ଜମିବାଡି ଗଣ୍ଡଗୋଳରୁ ହତ୍ୟାକାଣ୍ଡ ଜଣେ ମୃତ ୨ ଗୁରୁତ୍ତର

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜମିବାଡି ଗଣ୍ଡଗୋଳରୁ ହତ୍ୟାକାଣ୍ଡ ଘଟି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୨ଜଣ ଗୁରୁତ୍ତର ଆହାତ ହୋଇ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ଜମିବାଡି ବିବାଦ ଯେ ଏଭଳି ଭୟଙ୍କର ହୋଇପାରେ ତାହାର ଉଗ୍ର ରୂପ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଥାନାର ସିମୁଳିଆ ଗ୍ରାମରେ । ଗୋଟିଏ ପରିବାରର ସଦସ୍ୟମାନେ ସଙ୍ଘବଧ ହୋଇ ମାରଣାସ୍ତ୍ରରେ ଆକ୍ରମଣ କରି ଅନ୍ୟ ଏକ ପରିବାରର ଜଣଙ୍କୁ ହତ୍ୟା କରିବା ସହ ୨ଜଣଙ୍କୁ ଗୁରୁତ୍ତର ଭାବେ ଆହତ କରିଦେଇଛନ୍ତି । ସିମୁଳିଆ ଗ୍ରାମର ପରୀକ୍ଷିତ ସ୍ୱାଇଁ ଏବଂ ତାଙ୍କ ପୁତୁରା ଦେବ ପ୍ରସାଦ ସ୍ୱାଇଁଙ୍କ ପରିବାର ମଧ୍ୟରେ ଭାଇଭାଗ ଜମିବାଡିକୁ ନେଇ ଦୀର୍ଘଦିନ ଧରି ଗଣ୍ଡଗୋଳ ଚାଲି ଆସୁଥିଲା । ଶୁକ୍ରବାର ସକାଳେ ପରୀକ୍ଷିତଙ୍କ ପୁଅ ଶିବ ପ୍ରସାଦ ସ୍ୱାଇଁ ଓ ତାଙ୍କ ପରିବାର ଲୋକେ ସଙ୍ଘବଧ ହୋଇ ମାରଣାସ୍ତ୍ର ଧରି ଦେବ ପ୍ରସାଦଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଧାରୁଆ ଅସ୍ତ୍ରରେ ଶିବ ପ୍ରସାଦ ସ୍ୱାଇଁ ଓ ତାଙ୍କ ପରିବାର ଲୋକେଦେବ ପ୍ରସାଦ ସ୍ୱାଇଁ ଓ ତାଙ୍କ ପତ୍ନୀ ମୀରା ସ୍ୱାଇଁ ଏବଂ ଦେବର ମା କୁସୁମ ସ୍ୱାଇଁ(୬୦)ଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ । ଏହି ଆକ୍ରମଣରେ ଦେବଙ୍କ ସମେତ ତାଙ୍କ ମା ଓ ପତ୍ନୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହୋଇ ଚିତ୍କାର କରୁଥିବା ଦେଖି ସ୍ଥାନୀୟ ପଡୋଶୀ ପଟ୍ଟାମୁଣ୍ଡାଇ ଥାନା ପୋଲିସକୁ ଖବର ଦେବା ସହିତ ୧୦୮ ଆମ୍ବୁଲାନ୍ସ ଡକାଇ ୩ଜଣ ଗୁରୁତ୍ତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ବୃଦ୍ଧା କୁସୁମଙ୍କ ଗଳା ଓ ପେଟରେ ଗଭୀର ଆଘାତ ଲାଗିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ଦେବ ଓ ତାଙ୍କ ପତ୍ନୀ ମୀରାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତରଖାନା ସୁତ୍ରରୁ ସୂଚନା ମିଳିଛି । ପଟ୍ଟାମୁଣ୍ଡାଇ ଥାନା ପୋଲିସ ପରୀକ୍ଷିତ ଓ ତାଙ୍କ ପତ୍ନୀ ମିନତୀପ୍ରଭାଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ପରୀକ୍ଷିତଙ୍କ ପୁଅ ଶିବ ପ୍ରସାଦ ଫେରାର ହୋଇଯାଇଛି । ଏହି ଘଟଣାରେ ପଟ୍ଟାମୁଣ୍ଡାଇ ଥାନା ପୋଲିସ ତଦନ୍ତ କରୁଥିବା ପଟ୍ଟାମୁଣ୍ଡାଇ ଏସଡିପିଓ ରଞ୍ଜନ କୁମାର ଦେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ