ଚୋରା ମଦ ଦୋକାନ ଉଚ୍ଛେଦ ଦାବି କଲେ ମହିଳା

ବାଲେଶ୍ୱର, (ସରୋଜ ପଣ୍ଡା):ସଦର ବ୍ଲକ ଅନ୍ତର୍ଗତ ରସାଳପୁର ପଞ୍ଚାୟତର ଛଚିନା ଗ୍ରାମରେ ଚୋରା ମଦ ଦୋକାନ ଉଚ୍ଛେଦ ଦାବିରେ ମହିଳାମାନେ ଗୁରୁବାର ଅବକାରୀ ଅଧୀକ୍ଷକ ଓ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଆପତ୍ତି ଅନୁସାରେ ରସାଳପୁର ପଞ୍ଚାୟତର ଏକ ୱାର୍ଡ଼ ବିଶିଷ୍ଟ ଏହି ଛୋଟିଆ ଗ୍ରାମ ଛଚିନାରେ ଏବେ ମଦର ବନ୍ୟା ପ୍ରବାହିତ ହେଉଛି । ଏହି ଗ୍ରାମରେ ୩ ଗୋଟି ଚୋରା ଦେଶୀ ଓ ବିଦେଶୀ ମଦ ଦୋକାନ ଦିନ-ରାତି ଖୋଲା ରହିବା ଫଳରେ ଅଳ୍ପ ବୟସର ଯୁବକଙ୍କ ଠାରୁ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ମଦ ନିଶାର ଶିକାର ହୋଇଛନ୍ତି । କାମଧନ୍ଦାକୁ ଯିବା ପରିବର୍ତ୍ତେ ସେମାନେ ମଦ ପିଇ ମାତାଲ ଅବସ୍ଥାରେ ବୁଲୁଛନ୍ତି । ଏହା ଦ୍ୱାରା ପରିବାରର ସୁଖଶାନ୍ତି ନଷ୍ଟ ହୋଇଥିବା ବେଳେ ରାସ୍ତାଘାଟରେ ମହିଳାମାନେ ଯା’ଆସ କରିବାକୁ ଅସୁରକ୍ଷିତ ମଣିଲେଣି । ଏନେଇ ସ୍ଥାନୀୟ ଜୟଦେବ କସବା ଫାଣ୍ଡି ଓ ସଦର ଥାନାରେ ଜଣାଇବା ପରେ ବି ପୁଲିସ ଚୋରା ମଦ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଶେଷରେ ସେମାନେ ଅବକାରୀ ବିଭାଗ ମୁଖ୍ୟ ଓ ଜିଲାପାଳଙ୍କ ନିକଟରେ ଆପତ୍ତି ଜଣାଇବାକୁ ଆସିଛନ୍ତି ବୋଲି ମହିଳାମାନେ ସୂଚନା ଦେଇଛନ୍ତି । ସପ୍ତାହକ ମଧ୍ୟରେ ଉଚିତ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ଅବକାରୀ ବିଭାଗ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ଅବସରରେ ମହିଳାମାନେ ଏକ ଦାବିପତ୍ର ଅବକାରୀ ଅଧୀକ୍ଷକଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଛଚିନା ୱାର୍ଡ଼ ସଭ୍ୟାଙ୍କ ସମେତ ମୀରା ମାରାଣ୍ଡି, ସତ୍ୟଭାମା ବେହେରା, ଲକ୍ଷ୍ମୀ ମାରାଣ୍ଡି, ମିନତୀ ପରିଡ଼ା, ସରସ୍ୱତୀ ଖିଲାର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ