ପରିବାର କହିଲେ ସ୍ତ୍ରୀ ରୁନୁ ଲେଙ୍କା ଓ ଏକ ମାତ୍ର ପୁଅ ସନାତନ ଲେଙ୍କା । ବାବାଜୀ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକ ହୋଇଥିବାରୁ ମୁଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରିଥାନ୍ତି । ଦେଢ ମାସ ତଳେ ହଠାତ ବାବାଜୀଙ୍କର ମୁଣ୍ଡ ବ୍ୟଥା ହେବା ସହିତ ଦେହ ଅସୁସ୍ଥ ହୋଇଯାଇଥିଲା । ଚିକିତ୍ସା ପାଇଁ ବାବାଜୀ ନିକଟସ୍ଥ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଔଷଧ ଖାଇ ଥିଲେ ବି ମୁଣ୍ଡ ବ୍ୟଥା କମି ନଥିଲା । ପରେ ବାବାଜୀ ଗ୍ରାମବାସୀଙ୍କ ଆର୍ôଥକ ସହାୟତାରେ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଏମଆରଇ କରିବା ପାଇଁ କହିଥିଲେ । ବାବାଜୀଙ୍କ ପାଖରେ କିଛି ଆର୍ôଥକ ସମ୍ବଳ ନଥିବାରୁ ବାବଜୀ ମେଡିକାଲରୁ ଫେରି ଆସିଥିଲେ । ଆଉ କିଛି ଉପାୟ ନପାଇ ବାବାଜୀ ଏବେ ଘରେ ପଡି ରହିଛନ୍ତି । ମୁଣ୍ଡ ଯନ୍ତ୍ରଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯନ୍ତ୍ରଣାରେ ଛଟପଟ ହେବା ବ୍ୟତିତ ତାଙ୍କ ପାଖରେ ଅନ୍ୟ ଉପାୟ କିଛି ନାହିଁ । ଘରେ ବାବାଜୀ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ କାମ ଧନ୍ଦା ବନ୍ଦ ହୋଇ ଯିବାରୁ ଦିନକୁ ଦିନ ଘରର ଆର୍ଥୀକ ସ୍ଥିତ ମଧ୍ୟ ଅତ୍ୟନ୍ତ ଦୁର୍ବଳ ହେବାରେ ଲାଗିଛି । ଦିନକୁ ଦୁଇ ମୁଠା ଖାଇବା ଏହି ପରିବାର ପାଇଁ କଷ୍ଟ ସାଧ୍ୟ ହୋଇ ପଡିଛି । ଗୋଟିଏ ପଟେ ନିଜର ଜୀବନ ବଂଚାଇବା ପାଇଁ ସଂଘର୍ଷ କରୁଥିବା ବେଳେ ଅନ୍ୟପଟରେ ପରିବାର ଚିନ୍ତା । ମୁଣ୍ଡ ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ଚିକିତ୍ସା ଏକମାତ୍ର ଉପାୟ ହୋଇଥିବା ବେଳେ ଅର୍ଥ ବାଧକ ସାଜିଥିବା ବାବାଜୀଙ୍କ ପତ୍ନୀ ରୁନୁ ଦୁଃଖଭରା କଣ୍ଠରେ କହିଛନ୍ତି । ତେଣୁ ତାଙ୍କ ସ୍ୱାମୀଙ୍କୁ ଭଲ କରିବା ପାଇଁ ତାଙ୍କୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବା ପାଇଁ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି । ବାବାଜୀଙ୍କର ଏପରି ଦୟନୀୟ ଅବସ୍ଥାରେ ତାଙ୍କୁ ସାହାଯ୍ୟ ପାଇଁ ଗ୍ରାମର ତ୍ରିଲୋଚନ ମହାନ୍ତି, ନନ୍ଦକିଶୋର ମହାନ୍ତି, ଜତିନ୍ଦ୍ରନାଥ ମହାନ୍ତି, ପ୍ରମୋଦ ପାଢୀ, ଜଗନ୍ନାଥ ଲେଙ୍କା, ମନୋଜ କୁମାର ମହାନ୍ତି, ବଟକୃଷ୍ଣ ସ୍ୱାଇଁ, ଅକ୍ଷୟ ମହାନ୍ତି, ହେମନ୍ତ ସ୍ୱାଇଁ ଆଦି ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ