ଜେନା ସାହିରୁ ପରିଡା ସାହି ରାସ୍ତା ଶୋଚନୀୟ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତ ନଈପାରିଗଢିଆ ଜେନା ସାହିରୁ ପରିଡା ସାହି ପ୍ରାୟ ୫ ଶହ ମିଟର ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି । ପ୍ରାୟ ୩୦ ବର୍ଷ ପୂର୍ବେ ଏହି ରାସ୍ତାରେ ମାଟି ଓ ମୋରମ କାର୍ଯ୍ୟ ହୋଇଥିଲା । ତାପର ଠାରୁ ଏପର୍ଯ୍ୟନ୍ତ ଉକ୍ତ ରାସ୍ତାକୁ ମରାମତି କରାଯାଇନାହିଁ । ଉକ୍ତ ରାସ୍ତା ଉପରେ ପରିଡା ସାହି ଓ ଯେନା ସାହିର ପ୍ରାୟ ୫ ଶହ ଲୋକ ନିର୍ଭର କରିଚଳନ୍ତି । ଗତ ବର୍ଷ ତତ୍କାଳୀନ ବିଡିଓ ଏହି ରାସ୍ତା ପରିଦର୍ଶନ କରି ମରାମତି କରାଯିବା ନେଇ ପ୍ରତିଶୃତି ଦେଇଥିଲେ । ମାତ୍ର ଏହା ମଧ୍ୟରେ ୧ ବର୍ଷ ବିତି ଯାଇଥିଲେ ମଧ୍ୟ ରାସ୍ତା ମରାମତିର ନାଁଗନ୍ଧ ନାହିଁ । ଫଳରେ ଉପରୋକ୍ତ ୨ ସାହିର ଲୋକଙ୍କ ସମେତ ଛାତ୍ରଛାତ୍ରୀ ମାନେ ଯିବାଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ଲକ ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।


