ଛାତ୍ର ନେତାଙ୍କୁ ହତ୍ୟା ଧମକ, ପ୍ରତିବାଦରେ ଦାବିପତ୍ର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କୁ ହତ୍ୟା ଧମକ ପ୍ରତିବାଦରେ ଭଦ୍ରକ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଭଣ୍ଡାରିପୋଖରୀ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଛାତ୍ର ନେତାଙ୍କୁ ଡାକ ଯୋଗେ ଚିଠି ଲେଖି କେହି ଦୁର୍ବୁତ୍ତ ହତ୍ୟା ଧମକ ଦେଇଥିବାବେଳେ ପତ୍ରରେ ମାହାଙ୍ଗା ବିଜେଡି ବୋଲି ଉଲ୍ଲେଖ ରହିଛି। ତାଙ୍କ ସମ୍ପ୍ରଦାୟକୁ ମଧ୍ୟ ଆକ୍ଷେପ କରାଯିବା ସଂଗେ ସଂଗେ ତୋତେ ଯୋବ୍ରା ଟୋକାଙ୍କ ଦ୍ୱାରା ହତ୍ୟା କରାଯିବ ବୋଲି ଚିଠିରେ ଧମକ ଦିଆଯାଇଛି। ଉକ୍ତ ବେନାମୀ ଚିଠି ଲେଖିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଦାବି ଜଣାଯାଇଛି। ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବିକ୍ରମ ସେନାପତିଙ୍କ ନେତୃତ୍ୱରେ ବ୍ଲକ ଛାତ୍ର କଂଗ୍ରେସ ସଭାପତି ଅଭିଷେକ ଜେନା, ଉତ୍କଳ ଆଲୋକ ଦାସ, ସୌମ୍ୟରଂଜନ ପହି, ସୁରେନ୍ଦ୍ର ସାହୁ, ଅନିରୁଦ୍ଧ ଜେନା, ଶୁଭ ପ୍ରକାଶ ନାୟକ, ଜ୍ୟୋତିରଞ୍ଜନ ସାହୁ ପ୍ରମୁଖ ଆଜି ଭଣ୍ଡାରିପୋଖରୀ ଥାନାରେ ଦାବିପତ୍ର ପ୍ରଦାନ କରିଛନ୍ତି।


