ଜମିରେ ପଡ଼ିଛି ସୁନାର ଫସଲ : ଲଘୁଚାପ ବର୍ଷାକୁ ନେଇ ଚିନ୍ତାରେ ଚାଷୀକୂଳ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ମୁଣ୍ଡର ଝାଳ ତୁଣ୍ଡରେ ମାରି ତଥା ଖରା, ବର୍ଷା ଓ ଶୀତକୁ ଖାତିର ନକରି ବର୍ଷତମାମ ହାଡ଼ଭଙ୍ଗା ପରିଶ୍ରମ କରି କ୍ଷେତରେ ସୁନାର ଫସଲ ଅମଳ କରିଛି ଚାଷୀ । ହେଲେ ଲଘୁଚାପ ଜନିତ ବର୍ଷା କାରଣରୁ ଚିନ୍ତାରେ ରହିଛନ୍ତି ଚାଷୀକୂଳ । ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରୁ ଗୁରୁବାର ହିଞ୍ଜିଳିକାଟୁ ଅଂଚଳରେ ଦିନ ତମାମା ଝିପିଝିପି ବର୍ଷା ଲାଗି ରହୌିଛି । ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ଚାଷୀ ବର୍ଷକର ଭାତ ହାଣ୍ଡି ତଥା ନିଜର ସୁନାର ଫସଲ କାଟି ଜମିରେ ଗଦା କରିଛି । ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବୃଦ୍ଧି ପାଇଲେ ଅମଳ ଧାନ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯିବ ବୋଲି ଚାଷୀକୂଳ ଆଶଙ୍କା କରିଛନ୍ତି ।ବଙ୍ଗୋପ ସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଗୁରୁବାର ତାମିଲନାଡ଼ୁରେ ତାର ପ୍ରଭାବ ଦେଖାଇଛି । ଏହାରି ପ୍ରଭାବରେ ଆନ୍ଧ୍ରପ୍ରଦେଶ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗୁରୁବାର ସକାଳୁ ସ୍ଥାନୀୟ ଅଂଚଳରେ ଆକାଶ ମେଘାଚ୍ଛନ୍ନ ରହିବା ସହ ଘଢିକେ ଘଢି ଝିପିଝିପି ବର୍ଷା ହେଉଛି । ସ୍ଥାନୀୟ ଅଂଚଳର କିଛି ଜମିରେ ସୁନାର ପସଲ ଖେଳୁଥିବା ବେଳେ କିଛି ଅଂଚଳର ଚାଷୀ ଭାଇ ମାନେ ଅମଳ ଧାନକୁ କାଟି ଜମିରେ ଗଦା କରି ରଖିଛନ୍ତି ।ପ୍ରାୟ ୭୦% ଜମିରେ ଧାନ କଟା ଆରମ୍ଭ ହୋଇନଥିବା ଜଣାପଡ଼ିଛି । ପ୍ରତ୍ୟେକ ବର୍ଷ ଚାଷୀ କିଛି ନା କିଛି ସମସ୍ୟା ଭୋଗୁଛି । କେତେବେଳେ ବନ୍ୟା, ବାତ୍ୟା ତ କେତେବେଳେ ବାରାହା ଯୋଗୁଁ ଅମଳ ଫସଲ ନଷ୍ଟ ହେଉଛି । ଏ ଦିଗରେ ସରକାର ଦୃଷ୍ଟି ପ୍ରଦାନ କରି ଚାଷୀ ମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଅଂଚଳର ଚାଷୀକୂଳ ନିବେଦନ କରିଛନ୍ତି ।


